28.1 C
Bhubaneswar
Saturday, May 11, 2024
Homeଅପରାଧବିଦା ହୋମଗାର୍ଡ ପାଲଟିଲେ ଠକ

ବିଦା ହୋମଗାର୍ଡ ପାଲଟିଲେ ଠକ

ଭୁବନେଶ୍ୱର: ନିଜକୁ ପୁଲିସ କର୍ମଚାରୀ କହି ଦୁଇଜଣ ଯୁବକଙ୍କୁ ଗାଡ଼ି ବିକ୍ରି ନାଁରେ ୬୨ହଜାର ଟଙ୍କା ଠକେଇ କରିବା ଅଭିଯୋଗରେ ଭୁବନେଶ୍ୱର ସାଇବର ଓ ଅର୍ଥନୈତିକ ଅପରାଧ ଥାନା ପୁଲିସ ସମ୍ପୃକ୍ତ ଅଭିଯୁକ୍ତକୁ ମଙ୍ଗଳବାର ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ଚନ୍ଦ୍ରଦେଇପୁର ଗାଁର ବିଜୟ କୁମାର ପାଣ୍ଡି(୩୫) । ଗିରଫ ପରେ ବିଜୟକୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ଖାରଜ ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ସାଇବର ଓ ଅର୍ଥନୈତିକ ଅପରାଧ ଥାନାଧିକାରିଣୀ ରଶ୍ମିତା ଜେନା କହିଛନ୍ତି ।

ପୁଲିସ ସୂଚନା ଅନୁଯାୟୀ, ହୋଟେଲ ସ୍ୱସ୍ତି ଗ୍ରାଣ୍ଡ୍‌ରେ ନିର୍ମଳ ପୃଷ୍ଟି ଓ ପ୍ରମୋଦ ସାହୁ ନାମକ ଦୁଇ ଯୁବକ କାମ କରନ୍ତି । ସେମାନେ ପୁରୁଣା ଗାଡ଼ି କିଣିବାକୁ ସ୍ୱସ୍ତି ଗ୍ରାଣ୍ଡର ସୁରକ୍ଷାକର୍ମୀଙ୍କୁ କହିଥିଲେ । ତେଣୁ ଜଣେ ପୁଲିସ କର୍ମଚାରୀ ଚିହ୍ନା ଅଛି, ଯିଏକି ପୁରୁଣା ଗାଡ଼ି ବିକ୍ରି କରୁଛନ୍ତି ବୋଲି ସୁରକ୍ଷାକର୍ମୀ ନିର୍ମଳଙ୍କୁ କହିଥିଲେ । ଏହାପରେ ଅଭିଯୁକ୍ତ ବିଜୟକୁ ନିର୍ମଳ ଫୋନ୍ କରି ବାଇକ୍ କିଣିବାକୁ କହିଥିଲେ । ଏହାପରେ ବିଜୟ ସେମାନଙ୍କୁ ଆଚାର୍ଯ୍ୟବିହାର ଛକରେ ଥିବା ମା’ ଚର୍ଚ୍ଚିକା ସେକେଣ୍ଡ ହ୍ୟାଣ୍ଡ ମୋଟରସାଇକେଲ ଦୋକାନକୁ ଆସିବା ପାଇଁ କହିଥିଲେ । ନିର୍ମଳ ଓ ତାଙ୍କ ବନ୍ଧୁ ପ୍ରମୋଦ ସେଠାରେ ପହଞ୍ଚିବା ପରେ ବିଜୟ ସେଠାରେ ଅନୁପସ୍ଥିତ ଥିବା ଦେଖି ତାଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ଦୁଇଟି ବାଇକ୍‌ର ଫଟୋ ହ୍ୱାଟସ୍‌-ଆପ୍ ମାଧ୍ୟମରେ ପଠାଇଥିଲେ ।

ଅଭିଯୁକ୍ତ ଜଣକ ମଧ୍ୟ ଅଭିଯୋଗକାରୀଙ୍କ ମନରେ ଅଧିକ ବିଶ୍ୱାସ ଜନ୍ମାଇବା ପାଇଁ ହୋମଗାର୍ଡ ପୋଷାକରେ ଥାଇ ପୁଲିସ ପିସିଆର ଭ୍ୟାନ ଆଗରେ ଛିଡା ହୋଇଥିବା ନିଜର ଏକ ଫଟୋ ହ୍ୱାଟସ୍‌ଆପରେ ପଠେଇଥିଲେ । ଏଥିସହିତ ନିଜକୁ ଚନ୍ଦକା ଥାନାର ପିସିଆର ଡ୍ରାଇଭର ଭାବେ ପରିଚୟ ଦେଇଥିଲେ । ଯାହାଫଳରେ ନିର୍ମଳ ଓ ତାଙ୍କ ବନ୍ଧୁଙ୍କ ମନରେ ବିଶ୍ୱାସ ସୃଷ୍ଟି ହୋଇଥିଲା । ଗାଡ଼ି ପସନ୍ଦ ହେବା ପରେ ସେମାନେ ପ୍ରଥମେ ଫେବୃୟାରୀ ୧୮ ତାରିଖରେ ଫୋନ୍‌-ପେ ମାଧ୍ୟମରେ ୧୦ହଜାର ଟଙ୍କା ପଠାଇଥିଲେ ।

ପରେ ପୁଣି ୨୫ ତାରିଖରେ ୧୦ହଜାର ଦେଇଥିଲେ । ଏହାପରେ ୨୮ତାରିଖରେ ଗୁଗୁଲ୍‌-ପେ ମାଧ୍ୟମରେ ୪୨ହଜାର ଟଙ୍କା ଦେଇଥିଲେ।
ଏହାପରେ ନିର୍ମଳ ଓ ପ୍ରମୋଦ ବିଜୟଙ୍କୁ ଫୋନ୍ କରିଥିଲେ । ଗାଡ଼ି ପଠାଇଦେବି କହି ବିଜୟ ଫୋନ୍ ରଖିଦେଇଥିଲେ । ଟଙ୍କା ଦେବାର ୨ରୁ ୩ଦିନ ପୁରିଯିବାରୁ ନିର୍ମଳ ପୁଣି ଫୋନ୍ କରିଥିଲେ । ଏହାପରେ ଅଭିଯୁକ୍ତ ବିଜୟ ଆଉ ଧରାଛୁଆଁ ଦେଇନଥିଲା । ଏମିତିକି ଗାଳିମନ୍ଦ କରିଥିଲା । ଯାହାଫଳରେ ଅଭିଯୋଗକାରୀ ଠକାମୀର ଶିକାର ହୋଇଥିବା ଜାଣିପାରିଥିଲେ । ଏନେଇ ସେମାନେ ଗତ ୨୧ତାରିଖରେ ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁକରି ତଦନ୍ତ କରିଥିଲା । ପରେ ପୁଲିସ ଅଭିଯୁକ୍ତ ବିଜୟକୁ ମଙ୍ଗଳବାରେ ସକାଳେ ଗିରଫ କରିବାରେ ସଫଳ ହୋଇଛି ।

୨୦୧୭ରେ ଚାକିରୀରୁ ବହିଷ୍କୃତ
ଅଭିଯୁକ୍ତ ବିଜୟ ପୂର୍ବରୁ କମିଶନରେଟ୍ ପୁଲିସରେ ହୋମଗାର୍ଡ ଭାବେ କାମ କରୁଥିଲେ । ୨୦୧୭ ମସିହାରେ ସେ ଯାଜପୁର କୌଣସି କାମରେ ଯାଇଥିଲେ । ସେଠାରେ ଜଣେ ଦମ୍ପତିଙ୍କୁ ଗାଡ଼ି ସାଇଡ୍‌ମରାକୁ କେନ୍ଦ୍ର କରି ମାରପିଟ୍ କରିଥିଲେ । ଏହାପରେ ବିଭିନ୍ନ ଅପରାଧରେ ବିଜୟ ସମ୍ପୃକ୍ତ ଥିଲେ । ତେଣୁ ତାଙ୍କୁ ୨୦୧୭ରେ ଚାକିରୀରୁ ବହିଷ୍କୃତ କରାଯାଇଥିଲା । ଏହାପରେ ବି ସେ ନିଜକୁ ପୁଲିସ କର୍ମଚାରୀ କହି ବିଭିନ୍ନ ଅପରାଧ କରିଆସୁଥିବା ଜଣାପଡ଼ିଛି । ତେବେ ତାଙ୍କ ନାଁରେ ଆଉ କେଉଁଠି ମାମଲା ରହିଛି, ସେନେଇ ପୁଲିସ ଖୋଳତାଡ୍ କରୁଛି ।

ନିଜକୁ ଚୁଲ୍‌ବୁଲ ପାଣ୍ଡେ କହୁଥିଲା
ବିଜୟ ପୁଲିସ ଚାକିରୀ କରୁଥିଲା । ସେଥିପାଇଁ ନିଜକୁ ଚୁଲବୁଲ୍ ପାଣ୍ଡେ କହି ବୁଲୁଥିଲା । ଏମିତିକି ଅଭିଯୋଗକାରୀଙ୍କୁ ମଧ୍ୟ ନିଜ ନାଁ ଚୁଲ୍‌ବୁଲ୍ ପାଣ୍ଡେ ବୋଲି କହିଥିଲା । ଏଥିସହ ବିଜୟର ମୋବାଇଲ ନମ୍ବରକୁ ମଧ୍ୟ ଅଧିକାଂଶ ଲୋକ ଚୁଲବୁଲ୍ ପାଣ୍ଡେ ନାଁରେ ସେଭ୍ କରିଥିଲେ ।

ଦେଖାଇଲା ‘ପୁଷ୍ପା’ ଷ୍ଟାଇଲ୍‌
‘ପୁଷ୍ପା’ ଚଳଚ୍ଚିତ୍ର ଦେଖିବା ପରେ ଅପରାଧୀମାନେ ଏବେ ନିଜକୁ ପୁଷ୍ପା ଭାବିନେଉଛନ୍ତି । ପୁଷ୍ପା ଷ୍ଟାଇଲ୍‌ରେ ଚୋରାଚାଲାଣ କରୁଥିବାବେଳେ ଆକ୍ସନ ବି ଦେଖାଉଛନ୍ତି । ଏହିଭଳି ଭାବେ ଅଭିଯୁକ୍ତ ବିଜୟ ପୁଲିସ ହାତରେ ଧରାପଡ଼ିବା ପରେ ନିଜର ଷ୍ଟାଇଲ୍ ଦେଖାଇଥିଲା । ‘ପୁଷ୍ପା…କଭି ଝୁକେଗା ନାହିଁ’ କହି ଆକ୍ସନ ଦେଖାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking