33.1 C
Bhubaneswar
Tuesday, April 30, 2024
Homeଓଡିଶାକରୋନାର କରୁଣ ଚିତ୍ର; ଚଉକି ଓ ଷ୍ଟ୍ରେଚରରେ ଚିକିତ୍ସା, ଶଯ୍ୟା ଅଭାବରୁ ତଳେ ଶୋଉଛନ୍ତି ରୋଗୀ

କରୋନାର କରୁଣ ଚିତ୍ର; ଚଉକି ଓ ଷ୍ଟ୍ରେଚରରେ ଚିକିତ୍ସା, ଶଯ୍ୟା ଅଭାବରୁ ତଳେ ଶୋଉଛନ୍ତି ରୋଗୀ

ସଇଁନ୍ତଳା : ବଲାଙ୍ଗିର ଜିଲ୍ଲାରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ ସଂଖ୍ୟା । ଗାଁ’ରୁ ସହର ସବୁଠି ଏବେ ଲୋକେ ଆତଙ୍କ । କାରଣ ଜିଲ୍ଲାରେ ପାଖାପାଖି ହଜାରେରୁ ଊର୍ଦ୍ଧ୍ୱ ସକ୍ରିୟ ସଂକ୍ରମିତ । ପ୍ରତିଦିନ ଜଣେ ଦୁଇଜଣଙ୍କର କରୋନାରେ ମୃତ୍ୟୁ ହେଉଥିବା ଖବର ଆସୁଛି । ସଂକ୍ରମଣ ବଢୁଥିବାରୁ ଡାକ୍ତରଖାନାରେ ଶଯ୍ୟା ନାହିଁ । ସୁବିଧା ସୁଯୋଗ ପର୍ଯ୍ୟାପ୍ତ ନଥିବାରୁ ରାଜଧାନୀମୁହାଁ ଥିଲାବାଲା । ନ ଥିଲାବାଲା ଡାକ୍ତରଖାନାରେ ପଡ଼ି ଛଟପଟ ହେଉଛନ୍ତି । କାରଣ ଡାକ୍ତରଖାନାରେ ଶଯ୍ୟା ଅଭାବରୁ କିଏ ବାରଣ୍ଡାରେ ତ ଆଉ କିଏ ଚଉକି ଉପରେ ବସି ଅକ୍ସିଜେନ ନେଉଛନ୍ତି ଗୁରୁତର ରୋଗୀ । ଷ୍ଟ୍ରେଚର ଉପରେ ଘଣ୍ଟା ଘଣ୍ଟା ଧରି ବାହାରେ ଅପେକ୍ଷା କରିବାକୁ ପଡୁଛି ।
ବଲାଙ୍ଗିର ଜିଲ୍ଲା ତଥା ଆଖପାଖ ମେଡିକାଲ ହବ୍ ହେଉଛି ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା । ଏବେ ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲରେ କରୋନା ରୋଗୀଙ୍କ ଭିଡ଼ । କିନ୍ତୁ ରୋଗୀଙ୍କ ପାଇଁ ଗୋଟିଏ ଆଇସିୟୁ ଏବଂ ଆଉ ଗୋଟିଏ ଆଇସୋଲେସନ ୱାର୍ଡ ରହିଛି । ଶଯ୍ୟା ସଂଖ୍ୟା ସମୁଦ୍ରକୁ ଶଙ୍ଖେ । ତାହା ଶହେରୁ ବି କମ୍ । ଆଇସିୟୁ ଓ ସାଧାରଣ ଶଯ୍ୟା ମିଶି ସମୁଦାୟ ୫୦ଟି । ହେଲେ ରୋଗୀ ଭର୍ତ୍ତି ସଂଖ୍ୟା ଦୁଇଗୁଣା । ଏପଟେ ଜିଲ୍ଲାରେ ହୁ ହୁ ହୋଇ ବଢୁଛି କରୋନା ରୋଗୀଙ୍କ ସଂଖ୍ୟା । ଗୁରୁତର ରୋଗୀଙ୍କ ଅବସ୍ଥା ନକହିଲେ ଭଲ । ଆଇସୋଲେସନ ୱାର୍ଡ ଭିତରେ ଗୁରୁତର ରୋଗୀ ତଳେ ଶୋଇଛନ୍ତି । ଏଭଳି ଦୃଶ୍ୟ ସବୁ ୱାର୍ଡ ଭିତରୁ ମୋବାଇଲ କ୍ୟାମେରାରେ କଏଦ ହୋଇ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଡାକ୍ତରଖାନାରେ କରୋନା ରୋଗୀ କେମିତି ଦହଗଞ୍ଜ ହେଉଛନ୍ତି ତାହା ଜଳଜଳ ହୋଇ ଜଣାପଡ଼ିଛି । ଶଯ୍ୟା ଅଭାବରୁ ଜଣେ ଗୁରୁତର କରୋନା ରୋଗୀ ଆଇସୋଲେସନ ୱାର୍ଡ ବାହାରେ ଚଉକିରେ ବସିଛନ୍ତି । ହାତରେ ସାଲାଇନ ବି ଲାଗିଛି । ଅକ୍ସିଜେନ ଅଭାବରୁ ନାକରେ ଏନ୍‌.ଆଇ.ଭି ଲଗାଯାଇ ଅକ୍ସିଜେନ ଦିଆଯାଉଛି । ପୂରା ଚିକିତ୍ସା ଚାଲିଛି ଚଉକି ଉପରେ । ସେହିପରି ଆଉ ଜଣେ ଶୋଇରହିଛନ୍ତି ଗୁରୁତର ରୋଗୀ ଷ୍ଟ୍ରେଚର ଉପରେ ଚିକିତ୍ସିତ ହେଉଥିଲେ । କରୋନା ସଂକ୍ରମିତ ହୋଇଥିଲେ ବି ସବୁକିଛି କରୁଥିଲେ ଜଣେ ରୋଗୀ ସମ୍ପର୍କୀୟ । ଆଇସୋଲେସନ ୱାର୍ଡ ଆଗରେ ଚଉକିରେ ବସି ଚିକିତ୍ସା ପାଇଁ ଶଯ୍ୟାଟିଏ ପାଇଁ ଅପେକ୍ଷା କରିଛନ୍ତି ଜଣେ ଗୁରୁତର କରୋନା ରୋଗୀ । ଏପରି ଭାବରେ ହସ୍‌ପିଟାଲର କରୁଣ ଦୃଶ୍ୟ ସାମ୍ନାକୁ ଆସିଛି । ସେହିପରି ଅନେକ ସମୟ ଧରି ଅକ୍ସିଜେନ ସୁବିଧା ଥିବା ଆମ୍ବୁଲାନସ ନ ପହଞ୍ଚିବାରୁ ନିଜ ଗାଡ଼ିରେ ଅକ୍ସିଜେନ ସିଲିଣ୍ଡର ସହିତ ହସ୍‌ପିଟାଲ୍ ପହଞ୍ଚିଥିଲେ ଜଣେ ବୟସ୍କ କରୋନା ରୋଗୀ । ଖାଲି ସେତିକି ନୁହେଁ, ଜଣେ ଗୁରୁତର କରୋନା ରୋଗୀଙ୍କୁ ଚିଠାରେ ବୁର୍ଲା ସ୍ଥାନାନ୍ତର କରିବାକୁ ଲେଖାହୋଇଥିବା ବେଳେ ତାଙ୍କୁ ଘରକୁ ଯିବା ପାଇଁ ପରାମର୍ଶ ଦେଇଥିଲେ ଡାକ୍ତର । ପରେ ଗୁରୁତର ହୋଇ ପୁଣି ହସପିଟାଲ ସେ ଫେରିଥିଲେ । ଘଟଣାକୁ ନେଇ କିଛି ସମୟ ଉତ୍ତେଜନା ବି ଡାକ୍ତରଖାନାରେ ଦେଖାଦେଇଥିଲା । ଆନୁଷଙ୍ଗିକ ସୁବିଧା ସୁଯୋଗଠାରୁ ଅଧିକ ରୋଗୀ ଆସୁଥିବାରୁ ଏବେ ବ୍ୟବସ୍ଥା ବଢ଼ିଚାଲିଛି । ପୂରା କରୋନା ଚିକିତ୍ସା ପ୍ରକ୍ରିୟାକୁ ଦେଖିଲେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସବୁଥିରେ ଫେଲ୍ ମାରୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଜିଲ୍ଲା ପ୍ରଶାସନ ବ୍ୟବସ୍ଥା ଅଛି ବୋଲି ଭାଷଣ ମାରୁଛନ୍ତି । କିନ୍ତୁ ବାସ୍ତବ ର ଚିତ୍ର ଦେଖିଲେ ଆଖିରୁ ଲୁହ ଝରିପଡ଼ିବ । ଲୋକେ ଏହି କରୋନା ମହାମାରୀରୁ କେମିତି କଲ ବଲ ହୋଇ ଦୁର୍ଦ୍ଦଶା ଭୋଗୁଛନ୍ତି ସେହି ରୋଗୀଙ୍କୁ ହିଁ ଜଣା । ଏବେ ଜିଲ୍ଲାରେ କରୋନା ଆକ୍ରାନ୍ତରେ ଦିନକୁ ଦିନ ଲୋକେ ମୃତ୍ୟୁବରଣ କରୁଛନ୍ତି । ହେଲେ ଜିଲ୍ଲା ପ୍ରଶାସନ ପାଖରେ ହିସାବ ଥିଲେ ମଧ୍ୟ ତାହା ଲୋକ ଲୋଚନକୁ ଆଣୁନାହିଁ । ଏବେ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking