ନୂଆଦିଲ୍ଲୀ: ବିଚାରପତି ନିଯୁକ୍ତି ପାଇଁ ଥିବା କଲେଜିୟମ ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ମତଭେଦ ମଧ୍ୟରେ ଆଉ ଦୁଇ ଜଣ ବିଚାରପତିଙ୍କ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ କେନ୍ଦ୍ର ସରକାରଙ୍କୁ ଏକ ସୁପାରିଶ ପଠାଇଛନ୍ତି।
ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ରାଜେଶ ବିନ୍ଦଲ ଏବଂ ଗୁଜୁରାଟ ହାଇକୋର୍ଟମୁଖ୍ୟ ବିଚାରପତି ଅରବିନ୍ଦ କୁମାରଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ କଲେଜିୟମ ସୁପାରିଶ କରିଛନ୍ତି । କଲେଜିୟମର ଅଂଶ ଥିବା ଜଷ୍ଟିସ କେଏମ ଜୋସେଫ ଗୁଜୁରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଅରବିନ୍ଦ କୁମାରଙ୍କ ନାମ ଉପରେ ଆପତ୍ତି ଉଠାଇ କହିଛନ୍ତି ଯେ ତାଙ୍କ ନାମ ପରେ ବିଚାର କରାଯାଇପାରିବ ।
ଗତ ଡିସେମ୍ବର ୧୩, ୨୦୨୨ ରେ କଲେଜିୟମ ରାଜସ୍ଥାନ ହାଇକୋର୍ଟମୁଖ୍ୟ ବିଚାରପତି ପଙ୍କଜ ମିତ୍ତଲ, ପାଟନା ହାଇକୋର୍ଟମୁଖ୍ୟ ବିଚାରପତି ସଞ୍ଜୟ କାରୋଲ, ମଣିପୁର ହାଇକୋର୍ଟ ମୁଖ୍ୟ ବିଚାରପତି ପିଭି ସଞ୍ଜୟ କୁମାର, ପାଟନା ହାଇକୋର୍ଟ ବିଚାରପତି ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲା ଏବଂ ଆହ୍ଲାବାଦ ହାଇକୋର୍ଟ ବିଚାରପତି ମନୋଜ ମିଶ୍ରଙ୍କ ନାମ ସୁପ୍ରିମକୋର୍ଟ ବିଚାରପତି ଭାବେ ସୁପାରିଶ କରିଥିଲେ । କେନ୍ଦ୍ର ଏପର୍ଯ୍ୟନ୍ତ ତାଙ୍କ ନିଯୁକ୍ତିକୁ ଅନୁମୋଦନ କରିନାହିଁ । ଏଣୁ ଏହି ନୂଆ ସୁପାରିଶ ଉପରେ କେନ୍ଦ୍ର ସରକାର କଣ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ ।