38.1 C
Bhubaneswar
Friday, April 26, 2024
Homeଓଡିଶାସୌଭାଗ୍ୟବତୀଙ୍କୁ ଭାଗ୍ୟ ହେଉନି ସାହା

ସୌଭାଗ୍ୟବତୀଙ୍କୁ ଭାଗ୍ୟ ହେଉନି ସାହା

ଢେଙ୍କାନାଳ : କେନ୍ଦ୍ର ସରକାରଙ୍କ ଉଜ୍ଜ୍ୱଳା ଯୋଜନାରେ ଜଣେ ନାବାଳିକାଙ୍କ ନାମରେ ଗ୍ୟାସ୍ ସଂଯୋଗ ହୋଇଥିଲା । ହେଲେ ସେହି ଗ୍ୟାସ୍ ତାଙ୍କ ପାଇଁ ବିପଦର କାରଣ ହେବ ତାହା ସେ ସ୍ୱପ୍ନରେ ମଧ୍ୟ ଭାବି ନଥିଲେ । ସରକାରଙ୍କଠାରୁ ମାଗଣାରେ ମିଳିଥିବା ଗ୍ୟାସ୍ରେ ରୋଷେଇ କରିବା ସମୟରେ ପୋଡି ହୋଇ ଗୁରୁତର ହେବାର ୨୨ ମାସ ପରେ ବି ଗ୍ୟାସ କମ୍ପାନୀ ସାହାଯ୍ୟ କରିବା ତ ଦୂରର କଥା ତଦନ୍ତ କରିବାକୁ ମଧ୍ୟ ଉଚିତ ମଣିନାହାନ୍ତି । ସରକାର କିମ୍ବା ଗ୍ୟାସ୍ କମ୍ପାନୀଠାରୁ ସାହାଯ୍ୟ ନ ପାଇ ସୌଭାଗ୍ୟବତୀ ଏବେ କରୁଣ ଜୀବନ ବିତାଉଛନ୍ତି । ଢେଙ୍କାନାଳ ଜିଲା ଭୁବନ ବ୍ଲକ ଅରଖପାଳ ପଞ୍ଚାୟତ ଖୁରୁସିଆ ଗାଁର ସ୍ୱର୍ଗତଃ ପତିତପାବନ ମଲ୍ଲିକଙ୍କ ୧୭ ବର୍ଷର ଝିଅ ସୌଭାଗ୍ୟବତୀଙ୍କ ନାମରେ ୨ ବର୍ଷ ପୂର୍ବେ ଭାରତ ଗ୍ୟାସ୍ କମ୍ପାନୀ ପକ୍ଷରୁ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍ ସଂଯୋଗ ଦିଆଯାଇଥିଲା । ଭାରତ ଗ୍ୟାସ୍ କମ୍ପାନୀର ବିତରକ ଜିରାଳସ୍ଥିତ ସାଇନାଥ ଗ୍ରାମୀଣ ଗ୍ୟାସ୍ ଏଜେନ୍ସି ଠାରୁ ୨୦୧୭ ମସିହା ଏପ୍ରିଲ ୨୭ ତାରିଖରେ ତାଙ୍କୁ ହିତାଧିକାରୀ ଭାବେ ଚୟନ କରାଯାଇଥିଲା । ଗ୍ରାହକ ନଂ ୮୩୬୩୩୭୦୧ ଅଟେ । ଗ୍ୟାସ୍ ସଂଯୋଗର ମାତ୍ର ୧୦ ମାସ ପରେ ୧୮ ଫେବୃୟାରୀ ୨୦୧୮ରେ ମାଟ୍ରିକ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଥିବା ବେଳେ ରୋଷେଇରେ ମା’ଙ୍କୁ ସାହାଯ୍ୟ କରିବାକୁ ଯାଇଥିଲେ । ମା’ଙ୍କ କହିବାନୁଯାୟୀ ଗ୍ୟାସ୍ରେ ସେ ଭଜା ଭାଜୁଥିଲେ । ପଖାଳ ଖାଇ ପରୀକ୍ଷା ଦେବାକୁ ଯାଇଥାନ୍ତେ । ହେଲେ ସୌଭାଗ୍ୟବତୀଙ୍କୁ ଭାଗ୍ୟ ସହିଲା ନାହିଁ । ଅସାବଧାନତା ଯୋଗୁ ଗ୍ୟାସ୍ ନିଆଁ ତାଙ୍କ ସ୍କୁଲ ଡ୍ରେସ୍ ଏବଂ ଓଢଣୀରେ ଲାଗି ଯାଇଥିଲା । ୫୦ ପ୍ରତିଶତ ସେ ପୋଡି ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ପ୍ରାୟ ୪ ମାସ ଧରି ଚିକିତ୍ସା ଚାଲିବା ପରେ ସାମାନ୍ୟ ସୁସ୍ଥ ହୋଇ ସେ ଘରକୁ ଫେରିଥିଲେ । ତାଙ୍କର ଚିକିତ୍ସା ପାଇଁ ପ୍ରାୟ ୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା କହନ୍ତି ମା’ ନାନୁ ମଲ୍ଲିକ । ସୌଭାଗ୍ୟବତୀଙ୍କ ଚିକିତ୍ସା ପାଇଁ ଜେଜେ ବାପାଙ୍କର ୨ ଗୁଣ୍ଠ ଜମି ସହ ଗାଈ ଛେଳି ବିକ୍ରି କରିବାକୁ ସେମାନେ ବାଧ୍ୟ ହୋଇଥିଲେ । ସୌଭାଗ୍ୟବତୀଙ୍କ ପରିବାର ଅତ୍ୟନ୍ତ ଗରିବ । ପରିବାର କହିଲେ ବିଧବା ମା’ ନାନୁ ମଲ୍ଲିକ, ୮୦ ବର୍ଷର ଜେଜେବାପା ଅଚ୍ୟୁତ ମଳିକ ଓ ୧୪ ବର୍ଷର ସାନ ଭାଇ ସଂଗ୍ରାମ ମଳିକ । ବାପା ପତିତ ମଳିକ ୧୪ ବର୍ଷ ତଳେ ମ୍ୟାଲେରିଆରେ ପୀଡିତ ହୋଇ ପ୍ରାଣ ହରାଇଛନ୍ତି । ଏବେ ପରିବାରର ରୋଜଗାର କହିଲେ ଜେଜେବାପା ଓ ବିଧବା ମା’ଙ୍କୁ ମିଳୁଥିବା ୧୦୦୦ ଟଙ୍କା ଭତ୍ତା ଆଉ ୨୦ କେଜି ଚାଉଳ । ଏଭଳି ପରିସ୍ଥିତିରେ ସୌଭାଗ୍ୟବତୀ ପରିବାର ଉପରେ ଏକ ବୋଝ ପାଲଟିଛନ୍ତିି । ଚିକିତ୍ସା ସମୟର କରଜ ଏ ଯାଏ ସୁଝା ଯାଇପାରିନି । ଗ୍ୟାସ୍ ନିଆଁରେ ପୋଡି ହେବା ପରେ ସୌଭାଗ୍ୟବତୀଙ୍କ ମା’ ସହାୟତା ପାଇଁ ଏକାଧିକବାର ସାଇନାଥ ଗ୍ୟାସ୍ ଗ୍ରାମୀଣ ବିତରକଙ୍କ ନିକଟକୁ ଯାଇ ନିରାଶ ହୋଇଛନ୍ତି । ତୁମ ଝିଅ ଗ୍ୟାସ୍ରେ ପୋଡି ହୋଇନି ବୋଲି ଉକ୍ତ ବିତରକ କହିବା ସହ ଘଟଣାକୁ ଏଡାଇ ଯାଇଥିଲେ ବୋଲି ବିଧବା ମା’ କହିଛନ୍ତି । ଏହି ଗରିବ ପରିବାର ବର୍ତ୍ତମାନ ଭାଗ୍ୟକୁ ଆଦରି ପଡି ରହିଛନ୍ତି । ନଭେମ୍ବର ୨୫ ତାରିଖରେ ଦିବ୍ୟାଙ୍ଗ ପ୍ରମାଣପତ୍ର ନିମନ୍ତେ ଭୁବନ ଆସି ଦିନ ସାରା ଅନଲାଇନକୁ ଅପେକ୍ଷା କରି ନିରାଶରେ ଫେରିଥିଲେ । ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାରେ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ସୌଭାଗ୍ୟବତୀଙ୍କୁ ମାତ୍ର ୨ହଜାର ଟଙ୍କା ସହାୟତା ଦେଇ ଦିବ୍ୟାଙ୍ଗ ପ୍ରମାଣପତ୍ର ନିମନ୍ତେ ପରାମର୍ଶ ପତ୍ର ଦେଇଥିଲେ । ଗ୍ୟାସ୍ରେ ପୋଡି ହୋଇଥିବା ସୌଭାଗ୍ୟବତୀ ୧୭ ବର୍ଷର ଝିଅ ହୋଇଥିଲେ ବି ଡ୍ରେସ ପିନ୍ଧି ପାରୁନାହାନ୍ତି । ଘରେ ରୁହନ୍ତୁ ବା କୌଣସି ଜାଗାକୁ ଯାଆନ୍ତୁ ସେ ଏକ ଧଳା ଲୁଗା ଘୋଡାଇ ହୋଇ ରହୁଛନ୍ତି । ୨ ବର୍ଷ ପୂର୍ବେ ଜଣେ ୧୫ ବର୍ଷର ନାବାଳିକାକୁ କିଭଳି ଗ୍ୟାସ୍ ସଂଯୋଗ ମିଳିଥିଲା ବୋଲି ପ୍ରଶ୍ନ କରିଛନ୍ତି ସମାଜସେବୀ ପୂର୍ଣ୍ଣଚନ୍ଦ୍ର ସାହୁ । ସେ କହିଛନ୍ତି ଯେ ମୋଦୀ ସରକାର ଗୋଟିଏ ବର୍ଷରେ ବହୁ ଅଯୋଗ୍ୟ ବ୍ୟକ୍ତିଙ୍କୁ ଗ୍ୟାସ୍ ସଂଯୋଗ ଦେଇ ବାହାବା ନେବା ପାଇଁ ଏପରି କିଛି କରିଥିଲେ । ଯାହାର ପ୍ରତ୍ୟକ୍ଷ ଉଦାହରଣ ହେଉଛନ୍ତି ସୌଭାଗ୍ୟବତୀ । ଏହି ଗରିବ ଅନୁସୂଚିତ ଜାତିର ବିଧବା ମହିଳାଙ୍କ ଝିଅକୁ କିଏ ନ୍ୟାୟ ଦେବ ବୋଲି ଶ୍ରୀ ସାହୁ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking