26.1 C
Bhubaneswar
Wednesday, May 8, 2024
Homeଓଡିଶାଉପକୂଳରେ ପ୍ରବଳ ବର୍ଷିବ : ୧୪ ଯାଏଁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ

ଉପକୂଳରେ ପ୍ରବଳ ବର୍ଷିବ : ୧୪ ଯାଏଁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଜୁନ୍ ୧ରୁ ଅଗଷ୍ଟ ଶେଷ ସୁଦ୍ଧା ରାଜ୍ୟରେ ସେଭଳି ଭଲ ବର୍ଷା ହୋଇ ନଥିଲା । ହେଲେ ସେପ୍ଟେମ୍ବର ପହିଲାରୁ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧିପାଇଛି । ଆସନ୍ତା ୧୧ ତାରିଖରେ ଉତ୍ତର ତଥା ତତ୍‌ସଲଂଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଅଛି । ଓଡ଼ିଶା ପାଇଁ ଏହା ସପ୍ତମ ଲଘୁଚାପ ହୋଇଥିବାବେଳେ ଆଗାମୀ ଲଘୁଚାପ ପ୍ରଭାବରେ ରାଜ୍ୟର ଏକାଧିକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ୱାସ କହିଛନ୍ତି । ଆସନ୍ତାକାଲି ଅର୍ଥାତ୍ ୧୦ ତାରିଖ ଦିନ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବ । ଯାହାକି ୧୧ ତାରିଖ ବେଳକୁ ଘନିଭୂତ ହେବ । ୧୩ ରାତି ବା ୧୪ ସକାଳେ ଏହା ଦକ୍ଷିଣ ଓଡ଼ିଶା ଉପକୂଳ ଓ ସଂଲଗ୍ନ ଉତ୍ତର ଆନ୍ଧ୍ର ଉପକୂଳ ହୋଇ ପଶ୍ଚିମକୁ ଗତି କରିବା ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ । ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷାର ପରିମାଣ ଅଧିକ ରହିବ । ୧୩ ଓ ୧୪ ତାରିଖ ବେଳକୁ ଏହା କ୍ରମଶଃ ପଶ୍ଚିମ ଆଡ଼କୁ ଗତି କରିବା ସମୟରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଭାରୀ ବର୍ଷା ହୋଇପାରେ ବୋଲି ବିଶେଷଜ୍ଞ ଶ୍ରୀ ବିଶ୍ୱାସ କହିଛନ୍ତି । ଥାଇଲାଣ୍ଡ ନିକଟରେ ସୃଷ୍ଟି ହୋଇଥିବା ଏକ ସାଇକ୍ଲୋନିକ୍ ସର୍କୁଲେସନ୍ ପଶ୍ଚିମ ମୁହାଁ ହୋଇଥିବାବେଳେ ଏହାର ପ୍ରଭାବରେ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏକ ଲଘୁଚାପ ଘନୀଭୂତ ହେବ । ଏଥିପାଇଁ ଶନିବାର ସୁଦ୍ଧା ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି ।

ଏବେ ଏହା ସମୁଦ୍ର ପତନର ଉପରେ ରହିଥିବାବେଳେ ଉପକୂଳଠାରୁ ଯଥେଷ୍ଟ ଦୂରରେ ରହିଛି । ୧୧ ତାରିଖରେ ଲଘୁଚାପର ରୂପ ନେବା ପରେ ପରବର୍ତ୍ତିୀ ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନିଭୂତ ହେବା ସମ୍ଭାବନା ରହିଛି । ଫଳରେ ରାଜ୍ୟରେ ଆସନ୍ତା ୧୪ ତାରିଖ ଯାଏ ଭାରୀ ବର୍ଷା ସମ୍ଭାବନା ରହିଛି । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ସିଇସିର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି, ସେପ୍ଟେମ୍ବର ୧୩ ତାରିଖ ସୁଦ୍ଧା ଏହା ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଦେଇ ଗତି କରିବା ପୂର୍ବରୁ ପ୍ରଥମେ ପଶ୍ଚିମ ମୁହାଁ ହେବ । ପରବର୍ତ୍ତୀ ସମୟରେ ଉତ୍ତର-ପଶ୍ଚିମ ଦିଗ ଆଡକୁ ମୁହାଁଇବା ସହ ସେପ୍ଟେମ୍ବର ୧୨ ତାରିଖ ରାତି କିମ୍ବା ୧୩ ତାରିଖ ପୂର୍ବାହ୍ନ ସୁଦ୍ଧା ଘୂର୍ଣ୍ଣିଝଡରେ ପରିଣତ ହେବାର ସମ୍ଭାବନା ରହିଥିବା ଶ୍ରୀ ସାହୁ କହିଛନ୍ତି ।

ଏହାର ପ୍ରଭାବରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ଢେଙ୍କାନାଳ, ଦେବଗଡ଼, ଅନୁଗୁଳ, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୋନ୍‌ପୁର, ବୌଦ୍ଧ, ବଲାଙ୍ଗିର ଏବଂ ନୂଆପଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱର ପ୍ରଭୃତି ଉପକୂଳବର୍ତ୍ତୀ ଜିଲ୍ଲାରେ ସମୁଦ୍ର ପତ୍ତନ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ସେପଟେ ବଙ୍ଗୋପସାଗର ଉପରେ ଲମ୍ବିଥିବା ଘୁର୍ଣ୍ଣିବଳୟ ଏବେ ବଳ ସାଉଣ୍ଟୁଛି । ଯାହାପାଇଁ ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀଙ୍କୁ ୧୧ ସୁଦ୍ଧା କୂଳକୁ ଫେରିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଉଛି । ଆସନ୍ତା ୧୪ ତାରିଖ ଯାଏଁ ସମୂଦ୍ର ମଧ୍ୟକୁ ପ୍ରବେଶ କରିବାକୁ କେନ୍ଦ୍ର ପକ୍ଷରୁ ବାରଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking