30.1 C
Bhubaneswar
Sunday, May 5, 2024
Homeଓଡିଶା‘ଲର୍ଣ୍ଣିଂ ଏନ୍‌ହାନ୍ସମେଣ୍ଟ ପ୍ରୋଗ୍ରାମ’ କଡ଼ାକଡ଼ି ଲାଗୁ କରିବାକୁ ନିର୍ଦ୍ଦେଶ : ନିଯୁକ୍ତ ହେବେ ଅତିରିକ୍ତ ୧୮୦୪...

‘ଲର୍ଣ୍ଣିଂ ଏନ୍‌ହାନ୍ସମେଣ୍ଟ ପ୍ରୋଗ୍ରାମ’ କଡ଼ାକଡ଼ି ଲାଗୁ କରିବାକୁ ନିର୍ଦ୍ଦେଶ : ନିଯୁକ୍ତ ହେବେ ଅତିରିକ୍ତ ୧୮୦୪ ସିଆର୍‌ସିସି

ଭୁବନେଶ୍ୱର :  ରାଜ୍ୟରେ ଉଭୟ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ଶିକ୍ଷାର ବିକାଶ ଲାଗି ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ପ୍ରଥମଥର ଲାଗି ଆରମ୍ଭ ହୋଇଥିବା ‘ଲର୍ଣ୍ଣିଂ ଏନ୍‌ହାନ୍ସମେଣ୍ଟ ପ୍ରୋଗ୍ରାମ’ (ଏଲ୍‌ଇପି) ଯେପରି କଡ଼ାକଡ଼ି ଭାବେ କାର୍ଯ୍ୟକାରୀ ହେବ ସେ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।  ନିତିଆୟୋଗ ପକ୍ଷରୁ ଚୂଡ଼ାନ୍ତ ହୋଇଥିବା ଏହି ଯୋଜନା ଯେପରି ସଠିକ୍ ଭାବେ ରାଜ୍ୟରେ କାର୍ଯ୍ୟକରିବ ଏବଂ ଏଥିରେ ଜଡ଼ିତ ଅଧିକାରୀମାନେ ସଠିକ୍ ଭାବେ ସେମାନଙ୍କ କାର୍ଯ୍ୟ ତୁଲାଇବେ ସେ ଦିଗରେ ବିଭାଗର ବରିଷ୍ଟ ଅଧିକାରୀମାନେ ନଜର ଦେବେ । ତେବେ ଏହି ଯୋଜନାର ସଫଳ ରୂପାୟନ ଏବଂ ତଦନ୍ତ କରିବାକୁ ମାସିକ ୩ ଥର ଭିଡିଓ କନ୍‌ଫରେନ୍ସ ଜିଲ୍ଲାୱାରୀ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମଧ୍ୟରେ କରାଯିବ ।

ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲଗୁଡିକର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଏପ୍ରିଲ ୩୦ ତାରିଖ ସୁଦ୍ଧା ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଏହି ସ୍କୁଲ ଯାଞ୍ଚ କାର୍ଯ୍ୟକ୍ରମ କେବଳ ଜିଲ୍ଲାୱାରୀ ସିଆର୍‌ସିସିମାନଙ୍କ ଦ୍ୱାରା ମନିଟରିଂ କରାଯିବ । ପ୍ରକାଶଥାଉ କି, ୬ରୁ ୧୪ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତ୍ୟେକ ପିଲାଙ୍କୁ ପ୍ରାଥମିକ ଶିକ୍ଷା ଯୋଗାଇବା ସହ ସେମାନଙ୍କ ଦକ୍ଷତା ବୃଦ୍ଧି ଲାଗି  ରାଜ୍ୟ ସରକାର ରାଜ୍ୟରେ ପ୍ରଥମଥର ଲାଗି ଏଲଇପି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ପଢ଼ାରେ ଦୁର୍ବଳ ପିଲାଙ୍କ ଲାଗି ସ୍କୁଲରେ ଦୈନିକ ଗୋଟିଏ  କ୍ଲାସ୍ ବାଧ୍ୟତାମୂଳକ ଭାବେ ରହିବ । ଖରାଛୁଟି ଏବଂ ବଡ଼ଦିନ ଛୁଟିରେ ଦୁବର୍ଳ ପିଲାଙ୍କ ଲାଗି ସ୍ୱତନ୍ତ୍ର କ୍ଲାସ ହେବ ।

ଏହାବ୍ୟତୀତ ଏହି ଏଲ୍‌ଇପିରେ ପିଲାଙ୍କ ଲାଗି ମଧ୍ୟ ସ୍ୱତନ୍ତ୍ର ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯିବ । ଯେଉଁଥିରେ ପ୍ରଥମ ଶ୍ରେଣୀ ଲାଗି ‘ସ୍ପେସାଲ ୱାର୍କ୍ସ ବୁକ୍‌’ ପ୍ରସ୍ତୁତ ହେବ । ପ୍ରଥମରେ ଶିକ୍ଷକମାନେ ଟେକ୍ସଟ୍ ବହି ନପଢ଼ାଇ ଏହି ‘ସ୍ପେସାଲ ୱାର୍କ୍ସ ବୁକ୍‌’  ପଢ଼ାଇବେ । ଯଦିଓ ଶିକ୍ଷକମାନେ ଫର୍ମାଲ ପଦ୍ଧତିରେ ଶିକ୍ଷାଦାନ କରିବେ, ତେବେ ବୁଝି ପାରୁନଥିବା ପିଲାଙ୍କୁ ବୁଝାଇବା ଲାଗି ଆବଶ୍ୟକସ୍ଥଳେ ନନ୍ ଫର୍ମାଲ ପଦ୍ଧତି ବ୍ୟବହାର କରିପାରିବେ । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ଲାଗି ଷ୍ଟେଟ୍ ମନିଟରିଂ ପ୍ରୋଗ୍ରାମ ମଧ୍ୟ ଆରମ୍ଭ ହେବ । ଏହା ୨ଟି ପର୍ଯ୍ୟାୟରେ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି । ଏହି ମନିଟରିଂ ପ୍ରୋଗ୍ରାମରେ ସ୍ୱଚ୍ଛତା ଆଣିବା ଲାଗି କେବଳ ସିଆର୍‌ସିସିଙ୍କୁ ଦାୟିତ୍ୱ ଦିଆଯାଇଛି । ତେବେ ଯୋଜନା ପାଇଁ ଅତିରିକ୍ତ ୧୮୦୪ ସିଆର୍‌ସିସିଙ୍କ ଆବଶ୍ୟକ ରହିଛି ।

ସେମାନଙ୍କୁ ଖୁବ୍ ଶୀଘ୍ର ନିଯୁକ୍ତ କରାଯିବ । ଏହି ଯୋଜନାରେ ପ୍ରତ୍ୟେକ ସିଆର୍‌ସିସି ଦୈନିକ ୨ଟି ସ୍କୁଲ ପରିଦର୍ଶନ କରି ରିପୋର୍ଟ ପ୍ରସ୍ତୁତ କରିବେ । ଆସନ୍ତା ଏପ୍ରିଲ ୩୦ତାରିଖ ସୁଦ୍ଧା ରାଜ୍ୟର ସବୁ ସ୍କୁଲର ପରିଦର୍ଶନ କାର୍ଯ୍ୟକ୍ରମ ଶେଷ କରିବେ । ଯେଉଁ ସ୍କୁଲର ରିପୋର୍ଟରେ କିଛି ସମସ୍ୟା ବା ସ୍କୁଲର ଭିତ୍ତିଭୂମି କିମ୍ବା ଶିକ୍ଷାଦାନ ପଦ୍ଧତିରେ ଅଭିଯୋଗ ରହିବ, ସଂମ୍ପୃକ୍ତ ସ୍କୁଲଗୁଡିକୁ ମେ’ ପ୍ରଥମ ସପ୍ତାହରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ ପାହ୍ୟାର ଅଧିକାରୀମାନେ ପରିଦର୍ଶନ କରିବେ ।

ଅପରପକ୍ଷେ ଏଲ୍‌ଇପିରେ ବର୍ଷ ଶେଷକୁ ୩ଟି ପର୍ଯ୍ୟାୟରେ ଇମ୍ପ୍ରୁଭ୍‌ମେଣ୍ଟ ପରୀକ୍ଷା ହେବ । ଯେଉଁଥିରେ ଛାତ୍ରଛାତ୍ରୀମାନେ ଯଦି ସର୍ବନିମ୍ନ ୫୦ପ୍ରତିଶତ ତଳକୁ ମାର୍କ ଆଣନ୍ତି ତେବେ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ । ପ୍ରତି ବର୍ଷ ଏକାଡେମିକ କ୍ୟାଲେଣ୍ଡରର ଶେଷ ସପ୍ତାହରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏସ୍‌ପିଡି, ଯୁଗ୍ମ ନିର୍ଦ୍ଦେଶକ, ଡିଇଓ କିମ୍ବା ଡିପିସି, ବିଇଓ କିମ୍ବା ବିଆର୍‌ସିସି ଏବଂ ଶିକ୍ଷା ବିଜ୍ଞାନୀ ସଂଯୋଜକଙ୍କ ଦ୍ୱାରା ଏହି ଯୋଜନାର ପର୍ଯ୍ୟବେକ୍ଷଣ ତଥା ଅନୁଧ୍ୟାନ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking