28.1 C
Bhubaneswar
Saturday, April 27, 2024
Homeଓଡିଶାପୁଣି ଆସିଲା ସିହା ପଞ୍ଚାୟତରେ ବିଭିନ୍ନ କଂକ୍ରିଟ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ଅଭିଯୋଗ: ନିମ୍ନ...

ପୁଣି ଆସିଲା ସିହା ପଞ୍ଚାୟତରେ ବିଭିନ୍ନ କଂକ୍ରିଟ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ଅଭିଯୋଗ: ନିମ୍ନ ମାନର  ସିମେଣ୍ଟ ଓ ମେଟାଲ୍ ବ୍ୟବହାରରେ ହେଉଛି ବିଭିନ୍ନ ପ୍ରକଳ୍ପ !

ଯାଜପୁର : ମନରେଗା ଯୋଜନାରେ ବଡ଼ଚଣା ବ୍ଲକ ଅନ୍ତର୍ଗତ ସିହା ପଞ୍ଚାୟତର ସିହା ଗ୍ରାମ ଆଦର୍ଶ ଖେଳ ପଡିଆ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମତତା ନେଇ କିଛି ମାସ ତଳେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେବା ପରେ ସତ୍ୟାସତ୍ୟର ଯାଞ୍ଚ ହୋଇ ପ୍ରଦତ୍ତ ରିପୋର୍ଟ ଆଧାରରେ ସେହି ପ୍ରକଳ୍ପକୁ ବନ୍ଦ୍ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ସେତିକିରେ ବ୍ଳକ୍ ପ୍ରଶାସନର ମନ ବୁଝିଲାନି ଯେ ପୁନଶ୍ଚ ଭିନ୍ନ ଯୋଜନାରେ ସେହି ଖେଳ ପଡିଆ ନିର୍ମାଣ ପାଇଁ ୨ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । ଯେଉଁଥିରେ ଏବେ ଖେଳ ପଡିଆ ପ୍ରବେଶ ଦ୍ଵାରର କଂକ୍ରିଟ ଖୁଣ୍ଟ ନିର୍ମାଣ ହେଉଛି । କିନ୍ତୁ ତାହା ଅତ୍ୟନ୍ତ ନିମ୍ନମାନର ‘ମହା’ ବ୍ରାଣ୍ଡ ସିମେଣ୍ଟ ଓ କଳା ମେଟାଲ୍ ବ୍ୟବହାର କରି ନିର୍ମାଣ ଚାଲିଥିବା ଅଭିଯୋଗ ହୋଇଛି । କେବଳ ସେହି ପ୍ରକଳ୍ପ ନୁହଁ ଇତିମଧ୍ୟରେ ବ୍ଳକ୍ କନିଷ୍ଠ ଯନ୍ତ୍ରୀଙ୍କ ନାମରେ ବିଡ଼ିଓ କାର୍ଯ୍ୟାଦେଶ ଦେଇ ସିହା ଗ୍ରାମରେ ନିର୍ମାଣ ହୋଇଥିବା ଓ ଏବେ ଚାଲିଥିବା ବିଭିନ୍ନ ଗ୍ରାମ୍ୟ ରାସ୍ତାରେ ମଧ୍ୟ ସେହି ‘ମହା’ ବ୍ରାଣ୍ଡ ନିମ୍ନ ଗ୍ରେଡ଼ ସିମେଣ୍ଟ ଓ କଳା ମେଟାଲ୍ ବ୍ୟବହାର କରାଯାଇଛି । ବଡ଼ ଟ୍ରକ୍ ଯୋଗେ ଆନ୍ଧ୍ରପ୍ରଦେଶରୁ ଏହି ସିମେଣ୍ଟ ଆଣି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ଏକ ଘରେ ମହଜୁଦ କରି ରଖାଯାଇ ସେଥିରୁ ଆବଶ୍ୟକତା ଅନୁସାରେ କିଛି କିଛି ବସ୍ତା ନେଇ ବିଭିନ୍ନ ନିର୍ମାଣ କାର୍ଯ୍ୟ କରା ଯାଉଥିବା ପରିଲକ୍ଷିତ ହେଉଛି । ଏକଥା ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଜାଣତରେ ହିଁ ଚାଲି ଆସିଛି । କିନ୍ତୁ ସମସ୍ତେ ନିଜ ନିଜର କମିଶନ ପାଇ ନିମ୍ନମାନର ନିର୍ମାଣ କାର୍ଯ୍ୟ ଦେଖି ମଧ୍ୟ ଚୁପ୍ ରହି ଆସିଛନ୍ତି । ସେଭଳି କାର୍ଯ୍ୟରେ ସେମାନଙ୍କ ସମ୍ମାତ୍ତି ନ ଥିଲେ ଟ୍ରକ୍ ଟ୍ରକ୍ ସେହି ‘ମହା’ ବ୍ରାଣ୍ଡ ଗ୍ରେଡ଼ ବିହୀନ ସିମେଣ୍ଟ ପୁଣି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ଏକ ଘରେ ତେବେ ମହଜୁଦ ରହିଛି କେମିତି ? ଜଇପୁର ମୌଜାରେ ଦର୍ପଣ-ସମିଆଁ ପୂର୍ତ୍ତ ବିଭାଗ ରାସ୍ତା ଠାରୁ ଭଗବତୀ ମନ୍ଦିର ରାସ୍ତା ହେଉ ବା ସିହା ପଞ୍ଚାୟତ କାର୍ଯ୍ୟାଳୟ ପରିସରକୁ କଂକ୍ରିଟକରଣ, ସିହା ଗ୍ରାମ ରଜକ ସାହି ରାସ୍ତା, ସିହା ଉପର ସାହିରେ ନରୋତ୍ତମ ସାହୁ ଘର ସମ୍ମୁଖ ରାସ୍ତା ମଧ୍ୟ ସେହି ‘ମହା’ ବ୍ରାଣ୍ଡ ନିମ୍ନ ଗ୍ରେଡ଼ ସିମେଣ୍ଟ ଓ କଳା ମେଟାଲ୍ ଦ୍ବାରା ନିର୍ମାଣ କରାଯାଇଥିବା ବେଳେ ସିହା ତଳସାହି କୋଠଘରଠାରୁ ତେଲିସାହି ରାସ୍ତାକୁ ସେହି ସିମେଣ୍ଟ ଓ ମାଟି ମିଶା ନିମ୍ନମାନର ମେଟାଲ୍ ବ୍ୟବହାର କରି କଂକ୍ରିଟ ରାସ୍ତା କରିବା ପାଇଁ ଆଜିଠାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । କେବଳ ସେତିକି ନୁହେଁ ରାସ୍ତାରେ ବ୍ୟବହୃତ ହେଉଥିବା ସାମଗ୍ରୀର ଭାଗମାପରେ ମଧ୍ୟ ବ୍ୟାପକ ଅନିୟମିତ କରା ଯାଉଥିବା ପରିଲକ୍ଷିତ ହେଉଛି । ଆଜି ତଳସାହି କୋଠଘରଠାରୁ ତେଲିସାହି ରାସ୍ତାକୁ କଂକ୍ରିଟକରଣ କରିବା ପାଇଁ ଯେଉଁ ବେସ୍ ନିର୍ମାଣ ହୋଇଛି ସେଥିରେ ଅତି ନିମ୍ନମାନର ୧୦ ଭାଗ କୁଆଁରିଆ ବାଲି ସହ ୬ ଭାଗ ମାଟି ମିଶା କଳା ମେଟାଲ୍ ଓ ମାତ୍ର ୨ ଭାଗ ସେହି ଗ୍ରେଡ୍ ବିହୀନ ‘ମହା’ ବ୍ରାଣ୍ଡ ସିମେଣ୍ଟ ବ୍ୟବହାର କରାଯାଉଛି । ଗତ କିଛି ମାସ ମଧ୍ୟରେ ଯେତେ ସବୁ କଂକ୍ରିଟ ରାସ୍ତା ଏହି ସିମେଣ୍ଟ ଦ୍ଵାରା ହୋଇଥିଲା ବିଗତ ପ୍ରଥମ କାଳବୈଶାଖୀ ବର୍ଷାରେ ସେଥିରୁ ସିମେଣ୍ଟ ଧୋଇ ହୋଇ ରାସ୍ତାରୁ ଚିପ୍ସ ଉଠିବାକୁ ଲାଗିଲାଣି । ଏଥିରୁ ସେସବୁ କଂକ୍ରିଟ ରାସ୍ତାର ସ୍ଥାୟୀତ୍ବ ନେଇ ସ୍ବାଭାବିକ ଭାବେ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସବୁ ପ୍ରକଳ୍ପ ଗୁଡ଼ିକର ନିର୍ମାଣ କାର୍ଯ୍ୟ ସମ୍ପାଦନ କରିବାକୁ ବ୍ଳକ୍ କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇ ଥିଲେ ମଧ୍ୟ କୌଣସି ଗୋଟିଏ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସମୟରେ ସେ ସେଠାରେ ଉପସ୍ଥିତ ରହୁ ନାହାଁନ୍ତି । ନିର୍ମାଣ କାର୍ଯ୍ୟ କରିବାକୁ ଗ୍ରାମର କିଛି ଶାସକ ଦଳର କର୍ମୀଙ୍କ ଉପରେ ଛାଡ଼ି ଦେଇଛନ୍ତି । ଫଳରେ ସେମାନେ ଯାବତ୍ ପ୍ରକାର ଅନିୟମିତତା ସହ ନିମ୍ନମାନର ନିର୍ମାଣ କାର୍ଯ୍ୟ କରିଦେଇ ସରକାରୀ ଅର୍ଥ ଆତ୍ମସାତ କରିବାକୁ ଲାଗି ପଡିଛନ୍ତି । ଆଉ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଏଭଳି ନିମ୍ନମାନର ନିର୍ମାଣ କାର୍ଯ୍ୟ ପ୍ରତି ଆଖି ବୁଜି ଦେଇଛନ୍ତି । ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଆଦୌ ତଦାରଖ ନ କରି ବି କାର୍ଯ୍ୟାଳୟରେ ବସି ସେ ପ୍ରକଳ୍ପ ବାବଦରେ ବିଲ୍ ଉଠାଣ କରି ଲାଭାଂଶକୁ ନିର୍ମାଣ କାର୍ଯ୍ୟ କରୁଥିବା ସେହି ଶାସକ ଦଳର କର୍ମୀ, ସରପଞ୍ଚ ଓ ପଞ୍ଚାୟତ ଓ ନିର୍ବାହୀ ଅଧିକାରୀ ଏବଂ ସେହି କନିଷ୍ଠ ଯନ୍ତ୍ରୀ ଭାଗବଣ୍ଟା କରି ନେଉଥିବା କଥା ଚର୍ଚ୍ଚା ହେଉଛି । ଏସବୁ ଅନିୟମିତ ନିର୍ମାଣ କାର୍ଯ୍ୟ ସହ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମହଜୁଦ ରଖା ଯାଇଥିବା ବହୁ ପରିମାଣର ସେହି ‘ମହା’ ବ୍ରାଣ୍ଡ ଗ୍ରେଡ଼ ବିହୀନ ସିମେଣ୍ଟ ଉପରେ ସତ୍ୟାସତ୍ୟ ଅନୁସନ୍ଧାନ ପୂର୍ବକ ତାହାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେବାକୁ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking