32.1 C
Bhubaneswar
Thursday, May 2, 2024
Homeଖେଳରାହୁଲ ଓ ଡି କକ୍‌ଙ୍କ ଅର୍ଦ୍ଧଶତକ: ୮ ୱିକେଟ୍‌ରେ ହାରିଲା ଚେନ୍ନାଇ; ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସର...

ରାହୁଲ ଓ ଡି କକ୍‌ଙ୍କ ଅର୍ଦ୍ଧଶତକ: ୮ ୱିକେଟ୍‌ରେ ହାରିଲା ଚେନ୍ନାଇ; ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସର ଚତୁର୍ଥ ବିଜୟ

ଲକ୍ଷ୍ନୌ: ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ର ୩୪ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର୍ କିଙ୍ଗ୍‌ସକୁ ୮ ୱିକେଟ୍‌ରେ ହରାଇ ଦେଇଛି । ପ୍ରଥମେ ବ୍ୟାଟିଂ ପାଇଥିବା ଚେନ୍ନାଇ ସୁପର୍ କିଙ୍ଗ୍‌ସ ରବୀନ୍ଦ୍ର ଜାଡ଼େଜାଙ୍କ ଅପରାଜିତ ୫୭ ରନ୍‌ର ଅପରାଜିତ ଇନିଂସ୍ ସହାୟତାରେ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ୍ ହରାଇ ୧୭୬ ରନ୍ କରିଥିଲା । ଜବାବରେ ଲକ୍ଷ୍ନୌ ୧୯ ଓଭର୍‌ରେ ୨ ୱିକେଟ୍ ବିନିମୟରେ ୧୮୦ ରନ୍ କରି ବିଜୟୀ ହୋଇଥିଲା । ୧୯ତମ ଓଭର୍‌ର ଶେଷ ବଲ୍‌ରେ ପୂରନ୍ ଚୌକା ମାରି ଟିମ୍‌କୁ ସିଜନ୍‌ରେ ଚତୁର୍ଥ ବିଜୟ ଦେଇଥିଲେ । ଅନ୍ୟପକ୍ଷରେ ଚେନ୍ନାଇର ଏହା ୭ଟି ମ୍ୟାଚ୍‌ରେ ତୃତୀୟ ପରାଜୟ । ତେବେ ପଏଣ୍ଟ୍ ଟେବଲ୍‌ରେ ଉଭୟ ଟିମ୍‌ର ସ୍ଥିତିରେ କୌଣସି ପରିବର୍ତ୍ତନ ଘଟିନାହିଁ ।

୧୭୭ ରନ୍‌ର ଲକ୍ଷ୍ୟକୁ ପିଛା କରୁଥିବା ଲକ୍ଷ୍ନୌର ଦୁଇ ଓପ୍ନର୍ କ୍ୱିଣ୍ଟନ୍ ଡି କକ୍ ଓ କ୍ୟାପ୍‌ଟେନ୍ କେଏଲ୍ ରାହୁଲ ଚମତ୍କାର ବ୍ୟାଟିଂ କରି ପ୍ରଥମ ୱିକେଟ୍ ପାଇଁ ୯୦ ବଲ୍‌ରେ ୧୩୪ ରନ୍‌ର ଭାଗୀଦାରି କରିଥିଲେ । ତେବେ ଧୋନିଙ୍କ ହାତରେ ଡି କକ୍‌ଙ୍କୁ କ୍ୟାଚ୍ କରାଇ ମୁସ୍ତାଫିଜୁର୍ ରହମାନ୍ ଏହି ଯୋଡ଼ିରେ ବ୍ରେକ୍ ଲଗାଇଥିଲେ । ଡି କକ୍ ୪୩ ବଲ୍‌ରୁ ୫ ଚୌକା ଓ ଗୋଟିଏ ଛକା ସହାୟତାରେ ୫୪ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିଲେ । ଡି କକ୍‌ଙ୍କ ଆଉଟ୍ ପରେ କ୍ରିଜ୍‌କୁ ଆସିଥିବା ନିକୋଲାସ୍ ପୂରନ୍ କ୍ୟାପ୍‌ଟେନ୍ ରାହୁଲଙ୍କ ସହ ଇନିଂସ୍ ଆଗେଇ ନେଇଥିଲେ । ଉଭୟଙ୍କ ମଧ୍ୟରେ ଦ୍ୱିତୀୟ ୱିକେଟ୍ ପାଇଁ ୨୭ ରନ୍‌ର ଭାଗୀଦାରି ହୋଇଥିଲେ । ତେବେ ଟିମ୍‌ର ସ୍କୋର୍ ୧୬୧ ରନ୍ ହୋଇଥିବା ବେଳେ ମହୀଶା ପାଥିରାନାଙ୍କ ବଲ୍‌ରେ ଜାଡ଼େଜାଙ୍କୁ କ୍ୟାଚ୍ ରାହୁଲ ପ୍ୟାଭିଲିୟନ୍ ଫେରିଥିଲେ । ୩୧ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିବା ରାହୁଲ ୫୩ ବଲ୍‌ର ସମ୍ମୁଖୀନ ହୋଇ ୯ ଚୌକା ଓ ୩ ଛକା ସହାୟତାରେ ୮୨ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ୍ ଖେଳିଥିଲେ । ଏହାପରେ ୧୯ତମ ଓଭର୍‌ର ଶେଷ ବଲ୍‌ରେ ତୁଷାର ଦେଶପାଣ୍ଡେଙ୍କୁ ଚୌକା ମାରି ପୂରନ୍ ଲକ୍ଷ୍ନୌକୁ ବିଜୟୀ କରାଇଥିଲେ । ପୂରନ୍ ୧୨ ବଲ୍‌ରେ ୩ ଚୌକା ଓ ଗୋଟିଏ ଛକା ସହାୟତାରେ ୨୩ ରନ୍ ଏବଂ ମାର୍କସ୍ ଷ୍ଟୋଇନିସ୍ ୮ ରନ୍ କରି ଅପରାଜିତ ରହିଥିଲେ । ମୁସ୍ତାଫିଜୁର୍ ଓ ପାଥିରାନାଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ଲକ୍ଷ୍ନୌ କ୍ୟାପ୍‌ଟେନ୍ କେଏଲ୍ ରାହୁଲ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଚେନ୍ନାଇ ପକ୍ଷରୁ ରବୀନ୍ଦ୍ର ଜାଡ଼େଜା ୪୦ ବଲ୍‌ରେ ୫ ଚୌକା ଓ ଗୋଟିଏ ଛକା ସହାୟତାରେ ଅପରାଜିତ ୫୭ ରନ୍ କରିଥିଲେ । ଆଜିଙ୍କ୍ୟ ରାହାଣେ ୩୪ ଏବଂ ମୋଇନ୍ ଅଲୀ ୩୦ ରନ୍‌ର ଯୋଗଦାନ ଦେଇଥିଲେ । କ୍ୟାପ୍‌ଟେନ୍ ଋତୁରାଜ ଗାଏକ୍‌ୱାଡ୍ ୧୭ ରନ୍ କରିଥିବା ବେଳେ ପୂର୍ବତନ କ୍ୟାପ୍‌ଟେନ୍ ଏମ୍‌ଏସ୍ ଧୋନି ଦୁଇଟି ଲେଖାଏଁ ଛକା ଓ ଚୌକା ସହାୟତାରେ ୯ ବଲ୍‌ରେ ୨୮ ରନ୍ କରି ଅପରାଜିତ ରହିଥିଲେ । ଓପ୍ନର୍ ରଚିନ୍ ରବୀନ୍ଦ୍ର ଗୋଲ୍‌ଡେନ୍ ଡକ୍ ହୋଇ ପ୍ୟାଭିଲିୟନ୍ ଫେରିଥିବା ବେଳେ ଶିଭମ୍ ଦୁବେ ୩ ଓ ସମୀର ରିଜ୍‌ଭି ୧ ରନ୍ କରିବାକୁ ସମର୍ଥ ହୋଇଥିଲେ । ଲକ୍ଷ୍ନୌ ପକ୍ଷରୁ କୃଣାଳ ପାଣ୍ଡ୍ୟା ଦୁଇଟି ୱିକେଟ୍ ନେଇଥିବା ବେଳେ ମୋହସିନ୍ ଖାନ୍‌, ୟଶ୍ ଠାକୁର, ରବି ବିଷ୍ଣୋଇ ଓ ମାର୍କସ୍ ଷ୍ଟୋଇନିସ୍‌ଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking