28.9 C
Bhubaneswar
Sunday, May 5, 2024
Homeଓଡିଶାପଞ୍ଚମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ କ୍ଲାସ ଟେଷ୍ଟ୍‌ର ହେବ ସଂସ୍କାର 

ପଞ୍ଚମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ କ୍ଲାସ ଟେଷ୍ଟ୍‌ର ହେବ ସଂସ୍କାର 

ଭୁବନେଶ୍ୱର: ଏଣିକି ଗଣିତ, ଇଂରାଜୀ ଏବଂ ବିଜ୍ଞାନରେ ଦକ୍ଷ ହେବେ ଓଡ଼ିଆ ଛାତ୍ରଛାତ୍ରୀ । ଏଥିପାଇଁ ସ୍କୁଲ ସ୍ତରରୁ ସେମାନଙ୍କ ମୂଳଦୁଆ ପକାଇବା ଲାଗି ଆରମ୍ଭ ହୋଇଛି ପ୍ରକ୍ରିୟା । ଦିନକୁ ଦିନ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଦୁର୍ବଳ ପ୍ରଦର୍ଶନ କରୁଥିବା ବେଳେ ସରକାର ସେମାନଙ୍କ ଲାଗି ଏକ କଠୋର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଣିକି ଏହି ୩ଟି ବିଷୟରେ ଯେପରି ପିଲାମାନେ ୩୦ପ୍ରତିଶତରୁ ଅଧିକ ମାର୍କ ରଖିବେ ଏବଂ ପାସ୍ ହେବେ ସେଥିପାଇଁ ଗଣ ଶିକ୍ଷାବିଭାଗ ପକ୍ଷରୁ ସଂସ୍କାର ପ୍ରକ୍ରିୟା ଆରମ୍ଭ ହୋଇଛି । ୩୦ପ୍ରତିଶତରୁ କମ୍ ମାର୍କ ରଖିଲେ ସେମାନଙ୍କୁ ପୁନ୍ନର୍ବାର ସେହି ବିଷୟରେ ପରୀକ୍ଷା ଦେବାକୁ ହେବ । ନଚେତ୍ ଉପର ଶ୍ରେଣୀକୁ ଉନ୍ନିତ ହେଲେ ମଧ୍ୟ କଲେଜ ଭଳି ଗୋଟିଏ ବିଷୟରେ ସେମାନଙ୍କର ବ୍ୟାକ୍ ରହିବ । ଏହି ପ୍ରକ୍ରିୟା ପଞ୍ଚମରୁ ଆରମ୍ଭ ହୋଇ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିବ । ଆସନ୍ତା ଶିକ୍ଷାବର୍ଷ ଠାରୁ ଏହି ନିୟମ ଲାଗୁ ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜଣାପଡ଼ିଛି । ରାଜ୍ୟର ସରକାରୀ ସ୍କୁଲଗୁଡିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାସ୍‌-ଫେଲ୍ ବ୍ୟବସ୍ଥା ଉଚ୍ଛେଦ ହେବା ପରେ ଗତ କିଛି ବର୍ଷ ହେବ ମାଟ୍ରିକରେ ଫେଲ୍ ପ୍ରତିଶତ ବଢ଼ିଛି । ଏପରି ସମସ୍ୟାର ସମାଧାନ ଲାଗି ଆସନ୍ତା ଶିକ୍ଷାବର୍ଷରୁ ରାଜ୍ୟରେ କେବଳ ଅଷ୍ଟମ ଶ୍ରେଣୀରେ ପୁଣି ପାସ୍‌ଫେଲ ବ୍ୟବସ୍ଥା ଲାଗୁ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି । ଅପରପକ୍ଷେ ଗତ ୫ବର୍ଷର ରିପୋର୍ଟକୁ ଯଦି ଅନୁଧ୍ୟାନ କରାଯାଏ ତେବେ ରାଜ୍ୟରେ ନବମରେ ପ୍ରାୟ ୪୦ପ୍ରତିଶତ ଛାତ୍ରଛାତ୍ରୀ ଗଣିତ, ଇଂରାଜୀ ଏବଂ ବିଜ୍ଞାନରେ ଫେଲ ହେଉଥିବା ବେଳେ ଦଶମଶ୍ରେଣୀରେ ୩୦ରୁ ୩୫ପ୍ରତିଶତ ଛାତ୍ରଛାତ୍ରୀ ଏଥିରେ ଫେଲ ହେଉଛନ୍ତି । ଏପରି ସମସ୍ୟାର ସମାଧାନ ଲାଗି ଏହି ୩ଟି ବିଷୟରେ ଦକ୍ଷତା ବଢ଼ାଇବା ଲାଗି ସ୍କୁଲସ୍ତରରୁ ଉଦ୍ୟମ କରାଯିବ । କ୍ଲାସ ଟେଷ୍ଟରେ ପିଲାଙ୍କ ମାର୍କକୁ ଅନୁଧ୍ୟାନ କରାଯିବ । ଯେପରି ପ୍ରତ୍ୟେକ ପିଲା ଏହି ୩ଟି ବିଷୟରେ ସର୍ବନିମ୍ନ ୩୦ପ୍ରତିଶତ ମାର୍କ ରଖିବା ଭଳି ଦକ୍ଷତା ହାସଲ କରିବ ସେଥିପାଇଁ ସ୍କୁଲରେ ବିଷୟଭିତ୍ତିକ ଶିକ୍ଷକ ଏବଂ ପ୍ରଧାନଶିକ୍ଷକମାନେ ଉଦ୍ୟମ କରିବେ । ଏଣିକି ବର୍ଷ ଆରମ୍ଭରୁ ସବୁ ଶ୍ରେଣୀରେ ପ୍ରଧାନ ଶିକ୍ଷକ ଦୁର୍ବଳ ପିଲାଙ୍କର ଏକ ତାଲିକା ପ୍ରସ୍ତୁତ କରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିବେ । ବର୍ଷ ଆରମ୍ଭରୁ ଗଣିତ, ଇଂରାଜୀ ଏବଂ ବିଜ୍ଞାନରେ ଦୁର୍ବଳ ଥିବା ପିଲାଙ୍କ ଲାଗି ସ୍ୱତନ୍ତ୍ର କ୍ଲାସର ବ୍ୟବସ୍ଥା କରାଯିବ । ନଭେମ୍ବର ସୁଦ୍ଧା ପିଲାଙ୍କର ଉନ୍ନତି କିପରି ହୋଇଛି ତାହର ରିପୋର୍ଟ ପରୀକ୍ଷା ବା କ୍ଲାସ ଟେଷ୍ଟ ମାଧ୍ୟମରେ ମଧ୍ୟ ପ୍ରଧାନଶିକ୍ଷକ ପ୍ରଦାନ କରିବେ । ପରୀକ୍ଷାରେ ମାର୍କକୁ ନଜର ଦେଇ ୩୦ପ୍ରତିଶତ ତଳକୁ ମାର୍କ ରଖିଥିବା ପିଲାଙ୍କ ତାଲିକା ପ୍ରସ୍ତୁତ କରାଯିବ । ଏହାବ୍ୟତୀତ ୫୦ରୁ ୬୫ପ୍ରତିଶତ ଏବଂ ୬୫ରୁ ଉର୍ଦ୍ଧ୍ୱ ପ୍ରତିଶତ ମାର୍କ ରଖିଥିବା ପିଲାଙ୍କ ତାଲିକା ପ୍ରସ୍ତୁତ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking