28.1 C
Bhubaneswar
Saturday, April 27, 2024
Homeଓଡିଶାଇଣ୍ଡୋନେସିଆରେ ହେବ ବିଜୁ ଗ୍ୟାଲେରୀ

ଇଣ୍ଡୋନେସିଆରେ ହେବ ବିଜୁ ଗ୍ୟାଲେରୀ

ଭୁବନେଶ୍ୱର : ଇଣ୍ଡୋନେସିଆରେ ଏକ ବିଜୁ ଗ୍ୟାଲେରୀ କରାଯିବା ସହିତ ବିଜୁଙ୍କ ଜୀବନିକୁ ନେଇ କ୍ଷୁଦ୍ର ପୁସ୍ତକ ପ୍ରକାଶ କରାଯିବ ବୋଲି ଓଡିଶାକୁ ଇଣ୍ଡୋନେସିଆରୁ ତିନି ଦିନିଆ ଗସ୍ତରେ ଆସିଥିବା ପଦ୍ମଶ୍ରୀ ଅଗୁଷ ଇନ୍ଦ୍ର ଉଦାୟନ ପ୍ରକାଶ କରିଛନ୍ତି । ଦୀର୍ଘ ୨୦ ବର୍ଷ ଧରି ଗାନ୍ଧିଜୀଙ୍କ ବାର୍ତ୍ତାକୁ ଇଣ୍ଡୋନେସିଆରେ ସଠିକ୍ ଭାବରେ ଲୋକଙ୍କ ପାଖରେ ପହଞ୍ଚାଇବାରେ ସଫଳତାକୁ ଦେଖି ତାଙ୍କୁ ଭାରତ ସରକାର ପଦ୍ମ ସମ୍ମାନରେ ଭୂଷିତ କରିଛନ୍ତି ।
ଓଡିଶାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ସମୟରେ ପଦ୍ମଶ୍ରୀ ଅଗୁଷ ଇନ୍ଦ୍ର ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସୀ ପରିସରରେ ଥିବା ବିଜୁ ଗ୍ୟାଲେରୀ ଦେଖିବାକୁ ପହଞ୍ଚିଥିଲେ । ଏହାକୁ ବୁଲି ଦେଖିବା ପରେ ସେ ଅତ୍ୟନ୍ତ ଆନନ୍ଦିତ ହୋଇ କହିଥିଲେ ଯେ, ବିଜୁଙ୍କ ପ୍ରେରଣାରେ ଆଗାମୀ ପିଢୀଙ୍କୁ ଆଗେଇ ନେବା ଉଦ୍ଦେଶ୍ୟରେ ଏକ ଗ୍ୟାଲେରୀ ଇଣ୍ଡୋନେସିଆରେ କରିବା ପାଇଁ ମୁଁ ଆମ ଦେଶର ରାଷ୍ଟ୍ରପତିଙ୍କୁ ଅନୁରୋଧ କରିବି । ଏହା ସହିତ ଏକ କ୍ଷୁଦ୍ର ପୁସ୍ତକ ବିଜୁଙ୍କ ଜୀବନିକୁ ନେଇ ପ୍ରକାଶିତ ହେବ । ସେଥିରେ ସଂକ୍ଷିପ୍ତ ଭାବରେ ବିଜୁଙ୍କ ଜୀବନି ଓ ସାହସିକତା କୁ ପ୍ରକାଶିତ କରାଯିବ । ଯାହାକୁ ପଢି ନୂତନ ପିଢୀ ଖୁସି ଅନୁଭବ କରିବେ ଏବଂ ବିଜୁ ଙ୍କ ସାହସିକତା ଭଳି ନିଜ ଜୀବନକୁ ଗଠନ କରିବାରେ ଏହି ପୁସ୍ତକ ସହାୟକ ହେବ ।
ବିଜୁ ଗ୍ୟାଲେରୀ ବୁଲିବା ସମୟରେ ପଦ୍ମଶ୍ରୀ ଅଗୁଷ ସେଦିନର ରାଷ୍ଟ୍ରନାୟକ ସୁକର୍ଣ୍ଣଙ୍କ ସହିତ ବିଜୁଙ୍କ ପତ୍ନୀ ଜ୍ଞାନ ପଟ୍ଟନାୟକ, ଲେଡି ସୁକର୍ଣ୍ଣଙ୍କ ସହିତ ଜ୍ଞାନ ପଟ୍ଟନାୟକ କୋଳରେ ଗୀତା ମେହେଟା ଏବଂ ସୁକର୍ଣ୍ଣଙ୍କ ପୁତ୍ରୀ ମେଘାବତୀଙ୍କ ଫଟୋ କୁ ଦେଖି ଆତ୍ମବିଭୋର ହୋଇ ଯାଇଥିଲେ । ଖାଲି ଏତିକି ନୁହଁ ଇଣ୍ଡୋନେସିଆରୁ ବିଜୁଙ୍କୁ ମିଳିଥିବା ଭୂମିପୁତ୍ର ସମ୍ମାନ ପ୍ରମାଣପତ୍ରକୁ ସେ ବାରମ୍ବାର ପଢିଥିଲେ । ତାକୁ ପଢିବା ସମୟରେ କହିଥିଲେ ମେଘାବତୀ ଜନ୍ମ ହେବା ସମୟରେ ଖୁବ୍ ଜୋରରେ ଆକାଶରେ ମେଘ ଦେଖାଦେଇଥିଲା । ବିଜୁ ପଟ୍ଟନାୟକ ସେଠାରେ ଉପସ୍ଥିତ ଥାନ୍ତି । ସୁକର୍ଣ୍ଣ ବିଜୁଙ୍କୁ ପ୍ରଶ୍ନ କଲେ ଝିଅର ନାମ କଣ ଦେବା ? ସଙ୍ଗେ ସଙ୍ଗେ ବିଜୁ କହିଥିଲେ ମେଘାବତୀ । ଏସବୁ କହିବାବେଳେ ସେ ଏତେ ଖୁସି ଥିଲେ ତାହା ତାଙ୍କ କହିବା ଶୈଳୀରୁ ବାରି ହୋଇପଡିଥିଲା । ଏସବୁ ଫଟୋର ସୁରକ୍ଷା ଦରକାର କହିବା ସହିତ ଏହାପାଇଁ ଆହୁରି ପ୍ରଶସ୍ଥ ସ୍ଥାନ ଦରକାର ବୋଲି ପ୍ରକାଶ କରିଥିଲେ ।
ପଦ୍ମଶ୍ରୀ ଅଗଷୁ ଇନ୍ଦ୍ର ଗାନ୍ଧୀଙ୍କୁ ନେଇ ଯେଉଁ ସ୍ଥାନରେ ପ୍ରଚାର ପ୍ରସାର ପାଇଁ ଆଶ୍ରମ କରିଛନ୍ତି ତାରି ନିକଟରେ ବିଜୁ ଗ୍ୟାଲେରୀ ହେବ ବୋଲି ସେ ସୂଚନା ମଧ୍ୟ ଦେଇଥିଲେ । ସେ ତିନିଦିନିଆ ଓଡିଶା ଗସ୍ତରେ ଆସିଥିଲେ । ଆଜି ଫେରିଯାଇଛନ୍ତି ଏବଂ ପ୍ରତିଶୃତି ଦେଇ ଯାଇଛନ୍ତି ବହୁ ଶୀଘ୍ର ବିଜୁ ଗ୍ୟାଲେରୀ ସମ୍ପର୍କରେ ଆଲୋଚନା କରିବେ । ବିଜୁଙ୍କ ଫଟୋ ସମ୍ପର୍କରେ ଇପିଏ ର ସଂପାଦକ ଅଞ୍ଜଳୀ ମିଶ୍ର ଏବଂ ମୁଖ୍ୟ ସଂପାଦକ ଅନୀଲ ପ୍ରସାଦ ମିଶ୍ର ଟିକିନିଖି ଇଂରାଜୀ ଭାଷାରେ ତାଙ୍କୁ ବୁଝାଇଥିଲେ । ଫଟୋ ସାମ୍ବାଦିକ ବିରୁ ସାହୁ ପଦ୍ମଶ୍ରୀ ଅଗୁଷଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking