25.1 C
Bhubaneswar
Thursday, May 9, 2024
Homeଓଡିଶାଦିଲ୍ଲୀର ହାଉଜଖାସ ଜଗନ୍ନାଥ ମନ୍ଦିରରେ ବାହୁଡା଼ ଯାତ୍ରା ସମ୍ପନ୍ନ

ଦିଲ୍ଲୀର ହାଉଜଖାସ ଜଗନ୍ନାଥ ମନ୍ଦିରରେ ବାହୁଡା଼ ଯାତ୍ରା ସମ୍ପନ୍ନ

ନୂଆଦିଲ୍ଲୀ :  ନୂଆଦିଲ୍ଲୀର ହାଉଜଖାସସ୍ଥିତ ଜାତୀୟ ରାଜଧାନୀ କ୍ଷେତ୍ରର ପ୍ରମୁଖ ଜଗନ୍ନାଥ ମନ୍ଦିରଠାରେ ୪୫ତମ ପବିତ୍ର ବାହୁଡା଼ ଯାତ୍ରା ପର୍ବ ଆଧ୍ୟାତ୍ମିକ ଉତ୍ସ୍ୱାସ ଓ ଭକ୍ତିପୂତ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବ ଉପଲକ୍ଷେ ବଢ଼ି ଭୋରରୁ ମୁଖ୍ୟ ମନ୍ଦିରର ବେସମେଣ୍ଟସ୍ଥିତ ଶ୍ରୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରୁଥିବା ଦୀଅଁ ମାନଙ୍କ ସାମ୍ନାରେ ପୂଜାର୍ଚ୍ଚନା ଓ ନୀତିକାନ୍ତି ଧାର୍ମିକ ବିଧି ମୁତାବକ ସମ୍ପନ୍ନ କରାଯାଇଥିଲା। ଏହା ପରେ ଦିନ ୪ଟା ବେଳେ ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଏବଂ ଶଙ୍ଖ ଧ୍ଵନି ତଥା ବାଦ୍ୟ, କୀର୍ତ୍ତନର ତାଳେ ତାଳେ ଚାରି ଠାକୁରଙ୍କୁ ପୂଜକ ଓ ଭକ୍ତ ମାନେ ଧାଡ଼ି ପହଣ୍ଡି କରି ମନ୍ଦିର ସାମ୍ନା ସ୍ଥିତ ବଡ଼ଦାଣ୍ଡରେ ଦଣ୍ଡାୟମାନ ଥିବା ସୁନ୍ଦର, ସୁଶୋଭିତ ରଥ ଉପରକୁ ନେଇଯାଇଥିଲେ। ଅପରାହ୍ନ ସାଢେ ୪ଟା ସମୟରେ ମୁଖ୍ୟ ଅତିଥି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ନ୍ୟାୟମୂର୍ତ୍ତି ଅରିଜିତ ପଶାୟତ ପାରମ୍ପାରିକ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ। ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବା ସଂଘର ସମ୍ପାଦକ ଓ ବିଶିଷ୍ଟ ସମାଜସେବୀ ରବୀନ୍ଦ୍ର ନାଥ ପ୍ରଧାନ ତାଙ୍କୁ ଏହି କାର୍ଯ୍ୟରେ ସହଯୋଗ କରିଥିଲେ। ଏହାପରେ ସନ୍ଧ୍ୟା ୫ଟା ବେଳେ ରଥଟଣାର ଶୁଭାରମ୍ଭ ହୋଇଥିଲା। ହାଉଜଖାସ ଭିଲେଜ ସ୍ଥିତ ଶ୍ରୀ ଜଗନ୍ନାଥ ମାର୍ଗରେ ଅରବିନ୍ଦ ପ୍ଲେସ ମାର୍କେଟ ପର୍ଯ୍ୟନ୍ତ ରଥଟିକୁ ଟଣାଯାଇ ପୁଣି ମନ୍ଦିର ବେଢ଼ା ନିକଟକୁ ଫେରାଇ ଅଣାଯାଇଥିଲା। ଦିଲ୍ଲୀର ରାଜ ରାସ୍ତାରେ ରାଜକୀୟ ରଥ ଉପରେ ପ୍ରବଳ ପ୍ରତାପୀ ଠାଣିରେ ଭଗବାନଙ୍କର ବାହୁଡ଼ାଯାତ୍ରା ଏବଂ ଜନଗହଳି ମଧ୍ୟରେ ଭକ୍ତ ଓ ଭଗବାନଙ୍କର ଅପୂର୍ବ ଚକ୍ଷୁ ମିଳନର ଦୃଶ୍ୟ ବେଶ୍ ହୃଦୟସ୍ପର୍ଶୀ ଥିଲା। ମନ୍ଦିର ଅଗଣାକୁ ଫେରିବା ପରେ ରଥ ଉପରେ ବିଦ୍ୟମାନ ଜଗତର ନାଥ ଶ୍ରୀ ଜଗନ୍ନାଥ, ବଡ଼ଭାଇ ଶ୍ରୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ପ୍ରଭୁ ସୁଦର୍ଶନ, ଭକ୍ତ ମାନଙ୍କୁ ଦିବ୍ୟ ଦର୍ଶନ ପ୍ରଦାନ କରିଥିଲେ। ବିଳମ୍ବିତ ରାତିରେ ପୁଣି ସାହିରୋଷଣୀ କରାଯାଇ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ରଥ ଉପରୁ ନିଆଯାଇ ନାଟ୍ୟ ମଣ୍ଡପଠାରେ ଆସୀନ କରାଯାଇଥିଲା। ମହାପ୍ରଭୁ ନାଟ୍ୟମଣ୍ଡପ ଠାରେ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଅବସ୍ଥାନ କରିବେ ବୋଲି ମନ୍ଦିର ପରିଚାଳନା କମିଟି ସୂତ୍ରରୁ ପ୍ରକାଶ। ବାହୁଡ଼ା ଯାତ୍ରାକୁ ଦକ୍ଷତାର ସହିତ ଆୟୋଜନ ଓ ସଫଳତାର ସହିତ ସମାପନ କରିବାରେ ମନ୍ଦିର ପରିଚାଳନା କମିଟିର ଉପଦେଷ୍ଟା ରବି ପାଣି, ଅବନୀ ସାହୁ, ଦୀପକ ରଥ, ସଭାପତି ବିଘ୍ନେଶ୍ୱର ରାଉତ, ସମ୍ପାଦକ ରବୀନ୍ଦ୍ର ନାଥ ପ୍ରଧାନ, ଅଭୟ ପ୍ରଧାନ, ଅଶୋକ ପ୍ରଧାନ (ଏ), କ୍ଷୀରୋଦ ପାତ୍ର, ଗଜେନ୍ଦ୍ର ସାମନ୍ତ, ଅଭିରାମ ସୁତାର, ଅଶୋକ ପ୍ରଧାନ (ବି), ଜୀତେନ୍ଦ୍ର ମହାପାତ୍ର, ଅଜୟ ପ୍ରଧାନ, ପଙ୍କଜ ମହାନ୍ତି, ନିଶିଦ୍ଧ କୁମାର ଦାଶ, ରଙ୍କନିଧି ସାହୁ, ବିଜୟ ସାହୁ, ଦିଲ୍ଲୀପ କୁମାର ସ୍ବାଇଁ, କିଶୋର ସାମଲ, ଅମୂଲ୍ୟ ଓଝା, ସୁକାନ୍ତ ସାହୁ ଏବଂ ମନ୍ଦିରର ପରିଚାଳକ ରଶ୍ମୀ ରଞ୍ଜନ ବେହେରା ତଥା ସହ ପରିଚାଳକ ଶଶିକାନ୍ତ ସାହୁ, ସଞ୍ଜୀବ ଜେନା ଏବଂ ମନ୍ଦିରର ପୂଜକ ସନାତନ ପାଢ଼ୀ, ଦେବବ୍ରତ ମିଶ୍ର, ଜଗବନ୍ଧୁ ଦାଶ, ପ୍ରେମାନନ୍ଦ ଶତପଥୀ, ସନ୍ତୋଷ ପଣ୍ଡା ଓ ପ୍ରଶାନ୍ତ ଦାଶ ପ୍ରମୁଖଙ୍କର ଭୂମିକା ଉଲ୍ଲେଖଯୋଗ୍ୟ ଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking