33.1 C
Bhubaneswar
Tuesday, May 21, 2024
Homeଓଡିଶାହାଇକୋର୍ଟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା; ରାୟ ସଂରକ୍ଷିତ ରଖିଲେ ଡିଭିଜନବେଞ୍ଚ

ହାଇକୋର୍ଟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା; ରାୟ ସଂରକ୍ଷିତ ରଖିଲେ ଡିଭିଜନବେଞ୍ଚ

କଟକ:  ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ମାମଲାରେ ହାଇକୋର୍ଟର ଜଣିକିଆ ବିଚାରପତି ବିରଜା ପ୍ରସନ୍ନ ଶତପଥୀ ଓଡ଼ିଶା ସ୍କୁଲ ଏଜୁକେସନ ପ୍ରୋଗ୍ରାମ ଅଥରିଟି (ଓସେପା)ର ମେରିଟ ଲିଷ୍ଟ ଖାରଜ କରିଥିଲେ । ଏଥି ସହ ନିଯୁକ୍ତି ସର୍ତ୍ତାବଳୀ ଅନୁଯାୟୀ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ ଜଷ୍ଟିସ ଶତପଥୀ  ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ରାୟ ବିରୋଧରେ ରାଜ୍ୟ ସରକାର ହାଇକୋର୍ଟର ଡିଭିଜନ୍ ବେଞ୍ଚରେ ଅପିଲ କରିଥିଲା ବେଳେ ଉକ୍ତ ଅପିଲକୁ ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ ଓ ବିଚାରପତି ଏମ.ଏସ. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ମାମଲାର  ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ।  ସୂଚନା ଅନୁଯାୟୀ, ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ କନିଷ୍ଠ ଶିକ୍ଷକ ନିଯୁକ୍ତି ନିମନ୍ତେ ଅନ୍‌ଲାଇନ୍ ଆବେଦନ ପାଇଁ ୨୦୨୩ ସେପ୍ଟେମ୍ବର ୧୦ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆବେଦନପତ୍ର ଦାଖଲର ଶେଷ ତାରିଖ ଅକ୍ଟୋବର ୧୦ ତାରିଖ ଥିଲା । ଆବେଦନ ପ୍ରକ୍ରିୟା ଶେଷ ପରେ ୨୦୨୪ ଜାନୁୟାରୀ ୧୫ ତାରିଖରେ ଓସେପା ପକ୍ଷରୁ ଡ୍ରାଫ୍ଟ ମେରିଟ ଲିଷ୍ଟ ପ୍ରକାଶ କରାଯାଇଥିଲା । ଏହି ମେଧା ତାଲିକାରେ ପ୍ରକାଶିତ ଆବେଦନକାରୀଙ୍କ ସାର୍ଟିଫିକେଟ ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରାଯିବ ବୋଲି ଓସେପା ପକ୍ଷରୁ ଜାନୁଆରୀ ୧୭ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଯାଞ୍ଚ  ପାଇଁ ପ୍ରତି ଜିଲାରେ ନିର୍ଦ୍ଧାରିତ ହୋଇଥିବା ସ୍ଥାନ ସମ୍ପର୍କରେ ମଧ୍ୟ ବିଜ୍ଞପ୍ତିରେ ସୂଚନା ଦିଆଯାଇଥିଲା । ହେଲେ ଏହି ମେଧା ତାଲିକା ନିୟମ ଉଲ୍ଲଂଘନ କରି ପ୍ରସ୍ତୁତ କରାଯାଇଥିବା ଓ ଗଣଶିକ୍ଷା ବିଭାଗର ମୂଳ ନିଯୁକ୍ତି ବିଜ୍ଞପ୍ତିରେ ଥିବା ସର୍ତ୍ତାବଳୀକୁ ପାଳନ କରାଯାଇନଥିବା ନେଇ ଅଭିଯୋଗ ହୋଇଥିଲା । ଏହାଦ୍ୱାରା ବହୁ ଯୋଗ୍ୟପ୍ରାର୍ଥୀ ନିଯୁକ୍ତି ପ୍ରକ୍ରିୟାରୁ ବାଦ ପଡ଼ିଛନ୍ତି । ଫଳରେ ଉକ୍ତ ମେଧା ତାଲିକାକୁ ରଦ୍ଦ କରିବା ନେଇ ଜେ.ଆର. ମହାରଣା ଓ ଅନ୍ୟମାନେ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ହାଇକୋର୍ଟ ଜାନୁୟାରୀ ୧୯ ତାରିଖରେ ମାମଲାର ଶୁଣାଣି କରି ନିଯୁକ୍ତି ପ୍ରକ୍ରିୟା ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking