28.1 C
Bhubaneswar
Saturday, April 27, 2024
Homeଖେଳଅଷ୍ଟ୍ରେଲିଆନ୍ ଓପନ୍ : ଚତୁର୍ଥ ରାଉଣ୍ଡ୍‌ରେ ନାଡାଲ୍‌, ଜ୍ୱେରେଭ୍‌, ବାର୍ଟି, ଓସାକା ବାଦ୍‌

ଅଷ୍ଟ୍ରେଲିଆନ୍ ଓପନ୍ : ଚତୁର୍ଥ ରାଉଣ୍ଡ୍‌ରେ ନାଡାଲ୍‌, ଜ୍ୱେରେଭ୍‌, ବାର୍ଟି, ଓସାକା ବାଦ୍‌

ମେଲ୍‌ବର୍ଣ୍ଣ : ରେକର୍ଡ ୨୧ଶ ଗ୍ରାଣ୍ଡ୍‌ସ୍ଲାମ୍ ଲକ୍ଷ୍ୟରେ ଥିବା ସ୍ପେନ୍ ଟେନିସ୍ ଷ୍ଟାର୍ ରାଫେଲ୍ ନାଡାଲ୍ ଶୁକ୍ରବାର ଏକ ବିପର୍ଯ୍ୟୟର ବର୍ତ୍ତି ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ପୁରୁଷ ସିଙ୍ଗଲ୍ସର ଚତୁର୍ଥ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି । ଏହା ବ୍ୟତୀତ ଷଷ୍ଠ ସିଡ୍ ଜର୍ମାନୀ ଆଲେକଜାଣ୍ଡର୍ ଜ୍ୱେରେଭ୍‌, ବିଶ୍ୱର ଏକ ନମ୍ବର ମହିଳା ଖେଳାଳି ଆସ୍ ବାର୍ଟି, ବିଶ୍ୱ ନମ୍ବର ୬ ପାଉଲା ବାଡୋସା, ଫ୍ରେଞ୍ଚ୍ ଓପନ୍ ଚାମ୍ପିଅନ୍ ବିଶ୍ୱ ନମ୍ବର ୪ ବାର୍ବେରା କ୍ରେଜିକୋଭା ଓ ଭିକ୍ଟୋରିଆ ଆଜାରେଙ୍କା ମଧ୍ୟ ଚତୁର୍ଥ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି । ତେବେ ଡିଫେଣ୍ଡିଂ ଚାମ୍ପିଅନ୍ ଜାପାନର ନାଓମୀ ଓସାକା ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଟୁର୍ଣ୍ଣାମେଣ୍ଟ୍‌ରୁ ବାଦ୍ ପଡ଼ିଛନ୍ତି । ମହିଳା ସିଙ୍ଗଲ୍ସର ତୃତୀୟ ରାଉଣ୍ଡ୍ ମ୍ୟାଚ୍‌ରେ ଓସାକାଙ୍କୁ ଆମେରିକାର ୨୦ ବର୍ଷୀୟା ଅଣସିଡେଡ୍ ଖେଳାଳି ଆମଣ୍ଡା ଆନିସିିମୋଭା ୪-୬, ୬-୩, ୭-୬(୧୦-୫)ରେ ହରାଇ ଦେଇଛନ୍ତି । ବିଶ୍ୱର ୬୦ ର‌୍ୟାଙ୍କ୍‌ର ଖେଳାଳି ଆନିସିମୋଭା ଚତୁର୍ଥ ରାଉଣ୍ଡ୍‌ରେ ବାର୍ଟିଙ୍କୁ ଭେଟିବେ ।

ଶୁକ୍ରବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସର ଏକ ସଂଘର୍ଷପୂର୍ଣ୍ଣ ତୃତୀୟ ରାଉଣ୍ଡ୍ ମ୍ୟାଚ୍‌ରେ ଷଷ୍ଠ ସିଡ୍ ନାଡାଲ୍ ରୁଷିଆର କାରେନ୍ କାଚାନୋଭାଙ୍କ ବିପକ୍ଷରେ ୬-୩,୬-୨, ୩-୬, ୬-୧ରେ ବିଜୟୀ ହୋଇଛନ୍ତି । ପ୍ରଥମ ଦୁଇଟି ସେଟ୍‌ରେ ବିଜୟୀ ହେବା ପରେ ନାଡାଲ୍ ତୃତୀୟ ସେଟ୍‌ରେ କାଚାନୋଭାଙ୍କଠାରୁ ପରାଜିତ ହୋଇଥିଲେ । ଏହା ଚଳିତ ବର୍ଷରେ ତାଙ୍କର ସେଟ୍ ପରାଜୟ ଥିଲା । ଏହାପରେ ଜୋର୍‌ଦାର ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ସେଟ୍ ୬-୧ରେ ଜିତିବା ସହ ମ୍ୟାଚ୍ ହାତେଇ ଚତୁର୍ଥ ରାଉଣ୍ଡ୍‌ରେ ପ୍ରବେଶ କରିଥିଲେ ।   ପରବର୍ତ୍ତୀ ରାଉଣ୍ଡ୍‌ରେ ସେ ଅନ୍ୟ ଜଣେ ରୁଷୀୟ ଆସ୍‌ଲାନ୍ କାରାତ୍‌ସେଭ୍ କିମ୍ବା ଫ୍ରାନ୍ସର ଆଦ୍ରିଆନ୍ ମାନାରିନୋଙ୍କୁ ଭେଟିବେ ।

ଅନ୍ୟ ଏକ ପୁରୁଷ ସିଙ୍ଗଲ୍ସରେ ମ୍ୟାଚ୍‌ରେ ତୃତୀୟ ସିଡ୍ ଜ୍ୱେରେଭ୍ ୬-୩, ୬-୪, ୬-୪ ସିଧା ସେଟ୍‌ରେ ରାଡୁ ଆଲ୍‌ବଟ୍‌ଙ୍କୁ ହରାଇ ଦେଇଛନ୍ତି । ମହିଳା ସିଙ୍ଗଲ୍ସରେ ବିଶ୍ୱର ଏକ ନମ୍ବର ଖେଳାଳି ତଥା ଟପ୍ ସିଡ୍ ବାର୍ଟି ୬-୨, ୬-୩ ସିଧା ସେଟ୍‌ରେ କାମିଲା ଗିଓର୍ଗିଙ୍କୁ ହରାଇ ଚତୁର୍ଥ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି । ଚତୁର୍ଥ ରାଉଣ୍ଡ୍‌ରେ ସେ ଡିଫେଣ୍ଡିଂ ଚାମ୍ପିଅନ୍ ଓସାକାଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିବା ଆମଣ୍ଡା ଆନିସିିମୋଭାଙ୍କୁ ଭେଟିବେ । ଅନ୍ୟ ମ୍ୟାଚ୍‌ରେ ପାଉଲା ବାଡୋସା ଟିନ୍‌ଏଜର୍ ମାର୍ତା କୋତ୍ସ୍ୟୁଙ୍କ ବିପକ୍ଷରେ ୬-୨, ୫-୭,୬-୪ରେ ବିଜୟୀ ହୋଇଛନ୍ତି । ସେହିପରି ପ୍ରଥମ ସେଟ୍‌ରେ ପଛୁଆ ଥିବା ବାର୍ବୋରା କ୍ରେଜିକୋଭା ୨-୬, ୬-୪, ୬-୪ରେ ଜେଲେନା ଓସ୍ତାପେଙ୍କୋଙ୍କୁ ହରାଇ ଦେଇଛନ୍ତି ।

ଦୁଇଥରର ଚାମ୍ପିଅନ୍ ଭିକ୍ଟୋରିଆ ଆଜାରେଙ୍କା ୧୫ଶ ସିଡ୍ ଇଲିନା ସ୍ୱିତୋଲିନା ସିଧା ସେଟ୍‌ରେ ହରାଇ ଟୁର୍ଣ୍ଣାମେଣ୍ଟ୍‌ର ଚତୁର୍ଥ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି । ୨୦୧୨ ଓ ୨୦୧୩ରେ ମେଲ୍‌ବର୍ଣ୍ଣ ପାର୍କରେ ଟାଇଟଲ୍ ଜିତିଥିବା ଆଜାରେଙ୍କା ମ୍ୟାଚ୍‌କୁ ୬-୦, ୬-୨ରେ ଜିତି ନେଇଥିଲେ । ପରବର୍ତ୍ତୀ ମ୍ୟାଚ୍‌ରେ ତାଙ୍କ ମୁକାବିଲା କ୍ରେଜିକୋଭାଙ୍କ ସହ ହେବ । ଅନ୍ୟ ମ୍ୟାଚ୍‌ରେ ପଞ୍ଚମ ସିଡ୍ ମାରିଆ ସାକାରୀ ୨୮ତମ ସିଡ୍ ଭେରୋନିକା କୁଦେରମେତୋଭାଙ୍କୁ  ୬-୪, ୬-୧ରେ ଏବଂ ଜେସିକା ପେଗୁଲା ୭-୬(୩), ୬-୨ରେ ନୁରିଆ ପରିଜାସ୍ ଡିୟାଜ୍‌ଙ୍କୁ ହରାଇ ଚତୁର୍ଥ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking