25.1 C
Bhubaneswar
Thursday, May 9, 2024
Homeଓଡିଶାଆରମ୍ଭ ହେଲାଣି ବିତ୍ପାତ, ୬ଜିଲ୍ଲାରେ ବନ୍ୟା ପରିସ୍ଥିତି

ଆରମ୍ଭ ହେଲାଣି ବିତ୍ପାତ, ୬ଜିଲ୍ଲାରେ ବନ୍ୟା ପରିସ୍ଥିତି

ଭୁବନେଶ୍ବର : ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ରବିବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଛତିଶଗଡ଼ରେ ବି ଲଗାଣ ବର୍ଷା ଜାରି ରହିଥିବାରୁ ମହାନଦୀ ସମେତ ବିଭିନ୍ନ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। ବୈତରଣୀ, ବଂଶଧାରା, ଜଳକା ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ଥିବାବେଳେ ନରାଜରେ ମହାନଦୀ ସତର୍କ ସଂକେତ ଉପରେ ବହୁଛି। ଲଗାଣ ବର୍ଷା ‌ଏବଂ ତଳମୁଣ୍ଡରେ ନଦୀ ଜଳ ମାଡ଼ିଯିବାରୁ ୬ଟି ଜିଲ୍ଲା ସମ୍ବଲପୁର, କଟକ, କନ୍ଧମାଳ, ସୋନପୁର, ଜଗତସିଂହପୁର, କୋରାପୁଟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଦ୍ବାରା ୫୪୬୬ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୧୭୬ଟି ଘର ଭାଙ୍ଗିଥିବା ଜିଲ୍ଲାପାଳମାନଙ୍କ ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ଏହି ସବୁ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ସହ ରିଲିଫ ବଣ୍ଟନ ଆରମ୍ଭ ହୋଇଛି। ମହାନଦୀ ଏବଂ ଶାଖା ନଦୀରେ ଜଳସ୍ତର ବଢ଼ୁଥିବାରୁ ସରକାର ୫ଟି ଜିଲ୍ଲା ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକରେ ୭ଟି ଓଡ୍ରାଫ ଟିମ୍‌, ୩ଟି ଏନ୍‌ଡିଆର୍‌ଏଫ୍ ଟିମ୍ ଏବଂ ୧୨ଟି ଅଗ୍ନିଶମ ଟିମ୍ ମୁତୟନ କରିଛନ୍ତି।

ଏଥିରେ ପୁରୀ ଜିଲ୍ଲାରେ ୭ଟି ଟିମ୍, ଜଗତସିଂହପୁରରେ ୬ଟି, କେନ୍ଦ୍ରାପଡ଼ାରେ ୭ଟି, ଖୋର୍ଦ୍ଧା ଓ କଟକରେ ଗୋଟିଏ ଲେଖାଏଁ ଟିମ୍ ମୁତୟନ କରାଯାଇଛି। ତଳିଆ ଅଞ୍ଚଳରେ ବନ୍ୟା ଜଳ ସହ ବର୍ଷା ପାଣି ମାଡ଼ି ଚାଲିଥିବାରୁ ୧୩ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲାଣି। ଏହାକୁ ନଜରରେ ରଖି ଆଜି ଏସ୍‌ଆର୍‌ସି ପ୍ରଦୀପ କୁମାର ଜେନା ସମ୍ବଲପୁର, ସୋନପୁର, ବୌଦ୍ଧ, ନୟାଗଡ଼, ଅନଗୁଳ, କଟକ, ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, କେନ୍ଦୁଝର ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବା ସହ ବନ୍ୟା ପରିସ୍ଥିତି ଉପରେ ନଜର ରଖିବାକୁ କହିଛନ୍ତି। ଏସ୍‌ଆର୍‌ସିଙ୍କ ସୂଚନା ଅନୁଯାୟୀ, ସମ୍ବଲପୁରରେ ୭ଟି ବ୍ଲକ, ୮ଟି ଗ୍ରାମପଞ୍ଚାୟତ, ୧୨ଟି ଗାଁ, ସମ୍ବଲପୁର ମହାନଗର ନିଗମର ୧୦ଟି ୱାର୍ଡର ୧୧୮୩ଜଣ ଲୋକ ପ୍ରଭାବିତ ହୋଇଛନ୍ତି।

୨୯ଟି ଘର ଭାଙ୍ଗିଛି। ଏଠାରେ ଆଜି ୭ଟି କେନ୍ଦ୍ରରେ ମାଗଣାରେ ରନ୍ଧା ଖାଦ୍ୟ ବଣ୍ଟାଯାଇଥିବାବେଳେ ବିଭିନ୍ନ ସ୍ଥାନରେ ଚୁଡ଼ା, ବିସ୍କୁଟ, ଗୁଡ଼, ପଲିଥିନ୍, କ୍ୟାଣ୍ଡେଲ୍, ଦିଆସିଲି ଆଦି ବଣ୍ଟାଯାଇଛି। କଟକରେ ୩ଟି ବ୍ଲକ, ୧୫ଟି ଗ୍ରାମପଞ୍ଚାୟତ, ୨୭ଟି ଗାଁ, ବାଙ୍କି ଏନ୍‌ଏସି, ୬୨ଟି ୱାର୍ଡର ୩୩୬ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ଗୋଟିଏ ଗାଁରେ ୧୫୦ଜଣ ଲୋକ ପାଣି ଘେରରେ ଥିବାବେଳେ ୩୬ଟି ଘର ଭାଙ୍ଗିଛି। କନ୍ଧମାଳରେ ୪ଟି ବ୍ଲକ, ୮ଟି ଗ୍ରାମପଞ୍ଚାୟତ, ୧୫ଟି ଗାଁ, ଗୋଟିଏ ପୌରାଞ୍ଚଳ, ୨ଟି ୱାର୍ଡ, ୧୭୮୩ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ୧୪ଟି ଘର ଭାଙ୍ଗିଛି। ସୋନପୁରରେ ୩ଟି ବ୍ଲକ, ୧୦ଟି ଗ୍ରାମପଞ୍ଚାୟତ, ୩୧ଟି ଗାଁ, ୨ଟି ସହରାଞ୍ଚଳ, ୫ଟି ୱାର୍ଡ, ୨୦୯୬ଲୋକ ପ୍ରଭାବିତ ହୋଇଛନ୍ତି। ଗୋଟିଏ ଗାଁର ୩୬ଜଣ ଲୋକ ପାଣି ଘେରରେ ଅଛନ୍ତି। ତିନିଦିନ ପାଇଁ ରନ୍ଧା ଖାଦ୍ୟ ଯୋଗାଇବାକୁ କୁହାଯାଇଛି। ୮୦ଟି ଘର ଭାଙ୍ଗିଛି। ଜଗତସିଂହପୁରରେ ୮ଟି ବ୍ଲକ, ୧୬୫ଟି ଗ୍ରାମପଞ୍ଚାୟତ, ୭୬୦ଟି ଗାଁ, ଗୋଟିଏ ସହରାଞ୍ଚଳ, ୭ଟି ୱାର୍ଡ, ୧୪୨୨୫ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି। କୋରାପୁଟରେ ୨ଟି ବ୍ଲକରେ ୭ଟି ଗ୍ରା‌ମପଞ୍ଚାୟତ, ୯ଟି ଗାଁ, ୬୮ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ୧୭ଟି ଘର ନଷ୍ଟ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking