ସୋନିଆଙ୍କୁ ଭେଟିଲେ,ନିରଞ୍ଜନ ହଟାଇବା ଦାବିକଲେ

ଭୁବନେଶ୍ୱର : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧୀ ଗୋଷ୍ଠୀ ଏବେ ଅଧିକ ସକ୍ରିୟ ହୋଇ ଉଠିଛନ୍ତି | ନିରଞ୍ଜନଙ୍କୁ ହଟାଇବା ଦାବିରେ ସେମାନେ ଅଟଳ ରହିଛନ୍ତି | ନିକଟରେ ଏହି ବିରୋଧୀ ଗୋଷ୍ଠୀ ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରି ସାରିବା ପରେ ଦିଲ୍ଲୀ ଯାଇଥିବା ମହିଳା ଗୋଷ୍ଠୀ ଓ ଅନ୍ୟ ନେତାମାନେ ସୋମବାର ପୁଣି ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିଛନ୍ତି | ସେମାନଙ୍କର ଗୋଟିଏ ଦାବି ନିରଞ୍ଜନ ହଟାଅ,କଂଗ୍ରେସ ବଞ୍ଚାଅ | ନିରଞ୍ଜନ ନହଟିଲେ କଂଗ୍ରେସ ତିଷ୍ଠି ପାରିବ ନାହିଁ ବୋଲି ସେମାନେ ସଫା ସୋନିଆ ଗାନ୍ଧୀଙ୍କୁ ଶୁଣାଇ ଦେଇଛନ୍ତି |
ସୋମବାର ସୋନିଆ ଗାନ୍ଧୀଙ୍କର ଜନ୍ମଦିନ ଥିଲା | ଏହି ଅବସରରେ ତାଙ୍କୁ ଅଭିନନ୍ଦନ ଜଣାଇବାକୁ ଯାଇ ଓଡିଶାରେ ଦଳର ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି | ସେମାନେ ସୋନିଆ ଗାନ୍ଧୀଙ୍କୁ ଅବଗତ କରାଇଛନ୍ତି ଯେ, ଓଡିଶା ରାଜନୀତିରେ କଂଗ୍ରେସ 2ନମ୍ବରରେ ରହି ଆସୁଥିଲା,ଏବେ ଏହା ତୃତୀୟ ସ୍ଥାନକୁ ଖସି ଆସିଛି | ଗତ ସାଧାରଣ ନିର୍ବାଚନରେ ଓ ଉପନିର୍ବାଚନ ମାନଙ୍କରେ ଦଳକୁ ଶୋଚନୀୟ ବିପର୍ଯ୍ୟର ମୁକାବିଲା କରିବାକୁ ପଡିଥିଲା | ଏହା କେବଳ ଦୁର୍ବଳ ନେତୃତ୍ୱ ପାଇଁ ହୋଇଛି | ପିସିସି ସଭାପତିଙ୍କ ଦୁର୍ବଳ ନେତୃତ୍ୱ ପାଇଁ ଦ‌ଳକୁ ବହୁମୂଲ୍ୟ ଦେବାକୁ ପଡିଛି | ପାରିବାରିକ ରାଜନୀତି ଜନ ଇସ୍ତାହାର ନାମରେ ଜନ ସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ ନ କରିବା ଓ ନିର୍ବାଚନ ପରିଚାଳନରେ ବ୍ୟାପକ ତ୍ରୁଟି ଯୋଗୁ ଏଭଳି ସ୍ଥିତିର ସମ୍ମୁଖୀନ ହେବାକୁ ପଡିଲା | ସଭାପତିଙ୍କ ମନମୁଖୀ କାର୍ଯ୍ୟ ଓ ଦୁର୍ବଳ ସ୍ଥିତିକୁ ଦେଖି ତଳ ସ୍ତରରେ ଥିବା କର୍ମୀଙ୍କ ମନୋବଳ ଭାଙ୍ଗି ପଡିଛି ବୋଲି ସେମାନେ ଦର୍ଶାଇଛନ୍ତି |
 

ସୋନିଆଙ୍କୁ ସେମାନେ ଆହୁରି ବୁଝାଇଛନ୍ତି ଯେ, ବର୍ତ୍ତମାନ ପିସିସି ସଭାପତି ଦଳକୁ ଆଉ ଓଡିଶାରେ ସଂଗଠିତ କରିବା ସ୍ଥିତିରେ ନାହାଁନ୍ତି | ବର୍ତ୍ତମାନ ଦ‌ଳକୁ ଏକ ଯୁବ ନେତୃତ୍ୟର ଆବଶ୍ୟକ ରହିଛି | ଏଥିସହ ନେତୃତ୍ୱର ସଂଗ୍ରାମୀ ମନୋଭାବ ମଧ୍ୟ ଅପରିହାର୍ଯ୍ୟ ହୋଇ ପଡିଛି | ଏଭଳି ସ୍ଥିତିରେ ବିଧାୟକ ମହମ୍ମଦ ମୋକିମ ସଭାପତି ପଦ ପାଇଁ ଉପଯୁକ୍ତ ବୋଲି ସେମାନେ ସୋନିଆଙ୍କୁ ବୁଝାଇଛନ୍ତି | ବିଧାୟକ ଶ୍ରୀ ମୋକିମ ପୂର୍ବରୁ ପିସିସି କୋଷାଧ୍ୟକ୍ଷ ସହ ବିଭିନ୍ନ ପଦ ପଦବୀରେ ରହି ସଫଳତାର ସହ କାର୍ଯ୍ୟ କରି ତାଙ୍କ ଦକ୍ଷତା ପ୍ରତିପାଦନ କରି ସାରିଛନ୍ତି | ସେ ଚାରିଜଣ ପିସିସି ସଭାପତିଙ୍କ ସହ କାର୍ଯ୍ୟ କରିଛନ୍ତି | କୌଣସି ସଭାପତି ତାଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ନାହାଁନ୍ତି | ଛାତ୍ର ଜୀବନରୁ ସେ ଜଣେ ସଂଗ୍ରାମୀ ଛାତ୍ର ନେତା ଭବେ ପରିଚିତ ଥିଲେ | ଛାତ୍ର ସଂସଦର ସଭାପତି ଥିଲେ,ସିନେଟ ସଭ୍ୟ ମଧ୍ୟ ହୋଇଥିଲେ | ଏପରିକୁି ସେ ଜଣେ ସଫଳ ଉଦ୍ୟୋଗୀ ଭାବେ ରାଜ୍ୟରେ ପରିଚିତ | ଲଗାତର ଭାବେ କଟକ ଆସନରୁ ବିଜେଡି ଓ ବିଜେପି ବିଭିନ୍ନ ସମୟରେ ବିଜୟୀ ହୋଇ ଆସୁଥିସଲେ | ଦୀର୍ଘ ବର୍ଷ ପରେ କଟକ ପରି ଏକ ସମ୍ମାନଜନକ ଓ ସ୍ପର୍ଶକାତର ନିର୍ବାଚନ ମଣ୍ଡଳୀରେ ଚାଲି ଆସିଥିବା ବିଜୟ ଧାରାକୁ ରୋକି କଂଗ୍ରେସ ପ୍ରାର୍ଥୀ ଭାବେ ସେଠାରେ ଏଥର ମୋକିମ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି | ଏହା କେବଳ ମୋକିମଙ୍କ ଦୃଢ ନେତୃତ୍ୟ ଓ ଲୋକପ୍ରିୟତା ଯୋଗୁଁ ସମ୍ଭବ ହୋଇ ପାରିଛି | ଏଣୁ ଏଭଳି ଜଣେ ବ୍ୟକ୍ତିଙ୍କୁ ସଭାପତି କରାଗଲେ ଦଳ ଆଗକୁ ବଢିବ ବୋଲି ସେମାନେ ସୋନିଆଙ୍କୁ ବୁଝାଇଛନ୍ତି | ଯେଉଁ ନେତମାନେ ବାରମ୍ବାର ନିର୍ବାଚନ ହାରୁଛନ୍ତି,ନିଜ ନିର୍ବାଚନ ମଣ୍ଡଳାରେ ଲୋକପ୍ରିୟତା ମନାହିଁ,ସେଭଳି ବ୍ୟକ୍ତିଙ୍କୁ ସଭାପତି କଲେ ଦଳ ଦୁର୍ବଳ ହେବା ଛଡା ଅନ୍ୟକିଛି ବାଟ ନାହିଁ ବୋଲି ଏହି ବିଦ୍ରୋହୀ ନେତାମାନେ କହୁଛନ୍ତି |
ସୋନିଆଙ୍କୁ ଭେଟିଥିବା ନେତାଙ୍କ ଭିତରେ ପୂର୍ବତନ ପିସିସି ସାଧାରଣ ସମ୍ପାଦକ ବିଶ୍ୱଜିତ ଦାସ,ନିକୁିଞ୍ଜ ପସାୟତ,ସତ୍ୟାନନ୍ଦ ରାଉତ,ସନ୍ଧ୍ୟା ମହାପାତ୍ର,ଶୈଳବାଳା ଜେନା,ଗିରିବାଲା ବେହେରା,ବିଶ୍ୱକଲ୍ୟାଣୀ କର,ଆରତୀ ସ୍ୱାଇଁ ପ୍ରମୁଖ ସୋନିଆଙ୍କୁ ସଂସଦ ଭବନରେ ସୋମବାର ଅପରାହ୍ନରେ ତାଙ୍କ ପ୍ରକୋଷ୍ଠରେ ସାକ୍ଷାତ କରିଛନ୍ତି |