27.1 C
Bhubaneswar
Wednesday, May 8, 2024
Homeଓଡିଶାବଢୁଛି ଦୁର୍ଘଟଣା: ଆମେ ସ୍ମାର୍ଟ ସିଟିର ସ୍ମାର୍ଟ ମଇଁଷି

ବଢୁଛି ଦୁର୍ଘଟଣା: ଆମେ ସ୍ମାର୍ଟ ସିଟିର ସ୍ମାର୍ଟ ମଇଁଷି

ରାଉରକେଲା: ବୁଲା ପଶୁ ସାଜିଛନ୍ତି ଦୁର୍ଘଟଣାର ବାହକ । ବୁଲା ଗାଈଗୋରୁ, ମଇଁଷି ଓ ଶ୍ୱାନ(କୁକୁର)ଙ୍କ ନିରାପଦ ଆଶ୍ରୟସ୍ଥଳ ପାଲଟିଛି  ରାଉରକେଲାର ରାଜରାସ୍ତା । ଦକ୍ଷିଣ ରାଉରକେଲାର ଜାତୀୟ ରାଜପଥ-୧୪୩ ସମେତ ସମସ୍ତ ପ୍ରମୁଖ ଓ ଗଳିକନ୍ଦି ରାସ୍ତାକୁ ବୁଲା ପଶୁ ନିଜ ଅକ୍ତିଆରରେ ରଖି ଉତ୍ପାତ ଜାହିର କରୁଛନ୍ତି । ଦିନବେଳା ମାଳମାଳ ଗାଈ, ମଇଁଷି ଓ ଷଣ୍ଢ ବିଚ୍ ରାସ୍ତାରେ ବିଚରଣ ତଥା ଶୋଇ ରହୁଥିବା ବେଳେ, ରାତିରେ ବୁଲା କୁକୁର ମାନଙ୍କ ଦୌରତ୍ମ୍ୟ ଦେଖିବାକୁ ମିଳୁଛି । ଏସବୁ ଦେଖି ଅଜଣା ରହୁଛି ସ୍ଥାନୀୟ ପ୍ରଶାସନ! ରାସ୍ତାରୁ ଗାଈଗୋରୁ, କୁକୁର ମାନଙ୍କୁ ଘଉଡ଼ାଇବା ପାଇଁ ପ୍ରଶାସନ କୌଣସି ଠୋସ ପଦକ୍ଷେପ ଗ୍ରହଣ କରୁ ନଥିବାରୁ ଦିନକୁ ଦିନ ଦୁର୍ଘଟଣାର ହାର ବଢୁଥିବା ସାଧାରଣରେ ଆଲୋଚନା ହେଉଛି ।
ଦକ୍ଷିଣ ରାଉରକେଲାର ବାସିନ୍ଦା ବିଭିନ୍ନ ସରକାରୀ ଓ ବ୍ୟବସାୟୀକ କାର୍ଯ୍ୟରେ ଜାତୀୟ ରାଜପଥ-୧୪୩ ଓ ମୁଖ୍ୟ ରାସ୍ତା ଉପରେ ନିର୍ଭର କରିଥାନ୍ତି । ଦୈନିକ ଶହଶହ ଗାଡ଼ି ଏହି ଦୁଇଟି ପ୍ରମୁଖ ରାସ୍ତା ଉପରେ ଗଡ଼ିଥାଏ, କିନ୍ତୁ ଦୁର୍ଭାଗ୍ୟର ବିଷୟ ଏହିକିଯେ, ଏହି ରାସ୍ତା ଗୁଡ଼ିକ ଏବେ ବୁଲା ଗୋରୁ ଗାଈଙ୍କ ଆଶ୍ରୟସ୍ଥଳ ପାଲଟିଛି । ଯାହା ଫଳରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟିହେବା ସ୍ୱାଭାବିକ । ରାତି ପାହିବା ଠାରୁ ସଂଜ ନଇଁବା ଯାଏ ରାଜରାସ୍ତାରେ ବୁଲା ପଶୁ ମାନେ ବିଚରଣ କରୁଛନ୍ତି, ଯାହା ଫଳରେ ଛୋଟବଡ଼ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି । ସେହିଭଳି ରାତି ସମୟରେ ବୁଲା କୁକୁରଙ୍କ ଭୟ ଲୋକଙ୍କୁ ଘାରୁଛି । ବିଭିନ୍ନ ରାସ୍ତାର ଛକରେ କୁକୁର ମାନେ ମେଳି ହୋଇ ଜମା ରହିବା ପଥଚାରୀଙ୍କୁ ଅସୁବିଧାରେ ପକାଉଛି । ସାଇକେଲ ଅବା ଦୁଇଚକିଆ ଯାନରେ ଯାଉଥିବା ବ୍ୟକ୍ତି ମାନଙ୍କୁ କୁକୁର ଆକ୍ରମଣର ଶୀକାର ହେବାକୁ ପଡୁଛି । ଅନ୍ୟପକ୍ଷେ ଦକ୍ଷିଣ ରାଉରକେଲାର କୌଣସି ସ୍ୱାସ୍ଥ୍ୟ କେନ୍ଦ୍ରରେ କୁକୁର କାମୁଡ଼ା ପ୍ରତିଷେଧକ ନିଶ୍ଲୁକ ମିଳୁ ନଥିବାରୁ,  ବ୍ୟକ୍ତି ଜଣଙ୍କୁ ଅଯଥାରେ ଖର୍ଚ୍ଚାନ୍ତ ହୋଇ ଆରଜିଏଚ ଯିବାକୁ ପଡ଼ୁଛି । ସମୟ ସମୟରେ ବାଇକ ଚଳାଉଥିବା ଚାଳକ ଜଣଙ୍କ କୁକୁର ଭୟରେ ବାଇକରୁ ପଡ଼ି ଆହତ ହେବା ପୂର୍ବରୁ ବହୁବାର ନଜିର ରହିଛି । ସେହିପରି କୁକୁର ଓ ବୁଲାଗୋରୁ ରାସ୍ତାରେ ଶୋଇ ରହିବା କାରଣରୁ କାର ଚାଳକ ମାନଙ୍କୁ ହଇରାଣ ହରକତର ସମ୍ମୁଖୀନ ହେବାକୁ ପଡୁଛି । କୌଣସି ବ୍ୟକ୍ତି କାର୍ଯ୍ୟ ସାରି ୧୦ଟା ପରେ ଘରକୁ ଫେରିଲେ କୁକୁର କାମୁଡ଼ାର ଶୀକାର ହେବାକୁ ପଡୁଛି । ଦକ୍ଷିଣ ରାଉରକେଲାର ଏଣେତେଣେ ଘୁରି ବୁଲୁଥିବା ବୁଲା ଗାଈଗୋରୁ, ମଇଁଷି ଓ  ବୁଲା କୁକୁର ମାନଙ୍କ ଉପଦ୍ରବ ରୋକିବାକୁ ପ୍ରଶାସନିକ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking