ଭୁବନେଶ୍ବର: ‘ବାପା… ମୋତେ କ୍ଷମା କରିଦେବ। ମୋ ପାଇଁ ତମେ ବହୁତ ଟଙ୍କା ଖର୍ଚ୍ଚ କଲଣି। ବହୁତ ଦୁଃଖ କଷ୍ଟ ବି ସହିଲଣି। କିନ୍ତୁ ମୋ ଦେହ ଭଲ ହେଉ ନାହିଁ। ମୋ ପାଇଁ ସମସ୍ତେ ଅସୁବିଧା ଭୋଗୁଛନ୍ତି। ଆର୍ଥିକ ସ୍ଥିତି ମଧ୍ୟ ଭଲ ନାହିଁ। ଆଉ ଏମିତି କେତେ ବର୍ଷ ଧରି ଚିକିତ୍ସିତ ହେଉଥିବି ? ମୁଁ ଆଉ ବଞ୍ଚିବାକୁ ଚାହୁନି।’ ଏ ହେଉଛି ବାପାଙ୍କୁ ଲେଖିଥିବା ଜଣେ ଝିଅର ଶେଷ ଚିଠି। ଏହି ଚିଠି ଲେଖିଥିବା ଯୁବତୀ ଶେଷରେ ଆତ୍ମହତ୍ୟାକୁ ଶେଷ ପନ୍ଥା ବାଛି ନେଇଛନ୍ତି। ଏମିତି ଏକ ଦୁଃଖଦ ଘଟଣା ଘଟିଛି ମଞ୍ଚେଶ୍ବର ଥାନା ପାଣ୍ଡରା ନିକଟ ବାଲିଆପଟା ବସ୍ତିରେ। ଶନିବାର ପୁଲିସ ଯୁବତୀଙ୍କ ଝୁଲନ୍ତା ମୃତଦେହ ସହ ନିକଟରୁ ସୁଇସାଇଡ୍ ନୋଟ୍ ଜବତ କରିଛି। ମୃତ ଯୁବତୀ ହେଲେ, ସୁପ୍ରଜ୍ଞା ଦାସ(୨୩)। ଏହି ଘଟଣାକୁ ନେଇ ବାଲିଆପଟା ବସ୍ତି ଓ କ୍ୟାପିଟାଲ ହସ୍ପିଟାଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ସୁପ୍ରଜ୍ଞାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ରାମଚନ୍ଦ୍ରପାଟଣା ଅଞ୍ଚଳରେ। ତାଙ୍କ ବାପା ସୁଧାଂଶୁ ଦାସ ପ୍ରାୟ ୨୦ବର୍ଷ ତଳେ ଭୁବନେଶ୍ବର ଚାଲି ଆସିଥିଲେ। ବାଲିଆପଟା ଅଞ୍ଚଳରେ ରହି ପରିବା ବ୍ୟବସାୟ କରୁଛନ୍ତି। ପରିବାର କହିଲେ ପତ୍ନୀ ଓ ଦୁଇ ଝିଅ। ୨୦ବର୍ଷ ତଳେ ଏକ ସଡ଼କ ଦୁର୍ଘଟଣାରେ ସୁଧାଂଶୁ ଗୁରୁତର ଆହତ ହୋଇଥିଲେ। ଜୀବନ ବଞ୍ଚି ଯାଇଥିଲା ସତ, କିନ୍ତୁ ଖପୁରି ଭାଙ୍ଗି ଯାଇଥିଲା। ପରିବା ବ୍ୟବସାୟ କରି ପରିବାର ଚଳାଇବା ସହ ନିଜର ଚିକିତ୍ସା ନିଜେ କରୁଥିଲେ। ଝିଅ ସୁପ୍ରଜ୍ଞାର ଛୋଟ ବେଳୁ ପେଟ ରୋଗ ଦେଖା ଦେଇଥିଲା। ସେବେଠାରୁ ଚିକିତ୍ସା ଚାଲିଥିଲା। ବିପୁଳ ଅର୍ଥ ମଧ୍ୟ ଖର୍ଚ୍ଚ ହୋଇ ସାରିଥିଲା। କିନ୍ତୁ ରୋଗ ଭଲ ହେଉ ନ ଥିଲା। ଅଭାବୀ ସଂସାରରେ ନିଜକୁ ବୋଝ ମନେ କରିଥିଲେ ସୁପ୍ରଜ୍ଞା। ପ୍ରବଳ ଯନ୍ତ୍ରଣାକୁ ସହ୍ୟ କରିପାରି ନ ଥିଲେ। ଗୋଟିଏ ପଟେ ଅଭାବ ଓ ଅନ୍ୟ ପଟେ ଯନ୍ତ୍ରଣା ଚିନ୍ତାରେ ମାନସିକ ଦୁଶ୍ଚିନ୍ତା ଦେଇ ଗତି କରୁଥିଲେ। କିନ୍ତୁ ଶୁକ୍ରବାର ରାତିରେ ଶେଷ ନିଷ୍ପତ୍ତି ନେଇ ଯାଇଥିଲେ। ରାତିରେ ସମସ୍ତେ ଖାଇ ପିଇ ଶୋଇଥିଲେ। ଶନିବାର ସକାଳୁ ବାଥ୍ରୁମ୍ରେ ନିଜ ଓଢ଼ଣୀ ଲଗାଇ ଝୁଲି ପଡ଼ିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ବ୍ୟବଚ୍ଛେଦ ପରେ ପୁଲିସ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।