28.1 C
Bhubaneswar
Saturday, April 27, 2024
Homeଓଡିଶାଟିସିଏସ୍ କର୍ମଚାରୀଙ୍କୁ ୨୦କୋଟି ଠକେଇ: ଓଡ଼ିଶା ହୋମ୍ ନିର୍ଦ୍ଦେଶକଙ୍କ ବିରୋଧରେ ଲୁକ୍‌ଆଉଟ୍ ସର୍କୁଲାର

ଟିସିଏସ୍ କର୍ମଚାରୀଙ୍କୁ ୨୦କୋଟି ଠକେଇ: ଓଡ଼ିଶା ହୋମ୍ ନିର୍ଦ୍ଦେଶକଙ୍କ ବିରୋଧରେ ଲୁକ୍‌ଆଉଟ୍ ସର୍କୁଲାର

ଗୋଟିଏ ଫ୍ଲାଟ୍‌କୁ ଏକାଧିକ ଗ୍ରାହକଙ୍କୁ ବିକ୍ରି କରିଥିଲେ
ଭୁବନେଶ୍ୱର: ଟିସିଏସ୍ କର୍ମଚାରୀଙ୍କ ସମେତ ଅନ୍ୟ ଜମାକାରୀଙ୍କୁ ଫ୍ଲାଟ୍ ଦେବା ଆଳରେ ୨୦କୋଟି ଟଙ୍କା ଠକେଇ ହୋଇଛି । ଏହି ମାମଲାରେ ବିଲ୍ଡର ସଂସ୍ଥା ଓଡ଼ିଶା ହୋମ୍ ଆଣ୍ଡ କମର୍ସିଆଲ୍ ପ୍ରାଇଭେଟ୍ ଲିିଃର ନିର୍ଦ୍ଦେଶକ ଅଭିଯୁକ୍ତ ମନୋଜ କୁମାର ପଣ୍ଡାଙ୍କ ନାଁରେ ଲୁକ୍‌ଆଉଟ ସର୍କୁଲାର ଜାରିହୋଇଛି । ଓଡବ୍ଲ୍ୟୁର ଅନୁରୋଧକ୍ରମେ ବ୍ୟୁରୋ ଅଫ୍ ଇମିଗ୍ରେସନ୍ (ବିଓଆଇ) ଏହି ସର୍କୁଲାର ଜାରିକରିଛି। ଅଭିଯୁକ୍ତ ମନୋଜଙ୍କ ଉପରେ ନଜର ରଖିବାକୁ ଲ’ ଏନ୍‌ଫୋର୍ସମେଣ୍ଟ ଏଜେନ୍ସି ଓ ପୁଲିସକୁ କୁହାଯାଇଛି । ଏପରିକି ଅନ୍ୟ ଦେଶଗୁଡ଼ିକର ଲ’ ଏନ୍‌ଫୋର୍ସମେଣ୍ଟ ଏଜେନ୍ସିଗୁଡ଼ିକ ସହ ଯୋଗାଯୋଗ ମଧ୍ୟ କରାଯାଉଛି । ମାମଲାରେ ପୂର୍ବରୁ ମ୍ୟାନେଜିଂ ଡିରେକ୍ଟର (ଏମ୍‌ଡି) ଅରବିନ୍ଦ ସାନ୍ତରା ଗିରଫ ହୋଇ ଜେଲ୍‌ରେ ଅଛନ୍ତି । ମନୋଜ ସହ ଆଉ ଜଣେ ନିର୍ଦ୍ଦେଶକ ସରୋଜ ପଣ୍ଡା ମଧ୍ୟ ଫେରାର ଅଛନ୍ତି । ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଇଓଡବ୍ଲ୍ୟୁ ଖୋଳତାଡ଼ ଜାରି ରଖିଛି ।

ସୂଚନା ମୁତାବକ, ଭୁବନେଶ୍ୱର ସାଁପୁର ଗଣପତି ମୌଜାରେ ଆପାର୍ଟମେଣ୍ଟ ଓ ଫ୍ଲାଟ୍ ଯୋଗାଇଦେବାକୁ କହି ମନୋଜ ଟିସିଏସ୍ କର୍ମଚାରୀଙ୍କ ସମେତ ୪୨ରୁ ଊର୍ଦ୍ଧ୍ୱ ଜମାକାରୀଙ୍କୁ ଫ୍ଲାଟ ଦେବା ଆଳରେ ୨୦୧୩ରୁ ୨୦୧୬ ମଧ୍ୟରେ ୨୦ କୋଟି ଟଙ୍କା ନେଇଥିଲେ । ୨୦୧୮ ସୁଦ୍ଧା ଫ୍ଲାଟ ଯୋଗାଇଦେବାକୁ କହିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଫ୍ଲାଟ୍ ଦେଇନଥିଲେ । ଏପରିକି ଅଫିସ୍ ବନ୍ଦ କରି ଫେରାର ହୋଇଯାଇଥିଲେ ମନୋଜ ପଣ୍ଡା । ଏନେଇ ଜମାକାରୀଙ୍କ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ଇଓଡବ୍ଲ୍ୟୁ । ସମ୍ପୃକ୍ତ ବିଲ୍‌ଡରଙ୍କୁ ଧରିବା ପାଇଁ ଶୁକ୍ରବାର ମନୋଜଙ୍କ ନାଁରେ ଲୁକ୍‌ଆଉଟ୍ ସର୍କୁଲାର ଜାରି କରାଯାଇଛି । ମନୋଜଙ୍କ ବ୍ୟତୀତ ତାଙ୍କ ଭାଇ ସରୋଜ ପଣ୍ଡା ମଧ୍ୟ ଏହି ଠକେଇରେ ସମ୍ପୃକ୍ତ ଅଛନ୍ତି । ସେ ମଧ୍ୟ ଫେରାର ଥିବା ଜଣାପଡ଼ିଛି ।

ତେଣୁ ଉଭୟ ଦେଶ ଛାଡ଼ି ବିଦେଶକୁ ଚାଲିଯିବାର ସମ୍ଭାବନା ରହିଥିବାରୁ ଇଓଡବ୍ଲ୍ୟୁ ଲୁକ୍‌ଆଉଟ୍ ପାଇଁ ଅନୁରୋଧ କରିଥିଲେ । ତେବେ ଏହି ଠକେଇର ଆଉ ଜଣେ ଅଭିଯୁକ୍ତ ଏମ୍‌ଡି ଅରବିନ୍ଦ ସାନ୍ତରାଙ୍କୁ ପୂର୍ବରୁ ଇଓଡବ୍ଲ୍ୟୁ ଗିରଫ କରି ଜେଲ୍ ପଠାଇଥିଲା । ଏମାନେ ତିନି ଜଣ ମିଶି ଠକେଇ ସଂସ୍ଥା ଚଳାଇବା ସହ ଗୋଟିଏ ଫ୍ଲାଟ୍‌କୁ ବାରମ୍ୱାର ବିଭିନ୍ନ ଲୋକଙ୍କୁ ବିକ୍ରି କରି ଲୋକଙ୍କୁ ଚୂନ ଲଗାଇଥିଲେ । ମନୋଜ ପଣ୍ଡାଙ୍କ ନାଁରେ ବିଭିନ୍ନ ଥାନା ଏବଂ କୋର୍ଟରେ ବହୁ ଅପରାଧିକ ମାମଲା ରହିଛି । ସେ ବିଭିନ୍ନ ଲୋକଙ୍କ ଠାରୁ ଠକେଇ କରିଛନ୍ତି । ମନୋଜ ପଣ୍ଡାଙ୍କର ପାର୍ସ ପୋର୍ଟ ରହିଥିବାରୁ ସେ ବିଦେଶକୁ ଚାଲିଯିବାର ସମ୍ଭାବନା ରହିଛି । ତେଣୁ ତାଙ୍କ ନାମରେ ଲୁକ୍‌ଆଉଟ୍ ଜାରି କରାଯାଇଥିବା ନେଇ ଇଓଡବ୍ଲ୍ୟୁ ଏସ୍‌ପି ଦିଲ୍ଲୀପ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking