29.1 C
Bhubaneswar
Sunday, May 5, 2024
Homeଓଡିଶାଅବ୍ୟବସ୍ଥାରେ ଡବେରୀ ଅଙ୍ଗନାୱାଡ଼ି କେନ୍ଦ୍ର : ହାଡ଼ଭଙ୍ଗା ଶୀତରେ ବାହାରେ ଠିଆହେଲେ ଶିଶୁ

ଅବ୍ୟବସ୍ଥାରେ ଡବେରୀ ଅଙ୍ଗନାୱାଡ଼ି କେନ୍ଦ୍ର : ହାଡ଼ଭଙ୍ଗା ଶୀତରେ ବାହାରେ ଠିଆହେଲେ ଶିଶୁ

ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଡବେରୀ ଠାରେ ଥିବା ଅଙ୍ଗନାୱାଡ଼ି କେନ୍ଦ୍ର ନିୟମିତ ଚାଲୁନଥିବା ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଯାଇଛି । ମଙ୍ଗଳବାର ଶିଶୁମାନେ ପ୍ରବଳ ଶୀତରେ ସକାଳ ୯ଟାରୁ ଆସି କେନ୍ଦ୍ର ସମ୍ମୁଖରେ ବହୁ ସମୟ ଧରି ଅପେକ୍ଷା କରିଥିଲେ । ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପଡ଼ିଥିଲା । ଦିନ ୧୧ଟା ପରେ ତାଲା ଖୋଲାଯାଇ ଶିଶୁଙ୍କୁ ରୋଷେଇ କରି ଖାଦ୍ୟ ଦିଆଯାଇଥିଲା । ଘଟଣାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଯାଇଛି । ସହାୟିକା ବବିତା ପ୍ରଧାନ ଅଙ୍ଗନାୱାଡ଼ି କେନ୍ଦ୍ରର କର୍ମୀ ସୁନତୀ ପ୍ରଧାନଙ୍କ ଠାରୁ ଚାବି ଆଣି କେନ୍ଦ୍ର ଖୋଲିବା ସହ ରୋଷେଇ କରି ସାଢ଼େ ୧୨ଟା ପରେ ଖାଇବାକୁ ଦେଇ ଶିଶୁ ମାନଙ୍କୁ ଘରକୁ ପଠାଇଥିବା ଅଭିଭାବକ ସ୍ନେହାଶିଷ ସାହୁ କହିଛନ୍ତି । ଶିଶୁଙ୍କ ଶିକ୍ଷା ଦେବା ତ ଦୂରର କଥା ସେମାନଙ୍କୁ ନିୟମିତ କେନ୍ଦ୍ରରେ ଖାଇବାକୁ ଦିଆଯାଉନଥିବା ନେଇ ଅଭିଭାବକମାନେ ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ, ଡବେରୀ ଅଙ୍ଗନବାଡ଼ି କେନ୍ଦ୍ରଟି ୫୯ ନଂ ଜାତୀୟ ରାଜପଥ ପାଶ୍ୱର୍ରେ ରହିଛି । କେନ୍ଦ୍ରର କର୍ମୀ ସୁନତୀ ଉକ୍ତ କେନ୍ଦ୍ର ନିକଟରେ ରହୁଛନ୍ତି । ହେଲେ କେନ୍ଦ୍ରରେ ବହୁ ସମୟ ଧରି ନରହି ନିଜ ବ୍ୟକ୍ତିଗତ କାର୍ଯ୍ୟରେ ସେ ବାରମ୍ବାର ଘରକୁ ପଳାଉଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି । ଏନେଇ ସିଡିପିଓ ମୀନା ପାତ୍ରଙ୍କ ନିକଟରେ ବାରମ୍ବାର ଅଭିଯୋଗ ହେବା ପରେ ସିଡିପିଓ ଉକ୍ତ କେନ୍ଦ୍ରର କର୍ମୀଙ୍କୁ ଜବାବ ତଲବ କରିବା ସହ ଦରମା ବନ୍ଦ ଭଳି ଦୃଢ଼ ପଦକ୍ଷେପ ନେଇଥିଲେ । ଏହି ପଦକ୍ଷେପ ପରେ ମଧ୍ୟ ସେହି କେନ୍ଦ୍ରର ସ୍ଥିତିରେ ସୁଧାର ଆସୁନଥିବା ସିଡିପିଓ ନିଜେ ସ୍ୱୀକାର କରିଛନ୍ତି । ସେ କେନ୍ଦ୍ରକୁ ନିୟମିତ ଖୋଲିବାକୁ ପରାମର୍ଶ ଦେଉଥିଲେ ମଧ୍ୟ କୌଣସି ସୁଧାର ଆସୁନଥିବା ନେଇ ସେ ଉଦବେଗ ପ୍ରକାଶ କରିଛନ୍ତି । କେନ୍ଦ୍ରରେ ମୋଟ ୧୬ଜଣ ଶିଶୁ ରହିଥିଲେ ମଧ୍ୟ ଅବ୍ୟବସ୍ଥାରେ କେନ୍ଦ୍ର ଚାଲୁଥିବାରୁ କେନ୍ଦ୍ରକୁ ଅଭିଭାବକମାନେ ନିଜ ଶିଶୁଙ୍କୁ ଛାଡ଼ୁ ନାହାନ୍ତି । ମଙ୍ଗଳବାର ୧୧ଟା ସୁଦ୍ଧା ମାତ୍ର ୭ଜଣ ଶିଶୁ ଆସିଥିବା କେନ୍ଦ୍ର ସହାୟିକା ବବିତା କହିଛନ୍ତି । ସେ କହିଛନ୍ତି ଯେ ଆଜି କୌଣସି ଅଫିସ୍‌ରେ ବୈଠକ ରହିଥିବାରୁ କେନ୍ଦ୍ରର କର୍ମୀ ବୈଠକରେ ଯୋଗଦେବାକୁ ଯାଇଛନ୍ତି । ହେଲେ ସେ ସହାୟିକାଙ୍କୁ କେନ୍ଦ୍ରର ଚାବି ପ୍ରଦାନ କରିନଥିବାରୁ ଏଭଳି ସମସ୍ୟା ଦେଖାଯାଇଥିବା କହିଛନ୍ତି । ନିୟମିତ ଉକ୍ତ କେନ୍ଦ୍ର ଚଳାଇବାକୁ ଅଭିଭାବକ ମହଲରେ ଦାବି ହୋଇଛି । ସିଡିପିଓ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking