ଭୁବନେଶ୍ବର : ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଲାଗିରହିଛି ବର୍ଷା । ଗତ ୨୪ଘଣ୍ଟା ମଧ୍ୟରେ ବଲାଙ୍ଗୀର ଜିଲ୍ଲାରେ ଟିିଟିଲାଗଡ଼ରେ କୁଆପଥର ବର୍ଷା ହୋଇଥିବାବେଳେ କନ୍ଧମାଳର ଟିକାବାଲି, ଉଦୟଗିରି, ଦାରିଙ୍ଗବାଡ଼ି, କଳାହାଣ୍ଡିର ନର୍ଲା, ଗଞ୍ଜାମର ବେଲଗୁଣ୍ଠା, ବୌଦ୍ଧ, ଆଠମଲ୍ଲିକ ସମେତ ରାଜ୍ୟର ଅର୍ଦ୍ଧାଧିକ ଜିଲାରେ ଘୂର୍ଣ୍ଣିଝଡ଼ ଓ ବର୍ଷା ହୋଇଛି। ଦାରିଙ୍ଗବାଡ଼ିରେ ସର୍ବାଧିକ ୫୧ ମିମି ବର୍ଷା ରେକର୍ଡ଼ ହୋଇଛି। ପୁରୀରେ ୩୮, ଅନୁଗୋଳରେ ୧୬, ତାଳଚେରରେ ୧୩, ଟିଟିଲାଗଡ଼ରେ ୪୪ ସୋନପୁରରେ ୨୨, ନୟାଗଡ଼ରେ ୨୨ ମିମି ବର୍ଷା ରେକର୍ଡ଼ ହୋଇଛି। ଆସନ୍ତା ୨୪ ଘଣ୍ଟା ବର୍ଷା ପ୍ରଭାବ ଜାରି ରହିବ।
ଆଜି ସକାଳ ସୁଦ୍ଧା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ନୟାଗଡ଼, ବୌଦ୍ଧ, ଖୋର୍ଦ୍ଧା, କଟକ, ଅନୁଗୋଳ, ଢ଼େଙ୍କାନାଳରେ ଘଡ଼ଘଡ଼ି ସହିତ ବର୍ଷା ଏବଂ ଘଣ୍ଟାକୁ ୩୦ରୁ ୪୦କିମି ବେଗରେ ପବନ ବହିବ। ସୁନ୍ଦରଗଡ଼, କେନ୍ଦୁଝର, ସମ୍ବଲପୁର,କନ୍ଧମାଳ ଓ ନୟାଗଡ଼ରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆଜି ସନ୍ଧ୍ୟା ସୁଦ୍ଧା ମୟୂରଭଞ୍ଜ, କେନ୍ଦୁଝର, ଢ଼େଙ୍କାନାଳ, କନ୍ଧମାଳ, ରାୟଗଡ଼ାରେ ବର୍ଷା ପବନ ଅନୁଭୂତ ହେବ। ଏହି ସମୟରେ ଉପକୂଳ, ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ବର୍ଷା ହେବ। ୮ତାରିଖରେ ଗଞ୍ଜାମ, ପୁରୀ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମୟୂରଭଞ୍ଜର କିଛି ସ୍ଥାନରେ ବର୍ଷା ହୋଇପାରେ। ଏହି ୮ ଜିଲ୍ଲାକୁ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ନି ଜାରି କରାଯାଇଛି। ୯ତାରିଖରେ ବର୍ଷା କମିଯିବାର ସମ୍ଭାବନା ଥିବାବେଳେ ୧୦ରେ ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, କନ୍ଧମାଳ ଓ ଗଞ୍ଜାମରେ ଘଡ଼ଘଡ଼ି ସହିତ ବର୍ଷା କିମ୍ବା ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଛି। ଆସନ୍ତା ୩ଦିନ ପାଇଁ ସର୍ବାଧିକ କିମ୍ବା ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।