29.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶମାଳଦ୍ୱୀପ ସଂସଦୀୟ ନିର୍ବାଚନ: ୬୬ ଆସନ ସହ ଅଗ୍ରଣୀ ପିଏନ୍‌ସି; ମୁଇଜୁଙ୍କ ଦଳକୁ ବହୁମତ, ଚୀନ୍...

ମାଳଦ୍ୱୀପ ସଂସଦୀୟ ନିର୍ବାଚନ: ୬୬ ଆସନ ସହ ଅଗ୍ରଣୀ ପିଏନ୍‌ସି; ମୁଇଜୁଙ୍କ ଦଳକୁ ବହୁମତ, ଚୀନ୍ ଆନନ୍ଦିତ

ମାଲେ:  ଭାରତ ପାଇଁ ଅର୍ନ୍ତଜାତୀୟ ସ୍ତରରେ ଆଉ ଏକ ସମସ୍ୟା ଦୃଢ଼ୀଭୂତ ହୋଇଛି । ଭାରତ ବିରୋଧୀ ଭାବେ ଜଣାଶୁଣା ୪୫ ବର୍ଷୀୟ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଦଳ ପିପୁଲ୍ସ ନ୍ୟାଶନାଲ କଂଗ୍ରେସ (ପିଏନ୍‌ସି)କୁ ରବିବାର ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ବଡ଼ ସଫଳତା ମିଳିଛି । ରିପୋର୍ଟ ଅନୁସାରେ ୯୩ ସଦସ୍ୟ ବିଶିଷ୍ଟ ମାଳଦ୍ୱୀପ ପାର୍ଲାମେଣ୍ଟ (ମଜଲିସ୍‌) ପାଇଁ ମତଦାନ ହୋଇଥିବା ବେଳେ ଏଥିମଧ୍ୟରୁ ସୋମବାର ୮୬ ଆସନ ପାଇଁ ଫଳାଫଳ ଘୋଷଣା କରାଯାଇଛି । ତେବେ ଏହି ୮୬ ଆସନ ମଧ୍ୟରୁ ୬୬ ଆସନରେ ପିଏନ୍‌ସି ବିଜୟୀ ଘୋଷିତ ହୋଇଛି । ଆହୁରି ୭ ଆସନ ପାଇଁ ଫଳାଫଳ ଆସିବା ବାକି ରହିଥିଲେ ମଧ୍ୟ ୬୬ ଆସନ ଦଖଲ କରି ମୁଇଜୁଙ୍କ ଦଳ ସ୍ପଷ୍ଟ ବହୁମତ ହାସଲ କରିନେଇଛି ।
ପ୍ରକାଶ, ମୋଟ୍ ୯୩ ଆସନ ବିଶିଷ୍ଟ ମାଳଦ୍ୱୀପ ସଂସଦରେ ସଂଖ୍ୟା ଗରିଷ୍ଠତା ହାସଲ ପାଇଁ ୪୭ ସଦସ୍ୟଙ୍କ ସମର୍ଥନର ଆବଶ୍ୟକତା ରହିଥିବା ବେଳେ ପିଏନ୍‌ସି ବର୍ତ୍ତମାନ ସୁଦ୍ଧା ୬୬ ଆସନ ଅକ୍ତିଆର କରିନେଇଛି । ଅନ୍ୟପକ୍ଷେ ଭାରତକୁ ସମର୍ଥନ କରୁଥିବା ମୁଖ୍ୟ ବିରୋଧୀ ଦଳ ମାଲଡିଭିଆନ୍ ଡେମୋକ୍ରାଟିକ୍ ପାର୍ଟି (ଏମ୍‌ଡିପି) ଶୋଚନୀୟ ପରାଜୟ ବରଣ କରିଛି । ତେବେ ଏସବୁ ମଧ୍ୟରେ ଚୀନ୍ ସପକ୍ଷବାଦୀ ତଥା ଭାରତ ବିରୋଧୀ ମୁଇଜୁଙ୍କ ଆଭିମୁଖ୍ୟକୁ ମାଳଦ୍ୱୀପବାସୀ ଦୃଢ଼ ସମର୍ଥନ ଜଣାଇଥିବା ନିର୍ବାଚନୀ ଫଳାଫଳରୁ ସ୍ପଷ୍ଟ ହୋଇଛି । ଅନ୍ୟପକ୍ଷେ ମାଳଦ୍ୱୀପ ନିର୍ବାଚନର ଏପ୍ରକାର ଫଳାଫଳକୁ ନେଇ ଚୀନ୍ ମାତ୍ରାଧିକ ଆନନ୍ଦିତ ତଥା ଉତ୍ସାହିତ ହୋଇପଡ଼ିଥିବା ବେଳେ ଭାରତ ପାଇଁ କିନ୍ତୁ ଚିନ୍ତା ବଢ଼ିଯାଇଛି । ମାଳଦ୍ୱୀପ ନିର୍ବାଚନରେ ସରକାର ପରିବର୍ତ୍ତନ ହେବା ନେଇ ଭାରତ ଆଶା କରୁଥିବା ବେଳେ ଏହା ଫିକା ପଡ଼ିଯାଇଛି । ସୁତରାଂ ମୁଇଜୁ ଭାରତ ବିରୋଧୀ ଆଭିମୁଖ୍ୟ ରଖି ଯେଉଁସବୁ ନିର୍ଦ୍ଦେଶ ଗତ କିଛି ମାସ ମଧ୍ୟରେ ନେଇଛନ୍ତି ତାହା ବଳବତ୍ତର ରହିବ ବୋଲି ସ୍ପଷ୍ଟ ହୋଇଯାଇଛି ।
ସୂଚନାଯୋଗ୍ୟ, ଭାରତ ସହ ଶତ୍ରୁତାପୂର୍ଣ୍ଣ ବ୍ୟବହାର ଦର୍ଶାଇବା ଏବଂ ଚୀନ୍ ପ୍ରତି ବନ୍ଧୁତାର ହାତ ବଢ଼ାଇଥିବା ମୁଇଜୁଙ୍କ ପାଇଁ ଏହି ନିର୍ବାଚନ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା । କାରଣ ଭାରତ ପ୍ରତି ତାଙ୍କ ଆଭିମୁଖ୍ୟକୁ ନେଇ ମାଳଦ୍ୱୀପରେ ତାଙ୍କୁ ଘୋର ବିରୋଧାଭାସର ସମ୍ମୁଖୀନ ହେବାକୁ ପଡ଼ିଥିଲା । ବିଶେଷକରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମୁଇଜୁ ସରକାରଙ୍କ ୩ ମନ୍ତ୍ରୀ ଅପମାନଜନକ ଶବ୍ଦରେ ସମାଲୋଚନା କରିବାକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ବଢ଼ିଯାଇଥିଲା । ପରେ ପରେ ମୁଇଜୁ, ମାଳଦ୍ୱୀପରୁ ଭାରତୀୟ ସେନାକୁ ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ଜାରି କରିଥିଲେ । ଅନ୍ୟପକ୍ଷେ ନିକଟରେ ମାଳଦ୍ୱୀପର ଏକ ହାଇପ୍ରୋଫାଇଲ୍ ଭିତ୍ତିଭୂମିର ଠିକା କାର୍ଯ୍ୟ ମଧ୍ୟ ସେ ଚୀନ୍‌ର ଏକ ସରକାରୀ କମ୍ପାନୀକୁ ପ୍ରଦାନ କରିଛନ୍ତି । ତେବେ ମାଳଦ୍ୱୀପ ନିର୍ବାଚନ ଫଳାଫଳ ଉପରେ ଭାରତ ସତର୍କ ଦୃଷ୍ଟି ନିବଦ୍ଧ ରଖିଥିବା ସତ୍ତ୍ୱେ ଏବେ କିନ୍ତୁ ପିଏନ୍‌ସି ଏଠାରେ ବିଜୟୀ ହୋଇଥିବାରୁ ଭାରତ ବିରୋଧୀ ନୀତି ଆପଣାଇବାକୁ ମୁଇଜୁଙ୍କୁ ଅଧିକ କ୍ଷମତା ମିଳିବ, ଯାହାକି ନୂଆଦିଲ୍ଲୀ ପାଇଁ ଚିନ୍ତାର କାରଣ ହୋଇପାରେ ବୋଲି କୂଟନୈତିକ ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking