28.1 C
Bhubaneswar
Saturday, April 27, 2024
Homeଓଡିଶାକଇଁଛଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ : ଅଣ୍ଡା ଚୋରିକୁ ନେଇ ଚିନ୍ତା

କଇଁଛଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ : ଅଣ୍ଡା ଚୋରିକୁ ନେଇ ଚିନ୍ତା

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଦେଇ ପ୍ରବାହିତ ବ୍ରାହ୍ମ୍ମଣୀ ନଦୀପଠା କଇଁଛଙ୍କ ପାଇଁ ସୁରକ୍ଷିତ ପ୍ରଜଜନସ୍ଥଳୀ ଭାବେ ବିବେଚିତ । ତେବେ ଯେଉଁ ସ୍ଥାନରେ କଇଁଛମାନେ ଅଣ୍ଡା ଦେଉଛନ୍ତି ସେଠାରେ ମାଛ ମାରିବା ପାଇଁ କିଛି ଅସାମାଜିକ ଲୋକ ଡିନାମାଇଟ ବିଷ୍ଫୋରଣ କରୁଥିବା ବେଳେ କଇଁଛ ଅଣ୍ଡା ମଧ୍ୟ ନିୟମିତ ଚୋରି ହେଉଛି । ଫଳରେ କଇଁଛ ବଂଶ ପ୍ରତି ବିପଦ ସୃଷ୍ଟି ହୋଇଛି । ଢେଙ୍କାନାଳ ବନଖଣ୍ଡ ଷଡଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ଯୋରନ୍ଦା ଫରେଷ୍ଟ ସେକ୍ସନ ଅଧିନସ୍ଥ ବ୍ରାହ୍ମଣୀ ନଦୀ କୂଳରେ କଇଁଛମାନଙ୍କ ସୁରକ୍ଷିତ ପ୍ରଜଜନସ୍ଥଳୀ ପାଲଟିିଛି । ବ୍ରାହ୍ମଣୀ ନଦୀ କୂଳରେ ଥିବା ବିଭିନ୍ନ ଗ୍ରାମ ସଦର ବ୍ଲକ ଅନ୍ତର୍ଗତ ବଣସିଂହ, ନୂଆପଡା ଏବଂ ଭୁବନ ବନାଞ୍ଚଳ ଅନ୍ତର୍ଗତ ବୁଢିବିଲି, ଭଇରପୁର, ବୋଲୁଅ ଓ ରାଙ୍କିଆ ଗ୍ରାମ ନିକଟରେ କଇଁଛ ଅଣ୍ଡା ଦେବା ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି ହୋଇଛି ।
ଢେଙ୍କାନାଳ ଜିଲ୍ଲାରେ ପ୍ରବାହିତ ବ୍ରାହ୍ମଣୀ ନଦୀକୂଳରେ ଥିବା ବଣସିଂହ, ନୂଆପଡା, ବୁଢିବିଲି, ଭଇରପୁର, ବୋଲୁଅ ଓ ରାଙ୍କିଆ ନଦୀ କୂଳରେ କଇଁଛମାନେ ଅଣ୍ଡାଦେବା ପାଇଁ ସୁରକ୍ଷିତ ସ୍ଥାନ ଭାବରେ ବାଛି ନେଇଛନ୍ତି । ଏହି ଅଞ୍ଚଳରେ ୬ଟି ପ୍ରଜାତିର କଇଁଛ ଦେଉଳି, କାମୁଡା, କୁମାଙ୍ଗି, ଚାଭେରୀ, ଅମୁହାଁ ଏବଂ ମୟୁରଚୂଳିଆ କଇଁଛମାନେ ନଦୀକୂଳରେ ବାଲିରେ ଅଣ୍ଡା ଦେଇଥାନ୍ତି । ଏହି କଇଁଛମାନେ ନଭେମ୍ବର ପ୍ରଥମ ସପ୍ତାହରୁ ଫେବୃଆରୀ ମଧ୍ୟରେ ଅଣ୍ଡା ଦେଇଥାନ୍ତି । କିନ୍ତୁ ଏହି ୬ଟି ପ୍ରଜାତି କଇଁଛ ମଧ୍ୟରୁ ଦେଉଳି ପ୍ରଜାତିର କଇଁଛ ଥରକେ ୫ରୁ ୧୫ଟି ଅଣ୍ଡା ଦେଉଥିବା ବେଳେ ଅନ୍ୟ ୫ଟି ପ୍ରଜାତିର କଇଁଛ ଥରକେ ୪୦ରୁ ୮୦ଟି ଅଣ୍ଡା ଦେଉଥିବା ଜଣାପଡିଛି । ଏହି ସ୍ଥାନରେ ପ୍ରାୟ ୧ ହଜାରରୁ ଅଧିକ କଇଁଛ ଅଣ୍ଡା ଦେଉଥିବା ଜଣାପଡିଛି । ପାରିପାଶ୍ୱିର୍କ ପରିବେଶକୁ ନେଇ କଇଁଛମାନେ ଉକ୍ତ ସ୍ଥାନକୁ ନିଜର ସୁରକ୍ଷିତ ଆବାସସ୍ଥଳୀ ଭାବେ ଧରି ନେଇଛନ୍ତି । ବଣସିଂହ ଓ ନୂଆପଡା ଅଞ୍ଚଳର ପ୍ରାୟ ଏକ କିମି ମଧ୍ୟରେ ଏବଂ ବୁଢିବିଲି, ଭଇରପୁର, ବୋଲୁଅ, ରାଙ୍କିଆ ଗ୍ରାମର ପ୍ରାୟ ସାଢେ ୪ କିମି ନଦୀ ପଠାରେ କଇଁଛମାନେ ଅଣ୍ଡା ଦେଉଥିବା ଜଣାପଡିଛି । ଗତ ୯ ଜାନୁଆରୀ ୨୦୧୪ ମସିହାରେ ଏହି ଅଞ୍ଚଳରେ କଇଁଛ ପ୍ରଜଜନ କରୁଥିବା ଖବର ଜଣାପଡିଥିଲା । ଢେଙ୍କାନାଳ ଜୀବଜନ୍ତୁ କଲ୍ୟାଣ ଥଇଥାନ ସଙ୍ଗଠନର ସମ୍ପାଦକ ରାଜେନ୍ଦ୍ର ପାଣିଗ୍ରାହୀ ସ୍ଥାନୀୟ ଲୋକଙ୍କ ସହାୟତାରେ ଏହାକୁ ପ୍ରଥମେ ଠାବ କରିଥିଲେ । ତା ପୂର୍ବରୁ ଏତେ ପରିମାଣର କଇଁଛ ଏହି ସ୍ଥାନରେ ଅଣ୍ଡା ଦେଉ ନ ଥିଲେ । କଇଁଛ ବଂଶ ବୃଦ୍ଧି କରିବା ପାଇଁ ପରିବେଶ ସନ୍ତୁଳନ ରକ୍ଷା ପାଇଁ ଏହି ଅଞ୍ଚଳକୁ ସ୍ଥାନୀୟ ଲୋକ ନିଷିଦ୍ଧାଞ୍ଚଳ ଭାବରେ ଘୋଷଣା କରିଛନ୍ତି । କିନ୍ତୁ କେତେକ ଖଳ ପ୍ରକୃତିର ଲୋକ କଇଁଛମାନଙ୍କର ଅଣ୍ଡା ଚୋରି କରୁଥିବା ଅଭିଯୋଗ ହେଉଛି ।
ଗତ ୨୦୧୯ରେ ଓଡିଶା ଜୈବ ବିବିଧତା ବୋର୍ଡର ବରିଷ୍ଠ ବୈଜ୍ଞାନିକ ଡଃ.ରଞ୍ଜନ ବେହେରା ବ୍ରାହ୍ମଣୀ ନଦୀର ଉକ୍ତ କଇଁଛ ପ୍ରଜଜନ ସ୍ଥାନ ଉପରେ ଗବେଷଣା ଆରମ୍ଭ କରିଛନ୍ତି । ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକର ମାଣିକମରା ପଞ୍ଚାୟତଠାରୁ ବ୍ରାହ୍ମଣୀ ନଦୀ ଆରମ୍ଭ ହୋଇ ଗଁଦିଆ ବ୍ଲକର ପିଙ୍ଗୁଆ ମଧ୍ୟରେ ପ୍ରବାହିତ ବ୍ରାହ୍ମଣୀ ନଦୀର ସଦର ଏବଂ ଭୁବନ ବ୍ଲକର ନଦୀପଠାରେ କଇଁଛମାନେ ଅଣ୍ଡା ଦେଉଥିବା ଜଣାପଡିଛି । ବରିଷ୍ଠ ବୈଜ୍ଞାନିକ ଶ୍ରୀ ବେହେରାଙ୍କ ଗବେଷଣାରୁ ଜଣାପଡିଛି ଯେ ବଣସିଂହ, ନୂଆପଡା, ବୁଢିବିଲି, ଭଏରପୁର, ବୋଲୁଅ ଓ ରାଙ୍କିଆ ନିକଟସ୍ଥ ବ୍ରାହ୍ମଣୀ ନଦୀ କୂଳରେ କଇଁଛମାନେ ଅଣ୍ଡାଦେବା ପାଇଁ ବାଲିର ତାପମାତ୍ରା, ପାଣିର ବିଶୁଦ୍ଧତା, ଅମ୍ଳଜାନ ଏବଂ ବାୟୁମଣ୍ଡଳର ଶୁଦ୍ଧତା ବେଶ ଅନୁକୂଳ ହେଉଛି । ଏହି ପ୍ରଜଜନ କେନ୍ଦ୍ର ଅଞ୍ଚଳରେ ପାଣିର ବିଶୁଦ୍ଧତା ଏବଂ ଅମ୍ଳଜାନ ପ୍ରତ୍ୟେକ ମାସରେ ୨ ଥର ମାପ କରାଯାଉଛି । ତା ସହିତ ବାୟୁ ମଣ୍ଡଳର ଉତ୍ତାପକୁ ମାପ କରାଯାଉଛି । ଦୀର୍ଘ ୫ ବର୍ଷ ହେବ ଏଠାରେ କଇଁଛମାନେ ଅଣ୍ଡା ଦେବା ସହିତ ପ୍ରଜଜନ କରୁଥିବାରୁ ଏହାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯିବା ସହିତ ଅଭୟାରଣ୍ୟର ମାନ୍ୟତା ଦେବା ପାଇଁ ଦାବି ହେଉଛି । ବ୍ରାହ୍ମଣୀ ନଦୀର ଉପର ମୁଣ୍ଡରେ ଏବଂ ପ୍ରଜଜନ କେନ୍ଦ୍ରର ତଳ ମୁଣ୍ଡରେ କିଛି ଅସାମାଜିକ ବ୍ୟକ୍ତି ଡିନାମାଇଟ ଏବଂ ବିଷାକ୍ତ ରାସାୟନିକ ଦ୍ରବ୍ୟ ବ୍ୟବହାର କରି ମାଛ ମାରୁଥିବା ଯୋଗୁ କଇଁଛମାନଙ୍କ ବଂଶବୃଦ୍ଧିି ପ୍ରତି ବିପଦ ସୃଷ୍ଟି କରିଛି । ପ୍ରଶାସନିକସ୍ତରରେ ଦୃଢ ପଦକ୍ଷେପ ସହିତ କଇଁଛ ବଂଶର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ପରିବେଶବିତ, ଗବେଷକ, ବୁଦ୍ଧିଜୀବୀ ଏବଂ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking