38.1 C
Bhubaneswar
Friday, April 26, 2024
Homeଓଡିଶାଜିଲ୍ଲା ମୁଖ୍ୟ ଚିକିତ୍ସାରେ ତୁମୁଳ କାଣ୍ଡ; ରୋଗୀଙ୍କ ଧାରଣା

ଜିଲ୍ଲା ମୁଖ୍ୟ ଚିକିତ୍ସାରେ ତୁମୁଳ କାଣ୍ଡ; ରୋଗୀଙ୍କ ଧାରଣା

ବାଲେଶ୍ୱର : ବାଲେଶ୍ୱର ସରକାରୀ ମେଡିକାଲ କଲେଜ ସ୍ଥାପନ ସତ୍ତ୍ୱେ ବି ଏଠାରେ ସୁଧୁରିପାରୁନି ଚିକିତ୍ସା ବ୍ୟବସ୍ଥା । ସ୍ପେଶାଲିଷ୍ଟ, ଡାକ୍ତରସଂଖ୍ୟା ବୃଦ୍ଧି ପରେ ମଧ୍ୟ ଚିକିତ୍ସା ନପାଇ ଦହଗଞ୍ଜ ହେଉଛନ୍ତି ଗର୍ଭବତୀ । ଫଳରେ ଚିକିତ୍ସାରେ ଅବହେଳା ଅଭିଯୋଗ କରି ରୋଗୀ ଓ ତାଙ୍କ ସମ୍ପର୍କୀୟ ମିଶି ମେଡ଼ିକାଲ ପରିସରରେ ଧାରଣା ଦେବାଭଳି ଘଟଣା ବାଲେଶ୍ୱର ଜିଲ୍ଲା ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ ଦେଖିବାକୁ ମିଳିଛି । ଯାହାକି ଚିକିତ୍ସା ବ୍ୟବସ୍ଥା ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବାଲେଶ୍ୱର ଜିଲ୍ଲାରେ ଛାତ୍ରଛାତ୍ରୀ ପାଠ ପଢ଼ିବା ସହିତ ଉନ୍ନତମାନର ଚିକିତ୍ସା ମିଳିବା ଆଶାରେ ଜିଲ୍ଲାରେ ବାରମ୍ବାର ଦାବି ଆନ୍ଦୋଳନ ପରେ ଗତ୨୦୧୮ ସେପ୍ଟେମ୍ବରରେ ଜିଲ୍ଲାରେ ମେଡିକାଲ କଲେଜ ଆରମ୍ଭ ହୋଇଥିଲା । ଏଥିସହିତ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ମେଡିକାଲ କଲେଜର ଚିକିତ୍ସା ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ତେବେ ଏଠାରେ ପାଠପଢ଼ା ସିନା ହେଉଛି, ହେଲେ ଏବେବି କିଛି ଘଟଣା ଯାହା ଉନ୍ନତ ଚିକିତ୍ସା ଉପରେ ପ୍ରଶ୍ନବାଚୀ ଲଗାଉଛି । ଏଭଳି ଏକ ଘଟଣା ଗୁରୁବାର ଦେଖିବାକୁ ମିଳିଛି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ । ମେଡିକାଲର ସ୍ତ୍ରୀ ଓ ପ୍ରସୂତି ୱାର୍ଡରେ ୧୦ଜଣ ଡାକ୍ତର ରହିଛନ୍ତି । ସ୍ପେଶାଲିଷ୍ଟ, ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ଓ ଡାକ୍ତର ରହିଥିଲେ ମଧ୍ୟ ରୋଗୀମାନେ ଚିକିତ୍ସା ପାଇପାରୁ ନାହାନ୍ତି । ଏ ନେଇ ଆଜି କିଛି ଗର୍ଭବତୀ ଏସଏନସିୟୁ ୱାର୍ଡ ସମ୍ମୁଖରେ ଧାରଣା ଦେବା ସହିତ ଚିକିତ୍ସା ଅବହେଳାର ସଂଘାତିକ ତଥ୍ୟ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଗତ ବୁଧବାର ଠାରୁ ଭୋଗରାଇ ଅଞ୍ଚଳର ଜଣେ ମହିଳା ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇ ପ୍ରଥମେ ଜଳେଶ୍ୱର ଏବଂ ପରେ ବାଲେଶ୍ୱର ମେଡିକାଲକୁ ଚିକିତ୍ସା ପାଇଁ ଆସିଥିଲେ । ତେବେ ତାଙ୍କୁ ବୁଧବାର ରାତିରେ ଅସ୍ତ୍ରୋପଚାର ମାଧ୍ୟମରେ ଡେଲିଭରି କରାଯିବା ପାଇଁ କୁହାଯାଇ ହଇରାଣ କରାଯାଇଥିଲା । ସେହିଭଳି ଅନେକ ରୋଗୀ ଗତକାଲି ଠାରୁ ଅପେକ୍ଷା କରିଥିଲେ ମଧ୍ୟ ଦାୟିତ୍ୱରେ ଥିବା ସ୍ପେଶାଲିଷ୍ଟ ଜ୍ଞାନରଞ୍ଜନ ବେହେରା ଡ୍ୟୁଟି ପାଇଁ ଆସି ନଥିଲେ କି ରୋଗୀମାନଙ୍କୁ ଦେଖି ନଥିଲେ । ଏଥିସହିତ ନର୍ସ, ସିକ୍ୟୁରିଟି ଗାର୍ଡ ମଧ୍ୟ ରୋଗୀ ଏବଂ ସମ୍ପର୍କୀୟମାନଙ୍କୁ ଖରାପ ବ୍ୟବହାର କରୁଥିବା ନେଇ ରୋଗୀଙ୍କ ସମ୍ପର୍କୀୟ ଶୋଭା ଭାରତୀ ସାମଲ ଏବଂ ଜଣେ ରୋଗୀ ଜୟନ୍ତ ଦେହୁରୀଙ୍କ ସମେତ ଅନ୍ୟମାନେ ଅଭିଯୋଗ କରିଛନ୍ତି ।

ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଦୁଲାଲସେନ ଜଗଦେବ ଘଟଣାସ୍ଥଳରେ ପହଞ୍ôଚ ଧାରଣାକାରୀଙ୍କ ସହ ଆଲୋଚନା କରିବା ସହିତ ଏହାଏକ ମେଡିକାଲ କଲେଜ ହୋଇଥିବାରୁ ସୁପରିଟେଣ୍ଡେଣ୍ଟ ଏହାର ସମାଧାନ ରାସ୍ତା ବାହାର କରନ୍ତୁ ବୋଲି କହିଥିଲେ । ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସ୍ୱୀକାର କରିଛନ୍ତି ଯେ ଡ୍ୟୁଟିରେ ଥିବା ଡାକ୍ତର ଚିକିତ୍ସା ପାଇଁ ମେଡିକାଲକୁ ଯାଇନାହାନ୍ତି । ତେବେ ତାଙ୍କ ପାଖକୁ କିଛି ଅଭିଯୋଗ ଆସିନାହିଁ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking