29.1 C
Bhubaneswar
Sunday, May 5, 2024
Homeଓଡିଶାନିଜ ପାଇଁ ନିଜେ ଖୋଳିଲେ ଚୂଆ

ନିଜ ପାଇଁ ନିଜେ ଖୋଳିଲେ ଚୂଆ

ଦାରିଙ୍ଗବାଡ : ତାତି ବଢ଼ିଛି । ପାରଦ ୪୦ ଡିଗ୍ରୀ ତଳକୁ ଖସୁନି । ଜନଜୀବନ ସହିତ ଜଳକୁ ବି ଏହା ପ୍ରଭାବିତ କରିଛି । କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହାର ଝଲକ ଦେଖିବାକୁ ମିଳୁଛି । ଆପତ୍ତି ଅଭିଯୋଗ ଉଠିଲେ କେଉଁଠି ପ୍ରଶାସନ ଶୁଣି ସମସ୍ୟା ସମାଧାନ କରୁୁଛି ତ କେଉଁଠି ଚୁପ୍ ରହୁଛି । ବାରମ୍ବାର ପାଣି ପାଇଁ ଦାବି କରି ଥକିବା ପରେ ଦାରିଙ୍ଗବାଡ଼ି ବ୍ଲକ ପର୍ତ୍ତର୍ମାହା ପଞ୍ଚାୟତର ମାଜାଙ୍ଗପାଟ୍ଟା ଗାଁ ଲୋକେ ତାତି ଉଠିଛନ୍ତି । ନିଜ ପାଇଁ ନିଜେ ଚୁଆ ଖୋଳି ପ୍ରଶାସନକୁ ଚେତାଇ ଦେଇଛନ୍ତି ଯେ, ଏଇ ହାତରେ ସବୁ ସମ୍ଭବ । ଦୀର୍ଘଦିନର ଜଳ ସମସ୍ୟା ସମାଧାନ ହୋଇଛି । ଏହି କାର୍ଯ୍ୟରେ ବି ସହଯୋଗ କରିଛି ସବୁଜବୈଦ୍ୟ ସଂଗଠନ ।

ଗାଁରେ ଅନେକ ଦିନ ଧରି ଜଳ ସମସ୍ୟା ଲାଗି ରହିଛି । ଗ୍ରୀଷ୍ମ ଆସିଲେ ଏହା ଉତ୍କଟ ରୂପ ନେଉଛି । ସରକାରଙ୍କୁ ଗ୍ରାମବାସୀ ବାରମ୍ବାର କହିବା ପରେ କୌଣସି ସୁଫଳ ମିଳିନଥିଲା । ପରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସବୁଜ ବୈଦ୍ୟର ସାହାରା ନେଇଥିଲେ । ସମ୍ପାଦକ ଦୀନବନ୍ଧୁ ମହାରଣାଙ୍କ ସହିତ ଯୋଗାଯୋଗ  କରି ଆଲୋଚନା ପରେ ନିଜସ୍ୱ ଉଦ୍ୟମରେ ଚୂଆ ନିର୍ମାଣ ପ୍ରୟାସ ଆରମ୍ଭ କରିଥିଲେ । ଗ୍ରାମରେ ଥିବା ମହିଳା ମାନେ ଚୂଆ ନିର୍ମାଣ ପାଇଁ ନିଜ ଅଞ୍ଚଳରୁ ପଥର ବୋହିଥିଲେ ଆଉ ପୁରୁଷମାନେ ମାଟି ଖୋଳିଥିଲେ । ଚୁଆର ଚାନ୍ଦିନୀ ନିର୍ମାଣ ପାଇଁ ଏଥି ସହିତ ଚୂଆ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ସିମେଣ୍ଟ ଏବଂ ଅନ୍ୟାନ୍ୟ ସାମଗ୍ରୀ ପାଇଁ ଗ୍ରାମବାସୀ ଜଣକା ପିଛା ମାତ୍ର ୧୦ ଟଙ୍କା ଲେଖାଏଁ ଆଦାୟ କରିଥିଲେ ।

ଅନ୍ୟପକ୍ଷରେ କାର୍ଯ୍ୟରେ ନିୟୋଜିତ ଗ୍ରାମବାସୀଙ୍କୁ ମଜୁରୀ ବାବଦକୁ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସବୁଜ ବୈଦ୍ୟ ସଙ୍ଗଠନ ସମସ୍ତ ସାମଗ୍ରୀ ପ୍ରଦାନ କରିଥିଲା । ଏବେ ଗାଁ ଲୋକଙ୍କୁ ପାଣି ମିଳୁଛି । ସେହିଭଳି ଉକ୍ତ ପଞ୍ଚାୟତର ବାସାବାଡ଼ି ଗାଁ ଲୋକେ ଜଳ ସମସ୍ୟା ଭୋଗୁଥିଲେ। ସେମାନେ ମଧ୍ୟ ଏକ ଚୁଆ ଖୋଳିଛନ୍ତି । ତାଙ୍କୁ ମଧ୍ୟ ଏହି ସ୍ୱେଚ୍ଛାସେବୀ ସଂଗଠନ ସହାୟତା କରିଛି । ଏହି କାର୍ଯ୍ୟକୁ ବିବିନ ପ୍ରଧାନ, ଯୋଶବନ୍ତ ପ୍ରଧାନ ଏବଂ ଶରତ ବଳିଆର ସିଂ ତଦାରଖ କରିଥିବା ବେଳେ ସଙ୍ଗଠନ ସଂପାଦକ ଦୀନବନ୍ଧୁ ମହାରଣା କାର୍ଯ୍ୟ ପରିଚାଳନା କରିଥିଲେ । ତେବେ କେବଳ ଉକ୍ତ ପଞ୍ଚାୟତର ଏହି ୨ ଗାଁ ନୁହେଁ ଯେଉଁ ଗାଁରେ ଏଭଳି ପାଣି ସମସ୍ୟା ରହିଛି ତାହାକୁ ଦୂର କରାଯିବ ବୋଲି ସଂଗଠନ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking