29.4 C
Bhubaneswar
Saturday, May 4, 2024
Homeଦେଶ ବିଦେଶ୧୪ ବର୍ଷୀୟ ଦୁଷ୍କର୍ମ ପୀଡ଼ିତାଙ୍କ ସପକ୍ଷରେ ସୁପ୍ରିମକୋର୍ଟ; ‘୩୦ ସପ୍ତାହର ଗର୍ଭ’ ନଷ୍ଟ ପାଇଁ ଅନୁମତି

୧୪ ବର୍ଷୀୟ ଦୁଷ୍କର୍ମ ପୀଡ଼ିତାଙ୍କ ସପକ୍ଷରେ ସୁପ୍ରିମକୋର୍ଟ; ‘୩୦ ସପ୍ତାହର ଗର୍ଭ’ ନଷ୍ଟ ପାଇଁ ଅନୁମତି

ନୂଆଦିଲ୍ଲୀ: ଦୁଷ୍କର୍ମ ଶିକାର ହୋଇ ଗର୍ଭବତୀ ହୋଇପଡିଥିବା ଜଣେ ୧୪ ବର୍ଷୀୟା ନାବାଳିକାଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ଆଜି ଏକ ଐତିହାସିକ ରାୟ ଦେଇଛନ୍ତି । ପୀଡ଼ିତା ନାବାଳିକା  ବର୍ତ୍ତମାନ ସମୟ ସୁଦ୍ଧା ୩୦ ସପ୍ତାହର ଗର୍ଭବତୀ ଥିବା ବେଳେ ତାଙ୍କୁ ଗର୍ଭପାତ (ଭୃଣ ନଷ୍ଟ) କରିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି । ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିଥିବା ବେଳେ ଗତ ୪ ତାରିଖରେ ବମ୍ବେ ହାଇକୋର୍ଟ ଦେଇଥିବା ରାୟକୁ ଖାରଜ କରିବା ପୂର୍ବକ ନାବାଳିକାଙ୍କୁ ଗର୍ଭପାତ ଅନୁମତି ପ୍ରଦାନ କରିଛନ୍ତି ।
ପ୍ରଧାନ ବିଚାରପତି ଏବଂ ଜଷ୍ଟିସ ଜେ.ବି ପାରଦୀୱାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ଶୁକ୍ରବାର ଦିନ ଏହି ମାମଲାରେ ଏକ ଜରୁରୀ ଶୁଣାଣି କରିଥିଲେ ଏବଂ ରାୟ ସଂରକ୍ଷିତ ରଖିଥିଲେ । ତେବେ ଆଜିର ଶୁଣାଣି କାଳରେ ଖଣ୍ଡପୀଠ ନିଜ ରାୟରେ କହିଛନ୍ତି, ଏହା ଏକ ବ୍ୟତିକ୍ରମ ମାମଲା ହୋଇଥିବା ବେଳେ ପୀଡ଼ିତାଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ମେଡିକାଲ ରିପୋର୍ଟ ଆଧାରରେ ନାବାଳିକାଙ୍କୁ ଗର୍ଭପାତ ଅନୁମତି ଦିଆଯାଉଛି । ଏପ୍ରକାର ଅନୁମତି ଦେବା ସୁପ୍ରିମକୋର୍ଟଙ୍କ ପକ୍ଷେ ମଧ୍ୟ ସହଜ ନୁହେଁ । କିନ୍ତୁ ପରିସ୍ଥିତି ଏବଂ ପୀଡ଼ିତାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ନ୍ୟାୟପାଳିକା ଏପ୍ରକାର ଅନୁମତି ଦେବାକୁ ବାଧ୍ୟ ହେଉଛନ୍ତି । ଅନ୍ୟପକ୍ଷେ ୩୦ ସପ୍ତାହର ଭୃଣ ନଷ୍ଟ ବା ଗର୍ଭପାତ କରାଯିବା କ୍ଷେତ୍ରରେ ସାଧାରଣତଃ ଗର୍ଭବତୀଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ସର୍ବାଧିକ ରହୁଥିବା ବେଳେ ମେଡିକାଲ ବୋର୍ଡ କିନ୍ତୁ ଜୀବନ ପ୍ରତି ବିପଦ ପୂର୍ଣ୍ଣକାଳୀନ ପ୍ରସବ ଆଶଙ୍କାଠାରୁ ଅଧିକ ନୁହେଁ ବୋଲି ସୁପ୍ରିମକୋର୍ଟରେ ନିଜ ଯୁକ୍ତି ରଖିଛି । ଏଥିସହ ମୁମ୍ବାଇ ସ୍ଥିତ ପୌରନିଗମ ହସ୍ପିଟାଲର ଡିନ୍ ମଧ୍ୟ ନିଜ ରିପୋର୍ଟରେ ଦର୍ଶାଇଛନ୍ତି ଯେ, ଏକ ୧୪ ବର୍ଷୀୟ ନାବାଳିକା କ୍ଷେତ୍ରରେ ଗର୍ଭଧାରଣ ତା’ର ଶାରୀରିକ ତଥା ମାନସିକ ସ୍ଥିତାବସ୍ଥା ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ । ସେହିପରି ସିଓନ୍ ହସ୍ପିଟାଲ ବୋର୍ଡ ମଧ୍ୟ ୩୦ ସପ୍ତାହର ଭୃଣ ହତ୍ୟା ସପକ୍ଷରେ ମତ ଦେଇଛି । ତେବେ ଏସବୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ରିପୋର୍ଟକୁ ଭିତ୍ତି କରି ସୁପ୍ରିମକୋର୍ଟ ସମ୍ବିଧାନ ଧାରା ୧୪୨ ଅନ୍ତର୍ଗତ ନାବାଳିକାଙ୍କୁ ଗର୍ଭପାତ ଅନୁମତି ଦେଇଛନ୍ତି । ପ୍ରକାଶ, ପୂର୍ବରୁ ଗର୍ଭପାତ ପାଇଁ ପୀଡ଼ିତା ଓ ପୀଡ଼ିତାଙ୍କ ପରିବାର ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ବମ୍ବେ ହାଇକୋର୍ଟ କିନ୍ତୁ ଗର୍ଭପାତ ଆଇନ୍ ଅନ୍ତର୍ଗତ ଅନୁମତି ଦେବାକୁ ମନା କରିଦେଇଥିଲେ । ବମ୍ବେ ହାଇକୋର୍ଟଙ୍କ ରାୟକୁ ପୀଡ଼ିତାଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କରାଯାଇଥିଲା ।
ପ୍ରକାଶ, ମେଡିକାଲ ଟର୍ମିନେସନ୍ ଅଫ୍ ପ୍ରେଗ୍‌ନାନ୍ସି ଆକ୍ଟ-୧୯୭୧ (ଏମ୍‌ଟିପି ଆକ୍ଟ) ଅନୁଯାୟୀ ଅନ୍ୟୁନ ୨ଜଣ ପଞ୍ଜୀକୃତ ଡାକ୍ତରୀ ଚିକିତ୍ସକଙ୍କ ପରାମର୍ଶ ଆଧାରରେ ୨୦ସପ୍ତାହ ପର୍ଯ୍ୟନ୍ତ ଏବଂ କେତେକ କ୍ଷେତ୍ରରେ ୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରିବାକୁ ଅନୁମତି ଦିଆଯାଇପାରିବ । ଏମ୍‌ଟିପି ଆକ୍ଟ ଧାରା ୩-ବି ଅଧୀନରେ ୭ଟି ସର୍ତ୍ତାବଳୀକୁ ତାଲିକାଭୁକ୍ତ କରାଯାଇଛି । ଏସବୁ ସର୍ତ୍ତାବଳୀ ମଧ୍ୟରେ ନାବାଳିକା କିମ୍ବା ବଳପୂର୍ବକ ଶାରୀରିକ ଶୋଷଣର ଶିକାର ମହିଳା, ଯୁବତୀ କିମ୍ବା ନାବାଳିକା, ଭିନ୍ନକ୍ଷମ ଯୁବତୀ କିମ୍ବା ମହିଳା ତଥା ଯେତେବେଳେ ଗର୍ଭାବସ୍ଥାରେ ମହିଳାମାନଙ୍କର ବୈବାହିକ ଜୀବନରେ ଆସୁଥିବା ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏମ୍‌ଟିପି ଆଇନ୍ ଗର୍ଭପାତର ଅନୁମତି ଦେଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking