29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶ୬୬% ଭାରତୀୟ ପାଇଲଟ୍ କକ୍‌ପିଟ୍‌ରେ ଢୋଳାଇଥା'ନ୍ତି: ସର୍ଭେ ରିପୋର୍ଟ

୬୬% ଭାରତୀୟ ପାଇଲଟ୍ କକ୍‌ପିଟ୍‌ରେ ଢୋଳାଇଥା’ନ୍ତି: ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ଭାରତରେ କାର୍ଯ୍ୟକ୍ଷମ ଥିବା ବିଭିନ୍ନ ଏୟାରଲାଇନ୍ସର ପ୍ରାୟ ୬୬ ପ୍ରତିଶତ ପାଇଲଟ୍ ବିମାନଯାତ୍ରା ସମୟରେ କକ୍‌ପିଟ୍‌ରେ ଢୋଳାଇଥାନ୍ତି ବୋଲି ଏକ ସର୍ଭେ ରିପୋର୍ଟରୁ ଜଣାପଡିଛି । ଅତ୍ୟଧିକ ଶାରୀରିକ ପରିଶ୍ରମ ଏବଂ କ୍ଲାନ୍ତିି ମେଣ୍ଟାଇବାର ସୁଯୋଗ ଅଭାବରୁ ଏହା ଘଟୁଥିବା ସେମାନେ ସ୍ୱୀକାର କରିଛନ୍ତି । ଏହି ପ୍ରସଙ୍ଗରେ ‘ସେଫ୍‌ଟି ମ୍ୟାଟର୍ସ ଫାଉଣ୍ଡେସନ’ ସଂସ୍ଥା ପକ୍ଷରୁ ୫୪୨ ଜଣ ପାଇଲଟ୍‌ଙ୍କୁ ସର୍ଭେରେ ସାମିଲ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୩୫୮ ଜଣ ପାଇଲଟ୍ କକ୍‌ପିଟ୍‌ରେ ଢୋଲାଉଥିବା ସ୍ୱୀକାର କରିଛନ୍ତି । ତେବେ ସବୁଠାରୁ ଉଦ୍‌ବେଗଜନକ ହେଉଛି, ଢୋଳାଇବା ପୂର୍ବରୁ ସଂପୃକ୍ତ ପାଇଲଟ୍ କକ୍‌ପିଟ୍‌ରେ ଥିବା ଅନ୍ୟ ସାଥୀ ପାଇଲଟ୍‌ଙ୍କୁ ସୂଚୀତ ମଧ୍ୟ କରିନଥାନ୍ତି । ପୁନଶ୍ଚ ଏମାନଙ୍କ ମଧ୍ୟରୁ ୫୪ ପ୍ରତିଶତ ପାଇଲଟ୍ ଦିନବେଳା ନିଘୋଡ ନିଦର ଶିକାର ହେଉଥିବାବେଳେ ୪୧ ପ୍ରତିଶତଙ୍କ କ୍ଷେତ୍ରରେ ଆଂଶିକ ପ୍ରଭାବ ପରିଲକ୍ଷିତ ହୋଇଥାଏ ।

ପାଇଲଟ୍‌ଙ୍କ ଏତାଦୃଶ ବଦ୍ ଅଭ୍ୟାସ ଯୋଗୁଁ ଅଧିକାଂଶ ସମୟରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥାଏ । ଚାକିରିିରେ ଦେଖାଦେଉଥିବା ଚାପର ମୁକାବିଲା କରିବାରେ ପାଇଲଟ୍‌ମାନେ ବିଫଳ ହେଉଥିବା ରିପୋର୍ଟରେ ଦର୍ଶାଯାଇଛି । ଅପରପକ୍ଷରେ ଏୟାରଲାଇନ୍ସରେ ଆବଶ୍ୟକ ସଂଖ୍ୟକ ପାଇଲଟ୍ ନଥିବାରୁ ଏମାନଙ୍କ ଉପରେ ଅଧିକ କାର୍ଯ୍ୟଭାର ପଡୁଥିବା ସେମାନେ କହିଛନ୍ତି । ପୂର୍ବରୁ ଜଣେ ଭାରତୀୟ ପାଇଲଟ୍‌ଙ୍କୁ ସପ୍ତାହରେ ୩୦ ଘଣ୍ଟା (ଦିନକୁ ହାରାହାରି ୪ ଘଣ୍ଟା) ବିମାନ ଉଡାଇବାକୁ ପଡୁଥିଲା । ବର୍ତ୍ତମାନ ଏହା ପ୍ରାୟ ତିନିଗୁଣା ବୃଦ୍ଧି ପାଇଥିବା ଜଣାପଡିଛି । ଯଦି ଜଣେ ପାଇଲଟ୍ ଗୋଟିଏ ବିମାନ ଉଡାଇ ରାତି ୧୦ଟାରେ ଗନ୍ତବ୍ୟସ୍ଥଳରେ ପହଞ୍ଚିଥାନ୍ତି, ତେବେ ତାଙ୍କୁ ଅତିକମରେ ୮ ଘଣ୍ଟା ଶୋଇବା ଜରୁରୀ ହୋଇଥାଏ । ବର୍ତ୍ତମାନ ରାତି ୧୦ଟାରେ ପହଞ୍ଚିଥିବା ପାଇଲଟ୍‌ଙ୍କୁ ପରଦିନ ଭୋର ୫ଟାରେ ଉଡିବାକୁ ଥିବା ବିମାନର ଦାୟିତ୍ୱ ନେବାକୁ ବାଧ୍ୟ କରାଯାଉଛି । ଏଥିପାଇଁ ସଂପୃକ୍ତ ପାଇଲଟ୍‌ଙ୍କୁ ରାତି ୨ଟାରୁ ପ୍ରସ୍ତୁତ ହୋଇ ଏୟାରପୋର୍ଟରେ ପହଞ୍ଚିବାକୁ ପଡୁଛି । ଫଳରେ ବିଶ୍ରାମ ନେବା ପାଇଁ ତାଙ୍କ ହାତରେ ମାତ୍ର ୨/୩ ଘଣ୍ଟା ସମୟ ମିଳୁଛି ।

କାର୍ଯ୍ୟବ୍ୟସ୍ତ ପାଇଲଟ୍‌ଙ୍କୁ ଏଥିରୁ ନିସ୍ତାର ଦେବାକୁ ନିର୍ଦ୍ଦିଷ୍ଟ ନିୟମ ପ୍ରଚଳନ କରିବାକୁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) କର୍ତ୍ତୃପକ୍ଷ ଗୁରୁତ୍ୱର ସହ ଚିନ୍ତା କରୁଛନ୍ତି । ବର୍ତ୍ତମାନ ପାଇଲଟ୍‌ଙ୍କୁ ବିଶ୍ରାମ ଦେବାକୁ ଯେଉଁ ନିୟମ ପ୍ରଚଳନ କରାଯାଉଛି, ତାହା ଆଦୌ ବିଜ୍ଞାନସମ୍ମତ ନୁହେଁ ବୋଲି ଏୟାରଲାଇନ୍ସଗୁଡିକ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଦେଶରେ ଅଭିଜ୍ଞ ପାଇଲଟ୍‌ଙ୍କର ଘୋର ଅଭାବ ପରିଲକ୍ଷିତ ହେଉଛି । ବାର୍ଷିକ ୧୫୦୦ ନୂଆ ପାଇଲଟ୍‌ଙ୍କ ଆବଶ୍ୟକତା ପୂରଣ କରିବାକୁ ଏୟାରଲାଇନ୍ସଗୁଡିକ ସଫଳ ହୋଇପାରୁନାହାନ୍ତି । ପୁନଶ୍ଚ ଏକାଧିକ ଘରୋଇ ଏୟାରଲାଇନ୍ସ କ୍ଷତିରେ ଚାଲୁଥିବାରୁ ସେମାନେ ପାଇଲଟ୍‌ଙ୍କୁ ଛଟେଇ କରିବାକୁ ବାଧ୍ୟ ହେଉଛନ୍ତି । ଫଳରେ ଭାରତର ଅଭିଜ୍ଞ ପାଇଲଟ୍‌ମାନେ ଅଧିକ ପାରିଶ୍ରମିକ ଆଶାରେ ବିଦେଶୀ ଏୟାରଲାଇନ୍ସ ଆଡକୁ ମୁହାଁଉଛନ୍ତି । ୨୦୧୧ରୁ ୨୦୧୫ ମଧ୍ୟରେ ଦେଶରେ ଘଟିଥିବା ବିମାନ ଦୁର୍ଘଟଣାର ୬୫ ପ୍ରତିଶତ କେବଳ ଟେକ୍‌ଅଫ୍ ଓ ଲ୍ୟାଣ୍ଡିଂ ସମୟରେ ଘଟିଥିବା ସର୍ଭେରୁ ଜଣାପଡିଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କକ୍‌ପିଟ୍‌ରେ ପାଇଲଟ୍ ଢୋଳାଇ ପଡିବା ମୁଖ୍ୟ କାରଣ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking