30.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶ୨୦୫୦ ସୁଦ୍ଧା ୫୦୦ କୋଟି ଲୋକଙ୍କୁ ଜଳକଷ୍ଟ

୨୦୫୦ ସୁଦ୍ଧା ୫୦୦ କୋଟି ଲୋକଙ୍କୁ ଜଳକଷ୍ଟ

ଜେନିଭା: ବିଶ୍ୱରେ ଦିନକୁ ଦିନ ଜଳ ସଙ୍କଟ ବୃଦ୍ଧି ପାଇବାରେ ଲାଗିଛି । ଏହି ପ୍ରସଙ୍ଗରେ ଜାତିସଂଘ ପାଣିପାଗ ସଂଗଠନ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ ୨୦୫୦ ମସିହା ସୁଦ୍ଧା ବିଶ୍ୱର ୫୦୦ କୋଟି ଲୋକ ଜଳକଷ୍ଟ ଭୋଗିବାକୁ ଯାଉଛନ୍ତି । ଏହି ପରିପ୍ରେକ୍ଷୀରେ ବିଶ୍ୱ ନେତୃବୃନ୍ଦ ଏହି ସମସ୍ୟାର ସମାଧାନ ପାଇଁ ଆଗେଇ ଆସିବାକୁ ଜାତିସଂଘ ପକ୍ଷରୁ ଆହ୍ୱାନ ଦିଆଯାଇଛି । ୨୦୧୮ ମସିହାରେ ୩୬୦ କୋଟି ଲୋକଙ୍କୁ ବାର୍ଷିକ ଗୋଟିଏ ମାସ ଜଳ ମିଳିନଥିବା ରିପୋର୍ଟରୁ ଜଣାପଡିଛି । ଅକ୍ଟୋବର ୩୧ରୁ ନଭେମ୍ବର ୧୨ ପର୍ଯ୍ୟନ୍ତ ଆୟରଲାଣ୍ଡର ଗ୍ଲାସ୍‌ଗୋଠାରେ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ଉକ୍ତ ସମ୍ମିଳନୀରେ ଜଳ ସଙ୍କଟର ସମାଧାନକୁ କିପରି ମୁକାବିଲା କରାଯାଇପାରିବ, ତାହା ଉପରେ ବିଶ୍ୱ ନେତୃବୃନ୍ଦ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଜାତିସଂଘ ରିପୋର୍ଟ ଅନୁଯାୟୀ ବିଗତ ୨୦ ବର୍ଷ ମଧ୍ୟରେ ପୃଥିବୀର ଜଳସ୍ତର ପ୍ରତିବର୍ଷ ୧ ସେଣ୍ଟିମିଟର ହିସାବରେ ହ୍ରାସ ପାଇଆସୁଛି । ଆଣ୍ଟାର୍ଟିକା ଓ ଗ୍ରୀନ୍‌ଲାଣ୍ଡରେ ବିରାଟ ବରଫଖଣ୍ଡଗୁଡିକ କ୍ରମାଗତଭାବେ ତରଳିବା ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା କୁହାଯାଇଛି । ବିଶ୍ୱର ତାପମାତ୍ରା ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ଜଳସ୍ତର ଉପରେ ମଧ୍ୟ ପଡୁଥିବା ଜଣାପଡିଛି । ୨୦୦୦ ମସିହା ପରଠାରୁ ବନ୍ୟାଜନିତ ପ୍ରାକୃତିକ ବିପର୍ଯ୍ୟୟ ୧୩୪ ପ୍ରତିଶତ ବୃଦ୍ଧି ପାଇଛି । ଏଥିଯୋଗୁଁ ବାୟୁମଣ୍ଡଳର ଆଦ୍ରତା ୭ ପ୍ରତିଶତ ବୃଦ୍ଧି ପାଇଛି । ବନ୍ୟା ଯୋଗୁଁ ଏସିଆ ମହାଦେଶ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛି । ତେଣୁ ଏସିଆ ମହାଦେଶରେ ବନ୍ୟାଜନିତ ସତର୍କ ସୂଚନା ବ୍ୟବସ୍ଥାକୁ ଅଧିକ ମଜଭୁତ କରିବାକୁ ପଡିବ ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି । ଅପରପକ୍ଷରେ ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟରେ ମଧ୍ୟ ମାନବ ସମାଜର ଅଶେଷ କ୍ଷତି ଘଟୁଛି । ଏହି ପ୍ରସଙ୍ଗରେ ଆଫ୍ରିକା ମହାଦେଶ ସର୍ବାଗ୍ରେ ରହିଛି । ଏହି ମହାଦେଶର ଅଧିକାଂଶ ରାଷ୍ଟ୍ରରେ ମରୁଡି ଯୋଗୁଁ ଲୋକେ ମୃତ୍ୟୁମୁଖରେ ପଡୁଥିବାବେଳେ ଆବଶ୍ୟକ ଖାଦ୍ୟଶସ୍ୟ ଉତ୍ପାଦନ ମଧ୍ୟ ବାଧାପ୍ରାପ୍ତ ହେଉଛି । ଯଦି ବର୍ତ୍ତମାନଠାରୁ ଜଳ ସମସ୍ୟାର ଉପଯୁକ୍ତ ସମାଧାନ କରାନଯାଏ, ତେବେ ଆଗାମୀ ଦିନରେ ବିଶ୍ୱର ଅଧିକାଂଶ ଲୋକ ଏହି ଯନ୍ତ୍ରଣାରେ ଛଟପଟ ହୋଇ ପ୍ରାଣ ହରାଇବେ ବୋଲି ଜାତିସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking