29.1 C
Bhubaneswar
Saturday, April 27, 2024
Homeଓଡିଶାଦେଢ଼ ଶହ କେଜି ଓଜନର ଶରୀର, ଭିକ ମାଗି ପୋଷୁଛନ୍ତି ୬ ପ୍ରାଣୀ କୁଟୁମ୍ବ

ଦେଢ଼ ଶହ କେଜି ଓଜନର ଶରୀର, ଭିକ ମାଗି ପୋଷୁଛନ୍ତି ୬ ପ୍ରାଣୀ କୁଟୁମ୍ବ

ଗଞ୍ଜାମ :  ବୟସ ୩୨ ବର୍ଷ । ଶରୀରର ଓଜନ ପ୍ରାୟ ଦେଢ଼ ଶହ କେଜିରୁ ଊର୍ଦ୍ଧ୍ୱ । ନିଜ ଶରୀର ତାଙ୍କ ପାଇଁ ବୋଝ । ଏପରି ସ୍ଥଳେ ସକାଳୁ ସନ୍ଧ୍ୟା ଯାଏଁ ଭିକ ମାଗି ପରିବାରର ୬ ପ୍ରାଣୀ କୁଟୁମ୍ବ ପୋଷୁଛନ୍ତି । ଏଭଳି ଏକ ଦାରିଦ୍ର‌୍ୟ କଷାଘାତରେ ଜୀବନ ଜୀବିକାର ଦୋଛକିରେ ଭାଗ୍ୟକୁ ଆଦରି ଚଳୁଛନ୍ତି ପାତ୍ରପୁର ବ୍ଲକ ପଦାଦିଗି ପଞ୍ଚାୟତ ଦାମୋଦରପଲ୍ଲୀ ଗ୍ରାମର ଏ. ରାମରାଓ । ଶରୀର ଦିନକୁ ଦିନ ଫୁଲିବା ସହିତ ଗୋଡ଼ରେ ଘା’ ପଚିଯାଇଛି । ସେହିଭଳି କଦର୍ଯ୍ୟ ଅବସ୍ଥାରେ କଷ୍ଟ ସହି ସକାଳୁ ଘରୁ ବାହାରି ପାତ୍ରପୁର ବ୍ଲକର ବିଭିନ୍ନ ଗାଁକୁ ଯାଇ ଭିକ ମାଗୁଛନ୍ତି । ଘୁଷୁରି ଘୁଷୁରି ରାସ୍ତାରେ ବେଳେ ବେଳେ ବିଶ୍ରାମଗାର କିମ୍ବା ଗଛମୂଳେ ଭିକ୍ଷା ପୁଟୁଳି ଧରି ଶୋଇପଡୁଛନ୍ତି । ଯିଏ ଯାହା ଦେଲା ଖାଇବା ସହ ଘର ଲୋକଙ୍କ ପାଇଁ ଭିକ୍ଷା ମାଗି ନେଇଥାନ୍ତି । କୋଭିଡ ପୂର୍ବରୁ ତାଙ୍କ ଅସହାୟତା ଦେଖି କେହିକେହି ତାଙ୍କୁ ଯାତ୍ରୀବାହୀ ବସ୍‌ରେ ମାଗଣା ନେଉଥିଲେ । ବସ୍‌ରେ ଦୁଇ ପଇସା ରୋଜଗାର ବି ହୋଉଥିଲା । ହେଲେ ଗତ ପ୍ରାୟ ୭ ମାସ ହେବ ତାଙ୍କ ଶରୀର ଭୀଷଣ କଷ୍ଟ ହେବା ସହିତ ନିୟମିତ ଭିକ୍ଷା ପାଇଁ ଯିବାକୁ ତାଙ୍କୁ ଅସୁବିଧା ହେଉଛି । ହେଲେ ଘରେ ବିଧବା ମା, ବିଧବା ଭଉଣୀ ଓ ତାଙ୍କ ୩ ଜଣ ଛୁଆଙ୍କ ଦାୟିତ୍ୱ ତାଙ୍କ ମୁଣ୍ଡ ଉପରେ ।

ରାମା ରାଓଙ୍କ ବାପା ଜଣେ ମିଲ ଡ୍ରାଇଭର ଥିଲେ । ତାଙ୍କ ଆକସ୍ମିକ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ସୁଶିଳା ଦୋରା ଉପରେ ଘରର ବୋଝ ପଡିଥିଲା । ଝିଅ ଜି. ରତ୍ନାଲୁ ନିକଟସ୍ଥ ଗାଁ ନାରାୟଣପୁର ଗ୍ରାମରେ ବିବାହ କରିଥିଲେ । ତାଙ୍କ ସ୍ୱାମୀ ଜି. ଲଛନା ଦୋରାଙ୍କ ଉଭୟ କିଡନୀ ନଷ୍ଟ ହୋଇ ତାଙ୍କ ମୃତ୍ୟୁ ହୋଇଥିଲା । ତା’ପରେ ସେ ନିଜର ଦୁଇ ଝିଅ ଓ ପୁଅକୁ ଧରି ଚେନ୍ନାଇ ଯାଇ କୁଲି ଖଟି ପରିବାର ପୋଷୁଥିଲେ । କରୋନା ଯୋଗୁଁ ସେ ବି ମା’ ଘରେ ପିଲାଛୁଆଙ୍କ ସହିତ ରହୁଛନ୍ତି । ସମସ୍ତଙ୍କ ଦାୟିତ୍ୱ ଏବେ ରାମରାଓଙ୍କ ଉପରେ । କୋଭିଡ ସମୟରେ ଜିଲ୍ଲାପାଳ ତାଙ୍କ ଗାଁକୁ ଆସିଥିବା ବେଳେ ରାମରାଓଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ସେହି ସମୟରେ ରାମାରାଓ ନିଜ ପାଇଁ ଭତ୍ତା ସହ ଖଣ୍ଡେ ସରକାରୀ ଘର ପାଇଁ ଅନୁରୋଧ କରିଥିଲେ । ଜିଲ୍ଲାପାଳ ତାଙ୍କୁ ତୁରନ୍ତ ଭତ୍ତା ବ୍ୟବସ୍ଥା କରିବା ପାଇଁ ସେହି ସମୟରେ ପାତ୍ରପୁର ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ତାହା ବର୍ତ୍ତମାନ ସୁଦ୍ଧା କାର୍ଯ୍ୟରେ ପରିଣତ ହୋଇପାରିଲା ନାହିଁ । ଟିଣକୁଡ଼ିଆ ଘରେ ୭ ପ୍ରାଣୀ କୁଟୁମ୍ବ ରହୁଛନ୍ତି । ଏମାନଙ୍କ ଜୀବନ ବଞ୍ଚାଇବା ପାଇଁ ରାମରାଓ ନିଜେ ପାହୁଣ୍ଡେ ଚାଲିବାକୁ ଅକ୍ଷମ । ତଥାପି ଭିକ୍ଷା ମାଗି ଜୀବନ ସଂଗ୍ରାମ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking