32.1 C
Bhubaneswar
Friday, April 26, 2024
Homeଅପରାଧରେଳଷ୍ଟେସନ ଏବେ ଅପରାଧୀଙ୍କ ଆଡ୍ଡା, ବର୍ଷକରେ ୧୮୨୯ଜଣ ଗିରଫ

ରେଳଷ୍ଟେସନ ଏବେ ଅପରାଧୀଙ୍କ ଆଡ୍ଡା, ବର୍ଷକରେ ୧୮୨୯ଜଣ ଗିରଫ

ଭୁବନେଶ୍ୱର: ରାଜ୍ୟର ରେଳଷ୍ଟେସନ ଗୁଡ଼ିକ ଏବେ ଅପରାଧୀଙ୍କ ଆଡ୍ଡାସ୍ଥଳି ପାଲଟିଛି । ଦିନ ହେଉ କି ରାତି ଦୁର୍ବୃତ୍ତମାନେ ଅପରାଧ ଘଟାଉଛନ୍ତି । କିଏ ଯାତ୍ରୀଙ୍କ ମୋବାଇଲ ଲୁଟି ନେଉଥିବାବେଳେ ଆଉ କିଏ ବ୍ୟାଗ୍ ଧରି ଛୁ ମାରୁଛି । ଖାଲି ଏତିକି ନୁହେଁ ହତ୍ୟା କରି ଟ୍ରେନ୍‌ଲାଇନ୍‌ରେ ଫିଙ୍ଗି ଦିଆଯାଉଛି । ପରେ ଏହାକୁ ଆତ୍ମହତ୍ୟାର ରୂପ ଦିଆଯାଉଛି । ଏଥିସହ ଗଞ୍ଜେଇ ଚୋରାଚାଲାଣ, ମାନବ ଚାଲାଣ ଭଳି ସାଙ୍ଘାତିକ ଅପରାଧ ଟ୍ରେନ୍‌ରେ ହିଁ ଘଟୁଛି । ଏକଥା ଆମେ କହୁନାହୁଁ, ପୂର୍ବତଟ ରେଳପଥର ବାର୍ଷିକ ଅପରାଧ ରିପୋର୍ଟରୁ ଜଣାପଡ଼ିଛି । ୨୦୨୧ରେ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ୧୮୨୯ଜଣ ଅଭିଯୁକ୍ତଙ୍କୁ ଆର୍‌ପିଏଏଫ୍‌(ରେଳ ସୁରକ୍ଷା ବଳ) ରେଳଷ୍ଟେସନରୁ ଗିରଫ କରିଛି । ଷ୍ଟେସନରେ ଅପରାଧ ରୋକିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି । ଯେଉଁଥିପାଇଁ ରେଳଷ୍ଟେସନରୁ ବର୍ଷକରେ ଏତେ ସଂଖ୍ୟକ ଅପରାଧୀ ଗିରଫ ହୋଇପାରିଛନ୍ତି । ତଥାପି ଅନେକ ଅପରାଧୀ ଏବେ ଯାତ୍ରୀ ବେଶରେ ଆସି ଲୁଟ୍‌ପାଟ୍ କରୁଥିବା ଦେଖିବାକୁ ମିଳିଛି ।
ରିପୋର୍ଟ ଅନୁସାରେ, ୨୦୨୧ ଜାନୁଆରୀ ଆରମ୍ଭରୁ ଡିସେମ୍ବର ୩୧ତାରିଖ ମଧ୍ୟରେ ରେଳ ପରିସର ତଥା ଟ୍ରେନ ଯାତ୍ରା ସମୟରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ଥିବା ୩୭୦ ଅପରାଧୀଙ୍କୁ ଗିରଫ କରାଯାଇଛି । ଏମାନଙ୍କୁ ଗିରଫ ପରେ ଆର୍‌ପିଏଫ୍ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ (ଜିଆର୍‌ପି)ସରକାରୀ ରେଳବାଇ ପୁଲିସ୍‌କୁ ହସ୍ତାନ୍ତର କରିଛି । ଏଥିସହ ଚୋରି, ଲୁଟ୍‌, ମାନବ ଚାଲାଣ ଅଭିଯୋଗରେ ୧୦୨ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ୫୭ ଜଣଙ୍କୁ ଲଗେଜ୍ ଚୋରି, ୩୩ ଜଣଙ୍କୁ ସୁନାଗହଣା ଏବଂ ମୋବାଇଲ୍ ଛଡ଼ାଇ ନେବା, ୨ ଜଣଙ୍କୁ ପକେଟ୍ ମାର, ୬ ଜଣଙ୍କୁ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଏବଂ ୪ ଜଣଙ୍କୁ ମାନବ ଚାଲାଣ କରିବା ଅଭିଯୋଗରେ ଆର୍‌ପିଏଫ୍ ଗିରଫ କରିଛି । ସେହିପରି ବେଆଇନ ଭାବେ ଟ୍ରେନ୍ ଟିକେଟ୍‌ର ଅନଧିକୃତ ବୁକିଂ ଏବଂ ସାଇବର ଅପରାଧରେ ଜଡ଼ିତ ଥିବା ୧୦୬ ଜଣ ଦଲାଲଙ୍କୁ ରେଳବାଇ ସୁରକ୍ଷାବଳ ଦ୍ୱାରା ଗିରଫ କରାଯାଇଛି । ଏହି ଘଟଣାରେ ରେଳ ସୁରକ୍ଷା ବଳ ୯୩୧ଟି ନକଲି ଇମେଲ୍‌କୁ ନିଷ୍କ୍ରିୟ କରିଥିବା ବେଳେ ୫୩.୮୨ଲକ୍ଷ ଟଙ୍କା ମୂଲ୍ୟର ଟ୍ରେନ୍ ଟିକେଟ୍ ଜବତ କରିଛି । ଏଥିସହ ଟ୍ରେନରେ ନିଶାଦ୍ରବ୍ୟ ଚୋରାଚାଲାଣ କରୁଥିବା ନେଇ ୮୬ଟି ମାମଲାରେ ୧୪୦ଅପରାଧୀଙ୍କୁ ଗିରଫ କରାଯାଇଛି । ଏମାନଙ୍କ ଠାରୁ ୯୫ ଲକ୍ଷ ଟଙ୍କା ମୂଲ୍ୟର ନିଶାଦ୍ରବ୍ୟ ଜବତ କରାଯାଇଛି । ଏଥିସହ ରେଳ ନିୟମ ଉଲ୍ଲଙ୍ଘନକାରୀ ୮୧୩୮ଜଣଙ୍କୁ ଗିରଫ କରାଯାଇଥିବାବେଳେ ତାଙ୍କ ଠାରୁ ପ୍ରାୟ ୧୮ ଲକ୍ଷ ୪୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ରେଳବାଇ ସମ୍ପତ୍ତି ଚୋରି ଏବଂ ସମ୍ପତ୍ତିକୁ ନଷ୍ଟ କରିବା ନେଇ ୧୮୨ଟି ମାମଲାରେ ୩୭୦ ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ଠାରୁ ପ୍ରାୟ ୪୩ ଲକ୍ଷ ୯୭ ହଜାର ଟଙ୍କା ମୂଲ୍ୟର ରେଳସମ୍ପତ୍ତି ପୁନରୁଦ୍ଧାର ହୋଇଛି ।
ଅନ୍ୟପକ୍ଷରେ ଟ୍ରେନ୍ ଯାତ୍ରୀଙ୍କ ସୁରକ୍ଷା ଏବଂ ନିରାପତ୍ତାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥର ଆର୍‌ପିଏଫ୍‌ର ୧ ଲକ୍ଷ ୧୦ ହଜାର ୮୬୦ କର୍ମଚାରୀଙ୍କ ସହଯୋଗରେ ୩୦ ହଜାର ୧୫୬ ମେଲ୍ / ଏକ୍ସପ୍ରେସ୍ ଟ୍ରେନକୁ ସୁରକ୍ଷା ଯୋଗାଇଛି । ଟ୍ରେନ୍ ସୁରକ୍ଷା ସମୟରେ ଆର୍‌ପିଏଫ୍ ୩୧୪ ଯାତ୍ରୀଙ୍କୁ ଉଦ୍ଧାର କରିଛି; ଯେଉଁଥିରେ ନାବାଳକ, ମହିଳା ଏବଂ ବରିଷ୍ଠ ନାଗରିକ ମଧ୍ୟ ଅଛନ୍ତି । ଏହା ବ୍ୟତୀତ ଆର୍‌ପିଏଫ୍ ଟ୍ରେନ ମଧ୍ୟରେ ଭୁଲବଶତଃ ଛାଡି ପଳାଇଥିବା ପ୍ରାୟ ୫୧୮ଟି ମାମଲାରେ ପ୍ରାୟ ୨କୋଟି ୯୩ ଲକ୍ଷର ସମ୍ପତ୍ତି ଯାତ୍ରୀଙ୍କୁ ହସ୍ତାନ୍ତର କରିଛି । ସେହିପରି ପ୍ରୋଜେକ୍ଟ ‘ମେରୀ ସହେଲି’ ଜରିଆରେ ପୂର୍ବତଟ ରେଳପଥରୁ ଛାଡୁଥିବା ଏବଂ ଏହାର ପରିସୀମା ମଧ୍ୟଦେଇ ଯାତାୟାତ କରୁଥିବା ପ୍ରାୟ ୬୮ଟି ଟ୍ରେନ୍‌କୁ ଫୋକସ୍ କରାଯାଇଥିଲା । ଏଥିରେ ଏକାକୀ ଯାତ୍ରା କରୁଥିବା ମହିଳା ଯାତ୍ରୀଙ୍କୁ ସେମାନଙ୍କ ଉତ୍ପତିସ୍ଥଳରୁ ଗନ୍ତବ୍ୟସ୍ଥଳ ପର୍ଯ୍ୟନ୍ତ ସୁରକ୍ଷା ସୁନିଶ୍ଚିତ କରାଇବାରେ ସହାୟକ ହୋଇପାରିଛି । ଏହି ପ୍ରୋଜେକ୍ଟ ଜରିଆରେ ପ୍ରାୟ ୨୯ ହଜାର ୬୬୦ ମହିଳା ଯାତ୍ରୀ ସହାୟତା ପାଇଥିବା ନେଇ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking