28.1 C
Bhubaneswar
Saturday, April 27, 2024
Homeଓଡିଶାଚେଙ୍ଗିଲେ ଅପରାଜିତା, ରାଗିଲେ ଅଶୋକ

ଚେଙ୍ଗିଲେ ଅପରାଜିତା, ରାଗିଲେ ଅଶୋକ

ଭୁବନେଶ୍ୱର,(ଓଏନଏ) : ଭୁବନେଶ୍ୱର ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଉପରେ ରାଗିଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ଅପରାଜିତା ଏଭଳି କିଛି ବକ୍ତବ୍ୟ ରଖିଲେ, ଯାହାର ଉତ୍ତର ନଦେଇ କ୍ଷୋଭ ପ୍ରକାଶ କରିବାକୁ ପଛାଇ ନଥିଲେ ମନ୍ତ୍ରୀ । ଅବଶ୍ୟ କାର୍ଯ୍ୟକ୍ରମ ଭିନ୍ନ ଥିଲେ ବି ସେଠାରେ ରାଜନୈତିକ ଲଢେଇ ଦେଖାଦେଇଥିଲା । ମଂଚ ଉପରେ ଯେପରି ରାଜନୈତିକ ଲଢେଇ ଦେଖାଯାଇଥିଲା ମଂଚ ତଳେ ବି ବିଜେପି ବିଜେଡି କର୍ମୀଙ୍କ ଭିତରେ ସ୍ଲୋଗାନବାଜି ଓ ଠେଲାପେଲା ହେବାର ମଧ୍ୟ ଦେଖାଯାଇଥିଲା । ଯାହାକୁ ଦେଖି ମଂଚରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟାକ୍ଷ କରିବାକୁ ମଧ୍ୟ ପଛାଇନଥିଲେ । ଏହି ଘଟଣାକୁ ନେଇ ରାଜ୍ୟର ରାଜନିତୀରେ ଏବେ ବେଶ ଚର୍ଚ୍ଚା ହେଉଛି । ଧର୍ମେନ୍ଦ୍ରଙ୍କ କଟାକ୍ଷ କାହା ଉଦ୍ଦେଶ୍ୟରେ ତାକୁ ନେଇ ଅଧିକ ଚର୍ଚ୍ଚା ହେଉଛି । ବିନ୍ଦୁ ସାଗର ଜଳକୁ ସ୍ୱଚ୍ଛ କରିବା ପାଇଁ ଏକ ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ଉଦ୍ୟୋଗ ଆଇଓସିଏଲ ସହାୟତାରେ କରାଯାଉଛି । ଆଜି ଏହି କାର୍ଯ୍ୟକ୍ରମ ଉଦଘାଟନ ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ଭୁବନେଶ୍ୱର ଏକାମ୍ର ଅଂଚଳର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ଅନ୍ୟ ଅତିଥିମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଉଦବୋଧନ ଦେବା ବେଳେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ରାଜ୍ୟ ସରକାର କେବଳ ଖାଲି କଥାରେ ରହୁଛନ୍ତି । କାର୍ଯ୍ୟରେ ଦେଖାନାହିଁ । ଅନେକ ଘୋଷଣା କରୁଛନ୍ତି, ସେ ସବୁକୁ ପୂରଣ କରୁ ନାହାନ୍ତି । ସେ ଏକ ବାର୍ତ୍ତା ଦେଇଥିଲେ ଯେ, ରାଜ୍ୟ ସରକାର କେବଳ ଫମ୍ପା ଘୋଷଣା କରନ୍ତି । ବାସ୍ତବରେ କିଛି କରନ୍ତି ନାହିଁ । କିନ୍ତୁ କେନ୍ଦ୍ର ସରକାର ଯାହା କରନ୍ତି ତାହା କାର୍ଯ୍ୟରେ କରି ଦେଖାନ୍ତି । ଏହି ସଭାରେ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ନ୍ୟୁନ କରିବା ଉଦ୍ଦେଶ୍ୟରେ ଅପରାଜିତା ବାଣ ମାରିଥିବା କୁହାଯାଉଛି । ଅପରାଜିତା କହିଥିଲେ ଯେ, ‘‘ବହୁ ପୁରୁଣା ସ୍ୱପ୍ନ ଆଜି ପୂରଣ ହେବାକୁ ଯାଉଛି । ଏକାମ୍ର କ୍ଷେତ୍ରରେ କେତେଟା ଜଳାଶୟ ରହିଛି ତାହା ଆମେ ସମସ୍ତେ ଜାଣିଛୁ । ଯାହାର ପୁନରୁଦ୍ଧାର ଦରକାର ଥିଲା । ଆଶ୍ୱାସନା ଦିଆହେଉଥିଲା ଓ କୁହାଯାଉଥିଲା । କିନ୍ତୁ କାର୍ଯ୍ୟ କ୍ଷେତ୍ରରେ ଦିଶୁନଥିଲା । କୁହାଯାଉଛି ଏତେ ଟଙ୍କା ଖର୍ଚ୍ଚ ହେଲା । ଏହି ବର୍ଷରେ ଖର୍ଚ୍ଚ ହେଲା । ୫ ବର୍ଷ ତଳେ ଖର୍ଚ୍ଚ ହେଲା କି ୧୦ ବର୍ଷ ତଳେ ଖର୍ଚ୍ଚ ହେଲା । କିନ୍ତୁ ଦିଶୁନଥିଲା । ବର୍ତମାନ ମୁଁ ଧନ୍ୟବାଦ ଦେବାକୁ ଚାହେଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓ ଆଇଓସିଏଲକୁ । ୭୦ ଲକ୍ଷ ଟଙ୍କାର କାମ ବିନ୍ଦୁ ସାଗରରେ ଆରମ୍ଭ ହେବାକୁ ଯାଉଛି । ଆଉ ୪ଟି ଜଳାଶୟର କାମ ମଧ୍ୟ ଆଇଓସିଏଲର ସହାୟତାରେ କରାଯିବ । କେଦାରଗୌରୀ ଜଳାଶୟର ଅବସ୍ଥା ଶୋଚନୀୟ, ଦେବୀ ପାଦଧରା ଜଳାଶୟର ଅବସ୍ଥା ବି ଶୋଚନୀୟ । ପାପନାଶିନୀରେ ବି ସେହି ଅବସ୍ଥା । ବିନ୍ଦୁସାଗରର ସ୍ୱଚ୍ଛତାର କାର୍ଯ୍ୟ ୪ ମାସରେ ସରିବ । ଯେଉଁ କାମ ଆମେ ହାତକୁ ନବା ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ସାରିବା । ଖାଲି କହିଲେ କି ଆଶ୍ୱାସନା ଦେଲେ ହେବନି ଆମେ ଦେଖିବା ଦରକାର’’ ।
          ଅପରାଜିତାଙ୍କ ଏହି ବାଣ ଶୁଣିଲା ପରେ ପେଡି ଖୋଲିଦେଲେ ସାପ ଯେମିତି ଫଁ କରେ ସେହିଭଳି ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ପାଳି ଯେତେବେଳେ ପଡିଲା ସେ ଆଉ ଛାଡିଲେ ନାହିଁ । କେନ୍ଦ୍ର ସରକାରଙ୍କ ଅବହେଳା ଏବଂ କେନ୍ଦ୍ର ସରକାର କିପରି ଅତୀତରେ ଘୋଷଣା କରି ଅର୍ଥ ନଦେଇ ପଛଘୁଂଚା ଦେଇଛନ୍ତି ତାର ହିସାବ ଦେଇ ପାଲଟା ମାଡ କରିବାକୁ ପଛାଇ ନଥିଲେ । କହିଲା ବେଳେ ଅଶୋକଙ୍କ ସ୍ୱରରୁ ସ୍ପଷ୍ଟ ବାରି ହୋଇପଡୁଥିଲା ସେ କେତେ ଉତକ୍ଷିପ୍ତ ଅପରାଜିତାଙ୍କ ମନ୍ତବ୍ୟକୁ ନେଇ । ପୂର୍ବରୁ ଯେପରି ଶ୍ରୀ ପଣ୍ଡା ପ୍ରସ୍ତୁତ ହୋଇ ଆସିଥିଲେ । ଅପରାଜିତାଙ୍କର ଗୋଟି ଗୋଟି ଆକ୍ଷେପର କଡା ଉତ୍ତର ମଧ୍ୟ ଦେଇଥିଲେ । ପ୍ରଥମେ ଅପରାଜିତାଙ୍କୁ ଶ୍ରୀ ପଣ୍ଡା ଆକ୍ଷେପ କରି କହିଥିଲେ ‘‘୪ ମାସ ନୁହେଁ ୪ ସପ୍ତାହରେ ଭିତରେ କାର୍ଯ୍ୟ କରାଯିବ । ମୁଖ୍ୟମନ୍ତ୍ରୀ ପର୍ଯ୍ୟଟନ ବିଭାଗରୁ ୬ କୋଟି ଟଙ୍କା ଦେଇଥିଲେ । ସେଥିରୁ ୩ କୋଟି ଟଙ୍କା ଖର୍ଚ୍ଚ ହୋଇ ଭୂଆସୁଣି ମନ୍ଦିର ଯାଏଁ ପାଇପ ବିଛା ହୋଇଛି । ଆଉ ୩ କୋଟି ଟଙ୍କାର କାମ ଦୟାନଦୀରୁ ପାଣି ଆସି ମାର୍କେଟ କମ୍ପେ୍ଲକ୍ସରେ ପକାଇବା ପାଇଁ ବ୍ୟବସ୍ଥା ହୋଇସାରିଛି । ସେହି ପାଣିରେ ଏହି ବିନ୍ଦୁସାଗର ପାଣିର ସ୍ୱଚ୍ଛତା କରାଯିବ । ଏହା ସାଂସଦ ଜାଣିବା ଉଚିତ । ଯେଉଁ କେଦାରଗୌରୀ କଥା କହୁଥିଲେ, କେଦାରଗୌରୀ ପାଇଁ କଲଭର୍ଟ କରିବା ଲାଗି ୯୩ ଲକ୍ଷ ଟଙ୍କାର କାମ ପାଇଁ ଟେଣ୍ଡର ସରିଗଲାଣି । ଗୋଦାବରୀ କୁଣ୍ଡ, କୋଟିତୀର୍ଥ ପୋଖରୀ, ଗଙ୍ଗାଯମୁନା, ଦେବୀପାଦହରା , ପାପନାଶିନୀ ଓ କେଦାରଗୌରୀ ସବୁ ଯେଉଁ ସ୍ୱତନ୍ତ୍ର ଲିଙ୍ଗରାଜ ଆଇନ କରାଯାଇଛି ସେଥିରେ ଏସବୁର ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ବ୍ୟବସ୍ଥା କରିଛନ୍ତି । ବିନ୍ଦୁ ସାଗର ଚତଃୁପାଶ୍ୱର୍ରେ ଯେଉଁ ଘାଟ ହୋଇଛି ସସବୁ ମୁଖ୍ୟମନ୍ତ୍ରୀଙ୍କ ଅବଦାନ । ଏକାମ୍ର ବନ ବି ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ହୋଇଛି । ବିନ୍ଦୁସାଗରରେ ଲାଇଟ ଆଣ୍ଡ ସାଉଣ୍ଡ ମୁଖ୍ୟମନ୍ତ୍ରୀ କରିଛନ୍ତି । ଲିଙ୍ଗରାଜ ଐ୍ୟତିହ ହାଟ ବି ମୁଖ୍ୟମନ୍ତ୍ରୀଙ୍କ ଅବଦାନ । ନୂଆ ମାର୍କେଟ ଓ ନୂଆ ରାସ୍ତା ହୋଇଛି ତାକୁ ସାସଂଦ ଦେଖିଥିବେ, ଏସବୁ ମୁଖ୍ୟମନ୍ତ୍ରୀଙ୍କ ଅବଦାନ । ରଥ ରୋଡର ଆଲୋକୀକରଣ, ଭୂତଳ କେବଲିଂ କରାଯାଇଛି । କେନ୍ଦ୍ର ସରକାର ୬ କୋଟି ଟଙ୍କା ଦେବେ ବୋଲି କହିଥିଲେ । ୫ କୋଟି ଦେଲେ ନାହିଁ । ମୁଖ୍ୟମନ୍ତ୍ରୀ ରାଜ୍ୟ ଯୋଜନାରୁ ସେହି ୫ କୋଟି ଟଙ୍କା ଭରଣା କରି ଧଉଳିର ବିକାଶ କଲେ । ଧଉଳି ରୋପ ୱେ ପାଇଁ ମୁଖ୍ୟମନ୍ତ୍ରୀ ୧୬ କୋଟି ଟଙ୍କା ମଂଜୁର କରିଛନ୍ତି । କୋଣାର୍କ ପାଇଁ ୬ କୋଟି ଟଙ୍କା ଦେବେ ବୋଲି କହିଥିଲେ । କୋଟିଏ ଟଙ୍କା ନେଇଗଲେ’ା ଏହିପରି କେନ୍ଦ୍ରୀୟ ଅବହେଳା ଓ ରାଜ୍ୟର ଅବଦାନ ବିଷୟ ଉଲ୍ଲେଖ କରି ସେ ବର୍ଷିଥିଲେ । ପୂର୍ବରୁ ଯେପରି ଅପରାଜିତା କହିଲା ବେଳେ ଉପସ୍ଥିତ ବିଜେପି କର୍ମୀ ଓ ସମର୍ଥକମାନେ ପାଟିତୁଣ୍ଡ କରୁଥିଲେ, ଶ୍ରୀପଣ୍ଡା କହିଲା ବେଳେ ବିଜେଡି କର୍ମୀମାନେ ବି ଚୁପ ନ ରହି ପାଟିତୁଣ୍ଡ କଲେ । ଫଳରେ ଉଭୟ ଦଳର ସମର୍ଥକଙ୍କ ମଧ୍ୟରେ ସ୍ଳୋଗାନ ଜୋରଦାର ଚାଲିଲା । ପରିସ୍ଥିତି ଏପରି ହେଲା ଯେ କିଛି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ଦେଖାଦେଇଥିଲା ।
             ଏହାକୁ ଦେଖି ଯେତେବଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଳି ପଡିଲା ସେ ଆଉ ଏ ରାଜନୀତି ଭିତରକୁ ନ ପଶି ତେର୍ଚ୍ଛା ବାଣ ମାରିଲେ । ସେ କହିଲେ, ‘ମ୍ୟୁନିସପାଲିଟି ନିର୍ବାଚନ ଅଛି । ଅପରାଜିତା ଆରମ୍ଭ କରିବେ ଅଶୋକ ପଣ୍ଡା ଉତ୍ତର ଦେବେ ଆଉ ଜିନ୍ଦାବାଦ ହେବନି କେମିତି । ହେବା ଉଚିତ’ । ଧର୍ମେନ୍ଦ୍ରଙ୍କ ଏହି ବାଣ ବିବାଦ ଆରମ୍ଭ କରିଥିବା ଅପରାଜିତାଙ୍କ ଉଦ୍ଦେଶ୍ୟରେ ନାଁ ଉତ୍ତର ରଖିଥିବା ଅଶୋକ ପଣ୍ଡାଙ୍କ ଉଦ୍ଦେଶ୍ୟରେ ରହିଥିଲା , ତାହା ଅବୁଝା ରହୁନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking