28.1 C
Bhubaneswar
Saturday, April 27, 2024
Homeଓଡିଶାସ୍ନାନବେଦି ତଦାରଖ କଲେ ଏଏସଆଇ ଟିମ

ସ୍ନାନବେଦି ତଦାରଖ କଲେ ଏଏସଆଇ ଟିମ

ପୁରୀ: ପାଖେଇ ଆସୁଛି ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଏଥି ମଧ୍ୟରେ ଆସନ୍ତା ଜୁନ ୧୪ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବ । ଏନେଇ ସ୍ନାନବେଦିକୁ ସଜାଡ଼ିବାକୁ ଉଦ୍ୟମ ଆରମ୍ଭ ହୋଇଯାଇଛି । ସ୍ନାନବେଦିର ସ୍ଥିତିକୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ତଦାରଖ କରିବା ବେଳେ ବେଦିର ୪୦ ପ୍ରତିଶତ ପଥର ନଷ୍ଟ ହୋଇଥିବାର ଜଣାପଡିଛି । ସ୍ୱାନବେଦିରେ ୨୦୦ରୁ ଅଧିକ ଖଣ୍ଡୋଲାଇଟ୍ ପଥର ଖଣ୍ଡ ଲାଗିଛି । ଆଗରେ ସ୍ନାନଯାତ୍ରା । ସ୍ନାନବେଦିର ନଷ୍ଟ ହୋଇଥିବା ପଥର ସ୍ନାନଯାତ୍ରା ବେଳେ କିଛି ଅଘଟଣର କାରଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ତେଣୁ ଅଗ୍ରାଧିକାର ଭିତ୍ତିରେ ସ୍ନାନବେଦିର ଏହି ଦୁର୍ବଳ ପଥର ବଦଳିବା ଜରୁରି ହୋଇ ପଡ଼ିଛି । ଖୁବଶୀଘ୍ର ମରାମତି ହେବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଥିଲେ ।

ମିଳିଥିବା ସୂଚନା ଅନୁଯାଇ ମହାପ୍ରଭୁଙ୍କ ସ୍ନାନବେଦିକୁ ପହଣ୍ଡି ବିଜେ ରାସ୍ତାର ପଥର ଯୋଡ଼େଇ ମଧ୍ୟ କରାଯିବାକୁ ବ୍ଲୁ ପ୍ରିଣ୍ଟ ହୋଇଛି । ତେବେ ଦେଳାବେଦିର ଉତ୍ତର ଦିଗର ରାସ୍ତାରେ ପଥର ପଡ଼ି ନାହିଁ । ଏହି କାରଣରୁ ଆବର୍ଜନା କାଦୁଅ ଭରି ରହୁଛି । ଏହି ରାସ୍ତାରେ ମଧ୍ୟ ପଥର ଯୋଡ଼େଇ କରାଯିବ ବୋଲି ସୂଚନା ମିଳିଛି କାରଣ ଭକ୍ତମାନେ ସିଂହଦ୍ୱାର, ପଶ୍ଚିମ ଦ୍ୱାର ଦେଇ ସ୍ନାନବେଦିକୁ ଦର୍ଶନ ପାଇଁ କୀର୍ତ୍ତନ ଚକଡ଼ା ଦେଇ ପ୍ରବେଶ କରିବେ । ସ୍ନାନବେଦି ସାମ୍ନା ତଳ ରାସ୍ତା ଦେଇ ଭକ୍ତମାନେ ଦର୍ଶନ କରି ମଣ୍ଡପର ଉତ୍ତର ପାଶ୍ୱର୍ରେ ଆନନ୍ଦବଜାର ହୋଇ ଉତ୍ତର ଦ୍ୱାରରେ ପ୍ରସ୍ଥାନ କରିବେ । ଏହି କାରଣରୁ ଏହି ରାସ୍ତାର ମରାମତିକୁ ଗୁରୁତ୍ୱ ଦିଆଯାଇଛି । ସ୍ନାନବେଦିର ଦୁର୍ବଳ ପଥରକୁ ବଦାଳଇବାକୁ ଏଏସଆଇ ନିଷ୍ପତ୍ତି ନେଇଛି । ଦିନରେ ଭକ୍ତଙ୍କ ଗହଳି ଲାଗି ରହୁଥିବାରୁ ରାତିରେ ସ୍ନାନବେଦିର ପଥର ବଦଳାଯିବା ଆଶା କରାଯାଉଛି ।

ଏଥିସହ ହୁଗୁଳା ହୋଇ ଯାଇଥିବା ପଥର ଯୋଡ଼େଇକୁ ମରାମତି (ଜଏଣ୍ଟ ସିଲିଂ) କରିବାକୁ ମଧ୍ୟ କାର୍ଯ୍ୟଖସଡ଼ା ପ୍ରସ୍ତୁତ ହୋଇଛି । ସାତ ପାହଚରୁ ମହାପ୍ରଭୁଙ୍କ ପହଣ୍ଡି ବିଜେ ରାସ୍ତା ଦୋଳବେଦି ଭାୟା ଆନନ୍ଦ ବଜାର ପର୍ଯ୍ୟନ୍ତ ରାସ୍ତାର ସମସ୍ତ ପଥର ସ୍ଥିତି ଯାଞ୍ଚ କରାଯାଉଛି । ନଷ୍ଟ ହୋଇଥିବା ପଥର ସ୍ଥାନରେ ନୂତନ କରି ଖଣ୍ଡୋଲାଇଟ୍ ପଥର ସ୍ଥାପନ କରାଯିବ । ସ୍ନାନପୂର୍ଣ୍ଣିମା ଦିନ ତମାମ ସ୍ନାନଦେବିରେ ମହାପ୍ରଭୁଙ୍କ ୨୦ରୁ ଅଧିକ ନୀତି ତଥା ପୂଜାର୍ଚ୍ଚନା ସମ୍ପାଦନ ହେବ । ସ୍ନାନନୀତି ଠାରୁ ଆରମ୍ଭ କରି ଭକ୍ତମାନେ ପ୍ରଭୁଙ୍କ ହାତୀବେଶ ଦର୍ଶନ କରିବେ ।

ଏହା ବ୍ୟତୀତ ଗୁରୁତ୍ୱପୂର୍ଣ୍ଣ ଦେବସ୍ନାନ ନୀତିରେ ଜଳଲାଗି, ଭୋଗ ବାଢ଼ିବା ଆଦି ନୀତିରେ ସେବାୟତମାନେ ସ୍ନାନଦେବିରେ ଚଳାଚଳ କରିବେ । ତେଣୁ କରି ତୁରନ୍ତ ଏହି ଦୁର୍ବଳ ପଥରକୁ ବଦଳାଇବାକୁ ପ୍ରସ୍ତୁତି ଚାଲିଛି । ସେହିପରି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ବୁଧବାର ଅନୁଷ୍ଠିତ ହେବ ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ । ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଟାଉନ ହଲ୍ ଠାରେ ହେବ ଏହି ବୈଠକ । ବିଭିନ୍ନ ବିଭାଗର କାର୍ଯ୍ୟ ଉପରେ ତଦାରଖ କରାଯିବ । ବୈଠକରେ ଅନ୍ୟାନ୍ୟ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking