32.1 C
Bhubaneswar
Saturday, May 4, 2024
Homeଓଡିଶାକୃଷକଙ୍କୁ ଦେଶଦ୍ରୋହୀ କହିବା "ଚୋର୍ ମଚାଏ ସୋର୍" ସଦୃଶ- କିଷାନ କଂଗ୍ରେସ

କୃଷକଙ୍କୁ ଦେଶଦ୍ରୋହୀ କହିବା “ଚୋର୍ ମଚାଏ ସୋର୍” ସଦୃଶ- କିଷାନ କଂଗ୍ରେସ

 

ବଲାଙ୍ଗିର,(ଦେବାଶିଷ ମିଶ୍ର) : କୃଷକଙ୍କ ଆନ୍ଦୋଳନକୁ ବଦନାମ କରିବା ସହିତ ସେମାନଙ୍କୁ ଦେଶଦ୍ରୋହୀ ଓ ଖାଲିସ୍ଥାନୀ କୁହାଯିବା ଉପରେ କିଷାନ କଂଗ୍ରେସ ପ୍ରତିକ୍ରିୟା ରଖିଛି । କିଷାନ କଂଗ୍ରେସ କହିଛି ଯେ, ଦେଶର କୃଷକ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଗଣତନ୍ତ୍ର ଦିବସରେ ବିଜେପି ର କେନ୍ଦ୍ର ସରକାର କୁଚକ୍ର କରିଥିଲେ । କଡା ପହରା ସତ୍ୱେ ଲାଲକିଲ୍ଲାରେ ହୋଇଥିବା ଲାଙ୍କାକାଣ୍ଡର ମୂଖ୍ୟ କାର୍ପଟଦାର ଦୀପ ସନ୍ଧୁଙ୍କ ଫଟୋ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ସାଂସଦ ସନ୍ନୀ ଦେଓଲଙ୍କ ସହ ଭାଇରାଲ ହେଲା ପରେ ଏହି କୁଚକ୍ର ର ପର୍ଦ୍ଦାଫାସ ହୋଇଛି । ଆହୁରି କୃଷକ ଆନ୍ଦୋଳନ ଉପରେ ଟେକା ଫିଙ୍ଗା ଘଟଣାରେ ମଧ୍ୟ ଜଣେ ବିଜେପି ପରିଷଦ ସଭ୍ୟାଙ୍କ ସ୍ୱାମୀଙ୍କ ନାଁ ଆସିଲା ପରେ ବିଜେପି ଦଳ କିପରି କୃଷକ ଆନ୍ଦୋଳନକୁ ବଦନାମ କରି ଆନ୍ଦୋଳନକୁ ଭଣ୍ଡୁର କରିବାର କଳା ରାଜନୀତି କରୁଛି ତାହା ଫର୍ଦ ପରେ ଫର୍ଦ ଲୋକ ଲୋଚନକୁ ଆସି ସାରିଛି । ଏଭଳି ସ୍ଥିତିରେ ବିଜେପି ଓ ତାଙ୍କ ସହେଯାଗୀ ଦଳ ଆନ୍ଦୋଳନକାରୀ କୃଷକଙ୍କୁ ଦେଶ ବିରୋଧି ଓ ଖଲିସ୍ଥାନୀ ବୋଲି ତୁଚ୍ଛା ଚିତ୍କାର କରିବା “ଚୋର ମଚାଏ ସୋର” ସଦୃଶ ବୋଲି ଜିଲ୍ଲା କିଷାନ କଂଗ୍ରେସର ଅଧ୍ୟକ୍ଷ ସାନନ୍ଦ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । ସେ କହିଛନ୍ତି ଯେ,କେନ୍ଦ୍ରର ବିଜେପି ସରକାର ନିଜର ପୁଞ୍ଜିପତି ମିତ୍ରଙ୍କ ସ୍ୱାର୍ଥରେ ଆଣିଥିବା ନୂତନ କୃଷି ଆଇନ ୨୦୨୦ ଦେଶର କୃଷକମାନଙ୍କୁ ତାଙ୍କ ହକରୁ ବଞ୍ଚିତ କରିଛି । ଯାହା ବିରୁଦ୍ଧରେ ପ୍ରଥମେ ପଞ୍ଜାବ ପରେ ପରେ ସାରା ଦେଶର କୃଷକ ଏକତ୍ରିତ ହୋଇ ଦିଲ୍ଲୀ ଚାଲର ଡାକରା ଦେଇଥିଲେ । ଆନ୍ଦୋଳନରତ କୃଷକମାନଙ୍କୁ ଦିଲ୍ଲୀରୁ ଦୁରେଇ ରଖିବାକୁ ଯାଇ ବିଜେପିର ରାଜ୍ୟ ସରକାର ଜାତୀୟ ରାଜପଥ କୋଡିବାରୁ ମଧ୍ୟ ପଛେଇ ନଥିଲେ । ଶତାଧିକ କୃଷକଙ୍କ ମୃତ୍ୟୂ ପରେ ମଧ୍ୟ ଦିଲ୍ଲୀ ବୋର୍ଡରରେ କୃଷକମାନେ ନିଜ ହକ ର ଲଢେଇ ଜାରି ରଖିଥିଲେ । କେନ୍ଦ୍ର ସରକାର ଥର ଥର କରି ବାର ଥର କୃଷକମାନଙ୍କ ସହିତ ଅଲୋଚନା କରିବା ପରେ ମଧ୍ୟ କୃଷକମାନଙ୍କୁ ତାଙ୍କ ଦାବୀରୁ ହଟାଇ ପାରି ନଥିଲେ । ଏପଟେ କୃଷକମାନେ ତାଙ୍କର ଦାବୀକୁ ଆହୁରି ମଝବୁତ ଭାବେ ଦେଶ ସାମନାରେ ରଖିବା ପାଇଁ ଗଣତନ୍ତ୍ର ଦିବସରେ ଏକ ଟ୍ରାକ୍ଟର ର‌୍ୟାଲି କରିଥିଲେ । ଗୋଟିଏ କୃଷକ ଦଳ ସରକାରି ସ୍ୱିକୃତି ବିରୁଦ୍ଧରେ ଯାଇ ଲାଲକିଲ୍ଲା ଠାରେ ଲଙ୍କାକାଣ୍ଡ ଭିଆଇଥିଲ।। ତେବେ ଏଠି କିଛି ପ୍ରଶ୍ନ ସମସ୍ତ ଘଟଣାଚକ୍ରକୁ ଲୋକ ସମ୍ମୁଖରେ ଖୋଲି ଦେବ ବୋଲି କହିବା ସହ ଶ୍ରୀ ମିଶ୍ର କିଛି ପ୍ରଶ୍ନ ଗଣମାଧ୍ୟମ ସାମନାରେ ରଖିଥିଲେ । ପ୍ରଥମତଃ ସମସ୍ତ ସୁରକ୍ଷା ଏଜେନ୍ସି ଥିବା ସତ୍ୱେ ଗଣତନ୍ତ୍ର ଦୀବସ ଭଳି ଅତି ସମ୍ବେଦନଶୀଳ ଦିନ ଦେଶର ରାଜଧାନୀ ଦିଲ୍ଲୀର ସୁରକ୍ଷା ଏତେ ଢିଲା କିପରି ମାରିଲା । ଏହା ପୁଲବାମା ର ପୁନରାବୃତ୍ତି ଭଳି ଲାଗୁ ନାହିଁ କି ? ପୋଲିସ ଗୋଟିଏ ପଟେ ଗାଜୀପୁର ଟୋଲ ଠାରେ ନିରିହ କୃଷକମାନଙ୍କ ଉପରେ ଅତ୍ୟାଚାର କରୁଥିବା ଦୃଶ୍ୟ ହେଉଥିବା ବେଳେ ଅବଶ୍ୟକ ସ୍ଥଳେ ଲାଲକିଲ୍ଲାରେ ଫେରାର ମାରିଲା କିପରି ? କୃଷକମାନେ ଯଦି ପ୍ରକୃତରେ ଦେଶଦ୍ରୋହୀ ଓ ଖାଲିସ୍ଥାନୀ ତେବେ ସରକାର ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ବାର ବାର ଥର ଆଲୋଚନା କଲେ କିପରି ? ଲାଲକୀଲ୍ଲା ଠାରେ ଜାତୀୟ ପତାକାକୁ ଅସମ୍ମାନ କରିଥିବା କୃଷକଦଳର ନେତା ଦୀପ ସନ୍ଧୁଙ୍କ ସହିତ ଦେଶର ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ସାଂସଦ କଣ କରୁଛନ୍ତି ? ସ୍ୱାଧିନତା ପରେ ଦିର୍ଘ ୫୨ ବର୍ଷକାଳ ଜାତୀୟ ପତାକାକୁ ଅସମ୍ମାନ କରିଥିବା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘକୁ ମଧ୍ୟ ଦେଶଦ୍ରୋହୀ କୁହାଯିବ କି ? କୃଷକମାନେ ଯଦି ଦେଶଦ୍ରୋହୀ ଦେଶର ରାଜଧାନୀ ଦିଲ୍ଲୀରେ ବାରମ୍ବାର ଏଭଳି ଲୋମହର୍ଷଣକାରୀ ଘଟଣା ପାଇଁ ଦେଶର ଗୃହମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଦାୟୀ ନୁହନ୍ତି କି ? ଏ ସବୁ ପ୍ରଶ୍ନ ଓ ଏହାର ଉତ୍ତର ଅନାୟାଶରେ ସଂପୁର୍ଣ୍ଣ ଘଟଣା ଏବଂ ପର୍ଦ୍ଦା ଫଛର ରହସ୍ୟକୁ ସର୍ବସମ୍ମୁଖକୁ ଆଣୁଛି । ତେଣୁ ବିଜେପି ଓ ଏହାର ସମର୍ଥକ ଦଳମାନେ ଓଲୋଟା ଚିତ୍କାର କରି ଲୋକଙ୍କୁ କେବଳ ଭ୍ରମିତ କରିବା ସହ ନିଜର ନିର୍ଲଜତା ର ପରିଚୟ ଦେଉଛନ୍ତି ବୋଲି କିଷାନ କଂଗ୍ରେସର ଅଧ୍ୟକ୍ଷ ସାନନ୍ଦ ବିଷୋଦଗାର କରିଛନ୍ତି । ଅପରପକ୍ଷରେ ଆଜି କେଶରୀୟା ହିନ୍ଦୁ ବାହିନୀ ତରଫରୁ ଜାତୀୟ ପତାକା ସମ୍ମାନ ରକ୍ଷା ଶୋଭାଯାତ୍ରା କରାଯାଇଛି ।ଗତ ଗଣତନ୍ତ୍ର ଦିବସ ଦିନ ଚାଷୀ ଆନ୍ଦୋଳନ ସମୟରେ ଖାଲିସ୍ଥାନୀ ମାନେ ଭାରତର ଗୌରବ ଲାଲକିଲ୍ଲାରେ ଜାତୀୟ ପତାକାକୁ ଅସମ୍ମାନ କରି ଦେଶ ବିରୋଧୀ କାର୍ଯ୍ୟକ୍ରମ କରିଥିଲେ । ଏହାର ପ୍ରତିବାଦ ସ୍ୱରୂପ ବଲାଙ୍ଗୀର ଜିଲ୍ଳା କେଶରୀୟା ହିନ୍ଦୁ ବାହିନୀ ତରଫରୁ ଏହି ବିକ୍ଷୋଭ ଶୋଭାଯାତ୍ରା କରାଯାଇଥିବା ପ୍ରଦେଶ ମହାମନ୍ତ୍ରୀ ସନ୍ତୋଷ ଭୋଳ କହିଛନ୍ତି । ଆଜି ସକାଳୁ ବାହିନୀର ସଭ୍ୟମାନେ କଚେରୀ ଛକ ଠାରେ ପହଂଚି ଖଲିସ୍ତାନୀଙ୍କ ବିରୋଧରେ ଓ ଦେଶଦ୍ରୋହୀ କାର୍ଯ୍ୟକ୍ରମରେ ଲିପ୍ତ ଥିବା କିଛି ରାଜନେତା ମାନଙ୍କ ବିରୋଧରେ ବିକ୍ଷୋଭ କରି ଦୋଷୀ ମାନଙ୍କୁ ଦେଶ ଦ୍ରୋହୀ ଘୋଷଣା କରି ଦଣ୍ଡିତ କରିବା ପାଇଁ ଜିଲ୍ଲାପାଳଙ୍କ ମାଧ୍ୟମରେ ଗୃହମନ୍ତ୍ରୀ ଅମିତ ଶାହା ଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ । ପ୍ରଦେଶ ମହାମନ୍ତ୍ରୀ ଶ୍ରୀ ସନ୍ତୋଷ କୁମାର ଭୋଳଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ପ୍ରଦୀପ କୁମାର ତ୍ରିପାଠୀ, ଜିଲ୍ଳା ବରିଷ୍ଠ ଉପାଧ୍ୟକ୍ଷ ଶଙ୍କର୍ଷଣ ଆଚାର୍ଯ୍ୟ,ଜିଲ୍ଲା ମହାସଚିବ ସୁନୀଲ ମିଶ୍ର,ଲୋଇସିଂହା ବ୍ଲକ ସଭାପତି ବୀରେନ୍ଦ୍ର ବାରିକ,ପାଟଣାଗଡ ବ୍ଲକ ସଭାପତି ସୁବ୍ରତ କୁଅଁର ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking