30.1 C
Bhubaneswar
Wednesday, April 24, 2024
Homeଓଡିଶାକଡ଼ାକଡ଼ି ଟ୍ରାଫିକ କଟକଣା: ରାସ୍ତାମଝିରେ ଅଟକିଲେ ଗଣିବେ ତଣ୍ଡ

କଡ଼ାକଡ଼ି ଟ୍ରାଫିକ କଟକଣା: ରାସ୍ତାମଝିରେ ଅଟକିଲେ ଗଣିବେ ତଣ୍ଡ

ଭୁବନେଶ୍ୱର: ବିଭିନ୍ନ ସମୟରେ ରାସ୍ତାରେ ଯାତ୍ରୀବାହୀ ଅଟୋ ଓ ଅନ୍ୟାନ୍ୟ ଜନପରିବହନ ଗାଡ଼ି ଗୁଡ଼ିକ ହଠାତ୍ ଅଟକିଯାଇ ଯାତ୍ରୀଙ୍କୁ ଓହ୍ଲାଉଛନ୍ତି । ଯାହାଦ୍ୱାରା ପଛରୁ ଆସୁଥିବା ଯାନ ନିୟନ୍ତ୍ରଣ ହରାଇ ଆଗ ଗାଡ଼ିକୁ ଧକ୍କା ଦେଉଛି । ଏମିତିକି କେତେକ ଲୋକ ଦୁର୍ଘଟଣାରୁ ବଞ୍ଚିବା ପାଇଁ ଅନ୍ୟଦିଗକୁ ଗାଡ଼ି ବୁଲାଉଛନ୍ତି । ଏହାସତ୍ତ୍ୱେ ବି ସେମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏହି ଅଘଟଣକୁ ରୋକିବା ପାଇଁ କମିଶନରେଟ୍ ଟ୍ରାଫିକ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ ହୋଇଛି । ମଝି ରାସ୍ତାରେ ଯାତ୍ରୀଙ୍କୁ ଓହ୍ଲାଇବା ପାଇଁ ହଠାତ୍ ଅଟକୁଥିବା ଯାନବାହନ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ସମ୍ପୃକ୍ତ ଚାଳକଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଥିବା ଦେଖିବାକୁ ମିଳିଛି । ଗତ ୧୦ଦିନ ମଧ୍ୟରେ ୧୮୯ଜଣ ଚାଳକଙ୍କ ଠାରୁ ଜୋରିମାନା ଆଦାୟ ହୋଇଥିବା ଟ୍ରାଫିକ ଏସିପି ସ୍ୱସ୍ତିକ ପଣ୍ଡା ସୂଚନା ଦେଇଛନ୍ତି । ଆଗାମୀ ଦିନରେ ଏହାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ଜଣାପଡ଼ିଛି । ତେଣୁ ରାସ୍ତା ମଝିରେ ଗାଡ଼ିକୁ ନଅଟକାଇ, ରାସ୍ତାକଡ଼କୁ ଯାଇ ଯାତ୍ରୀଙ୍କୁ ଓହ୍ଲାଇବାକୁ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି । ସୂଚନା ଅନୁଯାୟୀ, ଟ୍ୱିନ୍‌ସିଟି ଟ୍ରାଫିକ ଡ଼ିସିପି ଭାବେ ଆଇପିଏସ୍ ଏସ୍‌. ସୁଶ୍ରୀ ଯୋଗଦେବା ପରେ ରାସ୍ତାଘାଟ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବିଶେଷକରି ଲେଫ୍ଟ-ଫ୍ରି, ଟ୍ରାଫିକପୋଷ୍ଟରେ ସିଗନାଲ କାର୍ଯ୍ୟକ୍ଷମ ଏବଂ ରଙ୍ଗ୍‌ରୁଟଧାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଏଥିସହ ମଝିରାସ୍ତାରେ ଯାତ୍ରୀଙ୍କୁ ଓହ୍ଲାଉଥିବା ଯାନବାହନକୁ ମଧ୍ୟ ଟାର୍ଗେଟ୍ କରାଯାଇଛି । ବିଶେଷକରି ରାଜଧାନୀରେ ଜନପରିବହନ ଗାଡ଼ି ଗୁଡ଼ିକୁ ଫୋକସ କରାଯାଇଛି । ଏହି ଗାଡ଼ିଗୁଡ଼ିକ ଅଧିକ ନିୟମ ଉଲ୍ଲଙ୍ଘନ କରୁଛନ୍ତି । ରାପିଡ଼ୋ, ଓଲା ଭଳି ଘରୋଇ କମ୍ପାନୀ ଜରିଆରେ ଗଡୁଥିବା ଜନପରିବାହନ ଗାଡ଼ିଗୁଡ଼ିକ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଦେଖିବାକୁ ମିଳିଛି । ରଙ୍ଗ୍‌ରୁଟ୍‌ରେ ଯାଉଥିବା ଚାଳକଙ୍କ ପାଇଁ ଟ୍ରାଫିକ ପୁଲିସ ଏକ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରିଛି । ରାଜଧାନୀରେ ରଙ୍ଗ୍‌ରୁଟରେ ଯାଉଥିବା ଲୋକଙ୍କୁ ଅଟକାଇ ପୁଲିସ ଜୋରିମାନା ଆଦାୟ କରୁଛି । ଗତ ୧୫ଦିନରେ ପାଖାପାଖି ୩୬୧ଜଣଙ୍କ ଠାରୁ ଜୋରିମାନା ଆଦାୟ ହୋଇଥିବା ଟ୍ରାଫିକ ପୁଲିସ ପକ୍ଷରୁ ସୂଚନା ମିଳିଛି । ସବୁ ସ୍ଥାନରେ ପୁଲିସ କର୍ମଚାରୀ ଉପସ୍ଥିତ ରହୁନାହାନ୍ତି । ତେଣୁ ସେହି ସ୍ଥାନଗୁଡ଼ିକରେ ଟ୍ରାଫିକୟ ନିୟମ ବାରମ୍ବାର ଉଲ୍ଲଙ୍ଘନ ହେଉଛି । ପୁଲିସ ଅନୁପସ୍ଥିତ ଥିବାରୁ ଲୋକମାନେ ନିୟମକୁ ମାନୁନାହାନ୍ତି । ତେଣୁ ଯେଉଁଠି ଟ୍ରାଫିକ ନିୟମ ଉଲ୍ଲଙ୍ଘନ ହେଉଛି, ସେହି ଗାଡ଼ିର ଫଟୋ, ଓ ସ୍ଥାନ, ସମୟ ସମ୍ପର୍କରେ ପୁଲିସକୁ ଜଣାଇବାକୁ ଟ୍ରାଫିକ ପୁଲିସ ପକ୍ଷରୁ ଜନସାଧାରଣଙ୍କୁ କୁହାଯାଇଛି । ସାଧାରଣଲୋକେ ଉଲ୍ଲଙ୍ଘନକାରୀଙ୍କ ଫଟୋ ଟ୍ୱିଟ୍ କରି ଏସମ୍ପର୍କରେ ସୂଚନା ଦେଇ ପୁଲିସକୁ ସହଯୋଗ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking