29.1 C
Bhubaneswar
Saturday, April 27, 2024
Homeଓଡିଶାଜାନୁୟାରୀ ୮ ତାରିଖ ବଲାଙ୍ଗିର ବନ୍ଦ : ଶ୍ରମିକ ସଂଗଠନମାନଙ୍କର ମିଳିତ ଡାକରା

ଜାନୁୟାରୀ ୮ ତାରିଖ ବଲାଙ୍ଗିର ବନ୍ଦ : ଶ୍ରମିକ ସଂଗଠନମାନଙ୍କର ମିଳିତ ଡାକରା

ବଲାଙ୍ଗିର(ଦେବାଶିଷ ମିଶ୍ର)- ୧୨ଦଫା ଦାବିକୁ ନେଇ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଦେଶର ସମସ୍ତ ଶ୍ରମିକ ସଂଗଠନ ତଥା ରାଜ୍ୟ ଓ କେନ୍ଦ୍ର ସରକାରରେ କାମ କରୁଥିବା କର୍ମଚାରୀ ଶ୍ରମିକ ସଂଗଠନମାନେ ଆଗାମୀ ୮ ତାରିଖ ଦିନ ସର୍ବଭାରତୀୟ ଧର୍ମଘଟ ଡାକରା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିରରେ ଅବସ୍ଥିତ ସମସ୍ତ କେନ୍ଦ୍ରିୟ ତଥା ସ୍ଥାନିୟ ସଂଗଠନ ୮ ତାରିଖ ବନ୍ଦକୁ ବଲାଙ୍ଗିରରେ ସମ୍ପୁର୍ଣ୍ଣ ସଫଳ କରିବା ପାଇଁ ପଥପ୍ରାନ୍ତ ସଭା ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ସହ ବଲାଙ୍ଗିର ବନ୍ଦକୁ ସଫଳ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ ।
ଦରଦାମ ବୃଦ୍ଧି ରୋକିବା, କଂପାନୀ ମାଲିକଙ୍କ ସ୍ୱାର୍ଥରେ ଶ୍ରମ ଆଇନ ସଂଶୋଧନକୁ ବନ୍ଦ କରିବା, ନିଯୁକ୍ତି ଓ ସାମାଜିକ ସୁରକ୍ଷା ଦାବି ସର୍ବନିମ୍ନ ମଜୁରି ଦାବି, ବୀମା, ପ୍ରତିରକ୍ଷା, ସରକାରୀ ଔଷଧ ଉଦ୍ୟୋଗ, ରେଳ,ବିଜୁଳି କ୍ଷେତ୍ରରେ ଘରୋଇକରଣ, ସମାନ କାମକୁ ସମାନ ଦରମା, କୃଷି କ୍ଷେତ୍ରରେ ସ୍ୱାମୀନାଥନ କମିଟି ଲାଗୁ କରିବା, ଶ୍ରମିକ ସଂଗଠନକୁ ସ୍ୱିକୃତି ଦେବା, ପରିବହନ ସଂକ୍ରାନ୍ତିୟ ସମସ୍ତ ନୂତନ ଆଇନକୁ ଫେରସ୍ତ ନେବା, ବ୍ୟାପକ ନିଯୁକ୍ତି ସୃଷ୍ଟି କରିବା ଇତ୍ୟାଦି ବିଭିନ୍ନ ଦାବି କରାଯାଇଛି । ଅଶ୍ରୁ ସଭାପତି ଦେବାଶିଷ ମିଶ୍ରଙ୍କ ସଭାପତିତ୍ୱରେ ତଥା ଜିଲ୍ଲା ସଂପାଦକ ସୁରୁଲାଲ ମଟାରୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଥିବା ପଥପ୍ରାନ୍ତ ସଭାରେ କେନ୍ଦ୍ର ସରକାରଙ୍କର ଶ୍ରମିକ ମାରଣ ନୀତି ବିରୁଦ୍ଧରେ ବକ୍ତାମାନେ ବିଷୋଦଗାର କରିଥିଲେ । ନିଖିଳ ଓଡିଶା ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ମହାସଂଘ ରାଜ୍ୟ ସଂପାଦକ ସାଥୀ ପୁଲିନ ମିଶ୍ର ନିଜ ବକ୍ତବ୍ୟରେ ସଂପ୍ରତି ଚାଲିଥିବା ନାଗରିକ ସଂଶୋଧନ ଆଇନ, ଜାତୀୟ ନାଗରିକ ପଞ୍ଜିକରଣ ନୀତି ବିରୁଦ୍ଧରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଥିଲେ ବର୍ତ୍ତମାନର ମୋଦି ସରକାର ଦେଶର ସମ୍ବିଧାନକୁ ମାନିବାକୁ ନାରାଜ, ଗଣତାନ୍ତ୍ରିକ ଉପାୟରେ ସରକାରର ମନୋମୁଖି କାରବାର ବିରୁଦ୍ଧରେ ଛାତ୍ର ଯୁବକମାନେ ଆନ୍ଦୋଳନ କରୁଥିବା ବେଳେ ତାଙ୍କ ଉପରେ ପୋଲିସ ଓ ଗୁଣ୍ଡା ଲଗାଇ ଅତ୍ୟାଚାର କରୁଛନ୍ତି । ସମ୍ବଲପୁର ଡିଭିଜନ ବୀମା ଅଭିକର୍ତ୍ତା ସଂଘର ଜିଲ୍ଲା ସଭାପତି ଅସୀମ କୁମାର ପଟ୍ଟନାୟକ, ଆଇଏନ୍‌ଟିୟୁସିର ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ସାହୁ, ସିଆଇଟିୟୁର ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଅନିରୁଦ୍ଧ ମହାପାତ୍ର, ୟୁଟିୟୁବି ର ଜିଲ୍ଲା ସଭାପତି ବିଭୁଦତ୍ତ ମିଶ୍ର, ଏଆଇଟିୟୁସିର ଜିଲ୍ଲା ସଭାପତି ଦେବାଶିଷ ବାବୁ, ହିରାଖଣ୍ଡ ବିଜୁଳି କର୍ମଚାରୀ ସଂଘ, ଜିଲ୍ଲା ଉପ-ସଭାପତି ପବିତ୍ର ଖୁଣ୍ଟିଆ ସରକାରର ବୀମା କ୍ଷେତ୍ର, ପ୍ରତିରକ୍ଷା, ବିଜୁଳି, ରେଳ କ୍ଷେତ୍ରରେ ଘରୋଇକରଣକୁ ନେଇ ସରକାରଙ୍କ ଉପରେ ବର୍ଷିଥିଲେ । ବକ୍ତାମାନେ ଆଗାମୀ ୮ ତାରିଖ ଦିନ ଦେଶ ତଥା ବଲାଙ୍ଗିରର ଛାତ୍ର, ଯୁବକ, ମହିଳା, କୃଷକ ଶ୍ରମିକମାନଙ୍କର ସ୍ୱାର୍ଥ ରକ୍ଷା ପାଇଁ କରାଯାଉଥିବା ବନ୍ଦ ପାଳନକୁ ସମସ୍ତ ଜନସାଧାରଣ ସମର୍ଥନ କରି ବଲାଙ୍ଗିରକୁ ସମ୍ପୁର୍ଣ୍ଣ ବନ୍ଦ କରିବା ପାଇଁ ସହଯୋଗ ମାଗିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking