28.1 C
Bhubaneswar
Friday, May 3, 2024
Homeଦେଶ ବିଦେଶଶାନ୍ତି ଶୃଙ୍ଖଳାର ସହ ପ୍ରଥମ ପର୍ଯ୍ୟାୟ ଭୋଟ୍ ଶେଷ; ମତସାବ୍ୟସ୍ତ କଲେ ୬୨.୩୭ % ଭୋଟର

ଶାନ୍ତି ଶୃଙ୍ଖଳାର ସହ ପ୍ରଥମ ପର୍ଯ୍ୟାୟ ଭୋଟ୍ ଶେଷ; ମତସାବ୍ୟସ୍ତ କଲେ ୬୨.୩୭ % ଭୋଟର

-ବିହାରରେ ସର୍ବାଧିକ ୮୦%, ବିହାରରେ ସର୍ବନିମ୍ନ ୪୮% ଭୋଟିଂ
– ୧୦୨ ଆସନରେ ପଡ଼ିଲା ଭୋଟ୍‌
– ଇଭିଏମ୍‌ରେ କଏଦ୍ ହାଇପ୍ରୋଫାଇଲ୍ ପ୍ରାର୍ଥୀଙ୍କ ଭାଗ୍ୟ
– ମଣିପୁର, ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା
– ବସ୍ତର ଜିଲ୍ଲାରେ ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର
ନୂଆଦିଲ୍ଲୀ : ୨୧ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୧୦୨ ଆସନ ପାଇଁ ଆଜି ଅନୁଷ୍ଠିତ ହୋଇଥିବା ମତଦାନ ପ୍ରକ୍ରିୟା ନିର୍ଦ୍ଧାରିତ ସମୟ ସୁଦ୍ଧା ଶେଷ ହୋଇଛି । ସନ୍ଧ୍ୟା ୬ଟା ସୁଦ୍ଧା ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଭୋଟିଂ ହାର ହାରାହାରି ୬୨.୩୭% ରହିଥିବା ସୂଚନା ମିଳିଛି । ତେବେ ୨୦୧୯ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ହାର ତୁଳନାରେ ଚଳିତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ହାର ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ୨୦୧୯ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମୋଟ୍ ୬୯.୪୩% ଭୋଟିଂ ହୋଇଥିବା ବେଳେ ଏଥର ଏହା ୬୨%ରେ ସୀମିତ ରହିଛି । ଦେଶର ଏହି ୧୦୨ ଆସନ ପାଇଁ ମତଦାନ ପ୍ରକ୍ରିୟା ସକାଳ ୭ରୁ ଆରମ୍ଭ ହୋଇ ନିର୍ଦ୍ଧାରିତ ସନ୍ଧ୍ୟା ୬ଟା ଯାଏ ଚାଲିଥିଲା । ଆଜିର ଏହି ପର୍ଯ୍ୟାୟରେ ନୀତିନ୍ ଗଡକରୀ, ସର୍ବାନନ୍ଦ ସୋନୱାଲ୍‌, କିରଣ ରିଜିଜୁଙ୍କ ସମେତ ୯ କେନ୍ଦ୍ରମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଜଣେ ପୂର୍ବତନ ରାଜ୍ୟପାଳଙ୍କ ଭାଗ୍ୟ ଇଭିଏମ୍‌ରେ କଏଦ ହୋଇଯାଇଛି ।

ମଣିପୁର ସହ ପଶ୍ଚିମବଙ୍ଗର କେତେକ ଅଞ୍ଚଳ ଏବଂ ଛତିଶଗଡ଼ର ବସ୍ତର ଜିଲ୍ଲାକୁ ବାଦ୍ ଦେଲେ ଲୋକସଭାର ପ୍ରଥମ ପର୍ଯ୍ୟାୟ ଭୋଟିଂ ପ୍ରକ୍ରିୟା ଆପାତତଃ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି । ମଣିପୁରର ବିଷ୍ଣୁପୁର ପୁଲିଂ ବୁଥ୍‌ରେ ମତଦାନ ପ୍ରକ୍ରିୟା ଚାଲିଥିବା ସମୟରେ ଗୁଳିକାଣ୍ଡ ହୋଇଥିବା ଏବଂ ରାଜଧାନୀ ଇମ୍ଫାଲର ପୂର୍ବ ଇମ୍ଫାଲ ଅଞ୍ଚଳରେ ଏକ ପୁଲିଂ ଷ୍ଟେସନ୍‌କୁ ଭଙ୍ଗାରୁଜା କରାଯାଇଥିବା ନେଇ ସୂଚନା ମିଳିଛି । ସେହିପରି ପଶ୍ଚିମବଙ୍ଗ ଏବଂ ବସ୍ତର ଅଞ୍ଚଳରେ ମଧ୍ୟ କାଁଭାଁ ନିର୍ବାଚନୀ ହିଂସାକାଣ୍ଡ ପରିଲକ୍ଷିତ ହୋଇଥିବା ରିପୋର୍ଟ ହସ୍ତଗତ ହୋଇଛି । ପଶ୍ଚିମବଙ୍ଗର କୁଚବିହାର ଜିଲ୍ଲା ସିତଲକୁନି ଠାରେ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏବଂ ବିରୋଧୀ ବିଜେପିର କର୍ମୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିବା ନେଇ କୁହାଯାଉଥିଲେ ମଧ୍ୟ ପଶ୍ଚିମବଙ୍ଗ ପୁଲିସ ଏପ୍ରକାର ସୂଚନାକୁ ଖଣ୍ଡନ କରିଛି । ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନୀ ପ୍ରକ୍ରିୟା ଶେଷ ହୋଇଥିବା କୋଲକାତା ପୁଲିସ୍ ଦର୍ଶାଇଛି । ସେହିପରି ବସ୍ତର ଜିଲ୍ଲାରେ ଭୋଟ ଗ୍ରହଣ ଚାଲିଥିବା ବେଳେ ଆଇଇଡି ବ୍ଲାଷ୍ଟ୍ ହେବା ନେଇ ଖବର ମିଳିଛି । ଏପରିକି ବିସ୍ଫୋରଣରେ ଜଣେ ସିଆରପିଏଫ ଯବାନ ଆହତ ହୋଇଥିବା ନେଇ ମଧ୍ୟ ଜଣାପଡିଛି ।

ନିର୍ବାଚନୀ ହିଂସାକାଣ୍ଡ ସତ୍ତ୍ୱେ ପଶ୍ଚିମବଙ୍ଗର ୩ଟି ଆସନ ପାଇଁ ଆଜି ହୋଇଥିବା ମତଦାନ ପ୍ରକ୍ରିୟାରେ ସର୍ବାଧିକ ଭୋଟ୍ ପ୍ରତିଶତ ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗର ଏହି ୩ ଆସନରେ ଭୋଟିଂ ହାର ୭୭.୫୭% ରହିଛି । ସେହିପରି ମଣିପୁରର ୨ଟି ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଇଥିବା ବେଳେ ହିଂସାକାଣ୍ଡ ସତ୍ତ୍ୱେ ଏଠାରେ ୬୮%ରୁ ଅଧିକ ଭୋଟର ନିଜର ମତ ସାବ୍ୟସ୍ତ କରିଛନ୍ତି । ତ୍ରିପୁରାରେ ସର୍ବାଧିକ ୮୦% ଭୋଟିଂ ହୋଇଥିବାବେଳେ ବିହାରରେ ସର୍ବନିମ୍ନ ୪୮% ମତଦାନ ହୋଇଛି । ବିହାରର ୪ଟି ଲୋକସଭା ଆସନ ପାଇଁ ଆଜି ଭୋଟଗ୍ରହଣ କରାଯାଇଥିବା ବେଳେ ମାତ୍ର ୪୮% ଭୋଟର ଭୋଟ୍ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମିଳିଥିବା ସୂଚନାନୁସାରେ ତାମିଲନାଡୁର ସମସ୍ତ ୩୯ ଲୋକସଭା ଆସନ ପାଇଁ ଆଜି ମତଗ୍ରହଣ କରାଯାଇଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ଏଠାରେ ଭୋଟ୍ ପ୍ରତିଶତ ମାତ୍ର ୬୨.୩% ରହିଛି । ୨୦୧୯ ବିଧାନସଭା ନିର୍ବାଚନ ସମୟରେ ତାମିଲନାଡୁରେ ୭୨.୪% ଭୋଟିଂ ହୋଇଥିଲା । ସେହିପରି ରାଜସ୍ଥାନରେ ମଧ୍ୟ ଆଜି ମାତ୍ର ୫୦.୯% ଭୋଟିଂ ହୋଇଥିବା ଜଣାପଡିଛି । ଉତ୍ତରପ୍ରଦେଶରେ ୫୭.୬%, ମଧ୍ୟପ୍ରଦେଶରେ ୬୩.୩% ଭୋଟିଂ ହୋଇଛି । ଅନ୍ୟପକ୍ଷରେ ଉତ୍ତରପୂର୍ବ ରାଜ୍ୟ ଆସାମରେ ୭୧.୩% ଭୋଟିଂ ହୋଇଥିବା ବେଳେ ମେଘାଳୟରେ ୭୦.୨%, ମଣିପୁରରେ ୬୮.୬%, ଅରୁଣାଚଳପ୍ରଦେଶରେ ଭୋଟିଂ ହାର ୬୫.୪% ରହିଛି ।

ଏତଦ୍‌ବ୍ୟତୀତ ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମର ମୋଟ୍ ୮୨ ବିଧାନସଭା ଆସନ ପାଇଁ ଅନୁଷ୍ଠିତ ହୋଇଥିବା ନିର୍ବାଚନ ମଧ୍ୟ ଆଜି ସମ୍ପନ୍ନ ହୋଇଛି । ଅରୁଣାଚଳର ମୋଟ୍ ୬୦ ବିଧାନସଭା ଆସନ ମଧ୍ୟରୁ ପ୍ରାର୍ଥୀ ପତ୍ର ଦାଖଲ ସମୟରୁ ହିଁ ୧୦ ଆସନରେ ବିଜେପି ପ୍ରାର୍ଥୀମାନେ ର୍ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବାରୁ ବାକି ୫୦ ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଇଥିଲା । ସେହିପରି ସିକ୍କିମ୍‌ର ମୋଟ୍ ୩୨ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଇଥିଲା । ରିପୋର୍ଟ ଅନୁସାରେ ଅରୁଣାଚଳ ପ୍ରଦେଶର ୬୮.୩% ଲୋକ ଏବଂ ସିକ୍କିମର ୬୮% ଲୋକ ରାଜ୍ୟରେ ସରକାର ଗଠନ ପାଇଁ ଭୋଟ୍ ଦେଇଛନ୍ତି । ୨୦୧୯ରେ ଅରୁଣାଚଳ ବିଧାନସଭା ନିର୍ବାଚନ ପାଇଁ ମୋଟ୍ ୬୫.୧% ଭୋଟିଂ ହୋଇଥିବା ବେଳେ ସିକ୍କିମ୍‌ରେ ୮୧.୪% ଭୋଟ୍ ହାର ରହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking