32.1 C
Bhubaneswar
Saturday, May 18, 2024
Homeଓଡିଶା୨୯ରେ ପୁଣି ଲଘୁଚାପ!

୨୯ରେ ପୁଣି ଲଘୁଚାପ!

ଭୁବନେଶ୍ୱର: ଆସନ୍ତା ୪୮ ଘଣ୍ଟାରେ ଓଡ଼ିଶାରୁ ସଂପୂର୍ଣ୍ଣ ବିଦାୟ ନେବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏବେସୁଦ୍ଧା ପ୍ରାୟତଃ ୨୦ ଜିଲ୍ଲାରୁ ମୌସୁମୀ ବିଦାୟ ନେଇସାରିଥିବାବେଳେ ବାକି ୧୦ ଜିଲ୍ଲାରୁ ବିଦାୟ ନେବ । ଯାହାଫଳରେ ଆସନ୍ତାକାଲିଠାରୁ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ୱାସ କହିଛନ୍ତି । ଏହି ସ୍ଥିତିରେ ଆସନ୍ତା ୨୯ ତାରିଖରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି । ଆମେରିକାର ପାଣିପାଗ ସଂସ୍ଥା ଆକ୍ୟୁୱେଦର ପକ୍ଷରୁ ଏନେଇ ପୂର୍ବାନୁମାନ କରାଯାଇଛି । ପ୍ରଭାବରେ ଆସନ୍ତା ୨୯ରୁ ନଭେମ୍ବର ୪ ତାରିଖ ଯାଏଁ ରାଜ୍ୟକୁ ଭାରୀ ବର୍ଷା ସମ୍ଭାବନା ରହିଛି । ଅକ୍ଟୋବର ମାସରେ ସାଧାରଣତଃ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ତାହା ଅଧିକ ଘନିଭୂତ ହେବା ସମ୍ଭାବନା ରହିଥାଏ ।

ହେଲେ ୨୯ ବେଳକୁ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟା ରୂପ ନେବା ସମ୍ଭାବନା କମ୍ । ସୂଚନା ଅନୁଯାୟୀ, ଦିନେ ଦୁଇ ଦିନରେ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବ । ଯାହାକି ଅଧିକ କେନ୍ଦ୍ରୀଭୂତ ହେବା ସହ ମିଆଁମାର, ଭିଏତ୍‌ନାମ ଆଡ଼କୁ ମୁହାଁଇବ । ପରବର୍ତ୍ତୀ ସମୟରେ ଏହାର ଏକ ଅଂଶ ବଙ୍ଗୋପସାଗରରେ ପ୍ରବେଶ କରିବ । ଯାହାକି ୨୯ ତାରିଖ ବେଳକୁ କ୍ରମଶଃ ଘନିଭୂତ ହୋଇ ଏକ ଲଘୁଚାପର ରୂପ ନେବା ସମ୍ଭାବନା ରହିଛି । ଏହି ଲଘୁଚାପଟି ଦକ୍ଷିଣ ଆଡ଼କୁ ଗତି କରିବା ନେଇ ପାଣିପାଗ ବିଜ୍ଞାନୀମାନେ ପ୍ରଥମିକ ଆକଳନ କରିଛନ୍ତି । ଯଦି ଏହା ଦକ୍ଷିଣ ଆଡ଼କୁ ଗତି କରେ ତେବେ ଏହାର ବିଶେଷ ପ୍ରଭାବ ତେଲେଙ୍ଗାନା ଓ ଆନ୍ଧ୍ର ଉପରେ ରହିବ । ୨୯ରୁ ୪ ତାରିଖ ଯାଏଁ ରାଜ୍ୟକୁ ଲଗାଣ ବର୍ଷା ସମ୍ଭାବନା ଥିବା ବିଭିନ୍ନ ପାଣିପାଗ ମଡେଲରୁ ମଧ୍ୟ ଜଣାପଡ଼ିଛି ।

ଘୁର୍ଣ୍ଣିବଳୟଟି ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଗତିଶୀଳ ହେବା ପରେ ହିଁ ଏନେଇ କିଛି ସ୍ପଷ୍ଟ ଆକଳନ କରାଯାଇପାରିବ । ଆସନ୍ତା ୨୪ ତାରିଖ ବେଳକୁ ଏହାର ଗତିପଥ ଓ ତୀବ୍ରତା ନେଇ ଆକଳନ କରିହେବ ବୋଲି ପାଣିପାଗ ବିଜ୍ଞାନୀ ପ୍ରଫେଶର ସନ୍ଦୀପ ପଟ୍ଟନାୟକ କହିଛନ୍ତି । ତାଙ୍କ କହିବା ମୁତାବକ, ସମ୍ଭାବ୍ୟ ଲଘୁଚାପ ଦ୍ୱାରା ଦକ୍ଷିଣ ଭାରତର ଅଧିକାଂଶ ରାଜ୍ୟରେ ଲଗାଣ ବର୍ଷା ହେବା ସମ୍ଭାବନା ରହିଛି । ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ରହିବ କି ନାହିଁ ତା’ର ଗତିପଥ ସ୍ପଷ୍ଟ ହେଲେ ଜଣାପଡ଼ିବ । କିନ୍ତୁ ୨୯ରୁ ୪ ତାରିଖ ମଧ୍ୟରେ ରାଜ୍ୟର ଏକାଧିକ ଜିଲ୍ଲାରେ ଉକ୍ତ ଲଘୁଚାପ ପ୍ରଭାବରେ ବର୍ଷା ସମ୍ଭାବନା ରହିଛି । ଆଇଏମ୍‌ଡି ଓ ନ୍ୟାସନାଲ ସେଣ୍ଟର ଫର ମିଡିଅମ୍ ରେନ୍ ୱେଦର ଫୋରକାଷ୍ଟିଂ ସଂସ୍ଥା ପକ୍ଷରୁ ମଧ୍ୟ ସାମ୍ଭାବ୍ୟ ବାତ୍ୟା ନେଇ ପୂର୍ବାନୁମାନ କରାଯାଇଛି ।

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଫେରିଯାଇଥିଲେ ମଧ୍ୟ ଆସନ୍ତା ନଭେମ୍ବର ୧୮ ତାରିଖ ଯାଏଁ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ଓ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ଜାରି ରହିବ । ନଭେମ୍ବର ୧୮ ତାରିଖ ପରେ ଏହା କ୍ରମଶଃ ହ୍ରାସ ପାଇବ ବୋଲି ପୂର୍ବାନୁମାନ ପ୍ରକାଶ ପାଇଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି । ଅନପଟେ ରାଜ୍ୟକୁ ଉତ୍ତରା ପବନ ବହିବା ଆରମ୍ଭ ହେବା ସହ ଥଣ୍ଡାର ଆଗମନ ହୋଇଛି । ରାଜ୍ୟରେ ପାଗ ଶୁଖିଲା ରହିଥିବାବେଳେ ଏକାଧିକ ସ୍ଥାନରେ ଝାପ୍ସା କୁହୁଡ଼ି ମଧ୍ୟ ନଜରକୁ ଆସିଛି । ବୁଧବାର ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ୱରରେ କିଛି ମାତ୍ରାରେ କୁହୁଡ଼ିର ବଳୟ ଦେଖିବାକୁ ମିଳିଥିଲା ।

ଯାହାକି ଗୁରୁବାର ସକାଳ ପର୍ଯ୍ୟନ୍ତ ରହିଥିଲା । ଆଗକୁ ଅଧିକ ଶୀତ ପଡ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ରାତିରେ ୧.୫ରୁ ୨ ଡିଗ୍ରୀ ଯାଏଁ ପାରଦ ଖସିପାରେ ବୋଲି କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସେହିପରି ଆସନ୍ତା ୨୫ ତାରିଖରୁ ଦିନ ଓ ରାତି ଉଭୟ ସମୟରେ ସର୍ବନିମ୍ନ ଓ ସର୍ବୋଚ୍ଚ ତାପମାତ୍ରା ହ୍ରାସ ପାଇବ । ଲଘୁଚାପ ଜନିତ ବର୍ଷା ରାଜ୍ୟରେ ଶୀତ ଅନୁଭୁତ କରାଇବ । ଲଘୁଚାପ ଫଳରେ ଚଳିତବର୍ଷ ରାଜ୍ୟକୁ ଶୀତ ଶୀଘ୍ର ଆସିବ ବୋଲି ପୂର୍ବାନୁମାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking