29.1 C
Bhubaneswar
Sunday, May 5, 2024
Homeଓଡିଶାଜିଲ୍ଲାପାଳଙ୍କୁ ଫେରାଦ ହେବାକୁ ୪କି.ମି ଚାଲିଲେ ଛାତ୍ରଛାତ୍ରୀ

ଜିଲ୍ଲାପାଳଙ୍କୁ ଫେରାଦ ହେବାକୁ ୪କି.ମି ଚାଲିଲେ ଛାତ୍ରଛାତ୍ରୀ

ବାରିପଦା: ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀଙ୍କ ଜିଲ୍ଲାରେ ନାହାନ୍ତି ଶିକ୍ଷକ । ବାରମ୍ବାର ଦାବି ସତ୍ତ୍ୱେ ଶିକ୍ଷକ ନିଯୁକ୍ତି କରାଯାଉନାହିଁ । ତେଣୁ ଜିଲ୍ଲାପାଳଙ୍କୁ ଗୁହାରୀ ଜଣାଇବାକୁ ୪ କିମି ଚାଲିଲେ ଛାତ୍ରଛାତ୍ରୀ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାରିପଦାରେ । ସୂଚନାନୁଯାୟୀ, ସୋମବାର ପୂର୍ବାହ୍ଣରେ ସୁବର୍ଣ୍ଣରେଖା ପ୍ରକଳ୍ପ ହାଇସ୍କୁଲ୍‌ର ପ୍ରଥମରୁ ୧୦ମ ଶ୍ରେଣୀ ଯାଏଁ ୩ ଶହରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କୁ ଭେଟିବାକୁ ୪ କି.ମି ଚାଲି ଚାଲି ଯାଇଥିଲେ । କୁନି କୁନି ଛାତ୍ରଛାତ୍ରୀମାନେ ପାଦେ ପାଦେ ଆଗକୁ ବଢୁଥିବା ବେଳେ ସେମାନଙ୍କୁ ବୁଝାଇବାକୁ ସ୍କୁଲ ଶିକ୍ଷକ ଚେଷ୍ଟା କରିଥିଲେ ।

କିନ୍ତୁ ନାରାଜ ଛାତ୍ରଛାତ୍ରୀ ମାନି ନଥିଲେ । ସ୍କୁଲ୍‌ରୁ ପାଖାପାଖି ୪ କିଲୋମିଟର ଚାଲି ଚାଲି ଆସିବା ପରେ ଅଧା ବାଟରୁ ବାରିପଦା ଉପଜିଲ୍ଲାପାଳ, ତହସିଲ୍‌ଦାର, ଆଡିସନାଲ ଏସ୍‌ପି, ଏସ୍‌ଡିପିଓ ଏବଂ ଶିକ୍ଷାବିଭାଗର ବିଭିନ୍ନ ଅଧିକାରୀ ପହଞ୍ଚି ପିଲାମାନଙ୍କୁ ବୁଝାସୁଝା କରିଥିଲେ । ଖାଲି ଏତିକି ନୁହେଁ, ବରଂ ସ୍ଥାନୀୟ କିଛି ଦଳୀୟ ନେତା ମଧ୍ୟ ପହଞ୍ଚି ପିଲାମାନଙ୍କୁ ବୁଝାସୁଝା କରିବା ସହ ପ୍ରତିଶ୍ରୁତି ଦେବା ପରେ ପିଲାମାନଙ୍କୁ ଅଧା ବାଟରୁ ସ୍କୁଲ୍‌କୁ ଫେରାଇ ନେଇଥିଲେ କର୍ତ୍ତୃପକ୍ଷ । ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ ବିଦ୍ୟାଳୟରେ ପ୍ରଥମରୁ ୧୦ମ ଶ୍ରେଣୀ ଯାଏ ୩ ଶହରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଥିବା ବେଳେ ଶହେ ସିଟ୍ ବିଶିଷ୍ଟ ଆଦିବାସୀ ଛାତ୍ରନିବାସ ମଧ୍ୟ ରହିଛି । ହେଲେ ଶିକ୍ଷକ ମାତ୍ର ୩ ଜଣ । ସ୍କୁଲ୍‌ରେ ଶିକ୍ଷକ ଅଭାବ ଯୋଗୁଁ ପାଠପଢ଼ା ବ୍ୟାହତ ହେଉଛି । ବାରମ୍ବାର କହିବା ପରେ ମଧ୍ୟ କେହି ଶୁଣୁ ନାହାନ୍ତି । ଫଳରେ ଛାତ୍ରଛାତ୍ରୀମାନେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କୁ ଗୁହାରୀ କରିବାକୁ ରାସ୍ତାରେ ଚାଲି ଚାଲି ଯାଉଥିଲେ ବୋଲି କହିଛନ୍ତି ।

ଲକ୍ଷ୍ମୀପୋଷି ପ୍ରକଳ୍ପ ହାଇସ୍କୁଲ୍‌ଟି ମୟୂରଭଞ୍ଜ ଜିଲ୍ଲାର ବୃହତ୍ ସୁବର୍ଣ୍ଣରେଖା ଜଳସେଚନ ବିଭାଗର ପ୍ରକଳ୍ପ ବିଦ୍ୟାଳୟ । ଯଦିଓ ସ୍କୁଲ୍‌ଟି ଦୀର୍ଘ ବର୍ଷ ହେଲାଣି ଚାଲୁ ରହିଛି ତେବେ ଜିଲ୍ଲା ଗଣଶିକ୍ଷା ବିଭାଗକୁ ଏହା ହସ୍ତାନ୍ତର ହୋଇନାହିଁ । ଏନେଇ ପତ୍ର ପରେ ପତ୍ର ଲେଖାଲେଖି ପରେ ସ୍କୁଲ୍‌କୁ ଗଣଶିକ୍ଷା ବିଭାଗକୁ ହସ୍ତାନ୍ତର ପାଇଁ ଜିଲ୍ଲାପାଳଙ୍କ ମୋହର ବାଜିଛି । ସହକାରୀ ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି, ଲକ୍ଷ୍ମୀପୋଷି ପ୍ରୋଜେକ୍ଟ ହାଇସ୍କୁଲଟି ମୟୂରଭଞ୍ଜ ଜିଲ୍ଲାର ବୃହତ୍ ସୁବର୍ଣ୍ଣରେଖା ଜଳସେଚନ ବିଭାଗର ପ୍ରକଳ୍ପ ବିଦ୍ୟାଳୟ । ସ୍କୁଲଟି ଏପର୍ଯ୍ୟନ୍ତ ଗଣଶିକ୍ଷା ବିଭାଗକୁ ହସ୍ତାନ୍ତର ହୋଇ ନାହିଁ । ସ୍କୁଲରେ ଶିକ୍ଷକ ଅଭାବ ଅଛି ବୋଲି ଯଦି ସୁବର୍ଣ୍ଣରେଖା ପ୍ରକଳ୍ପ ଗଣଶିକ୍ଷା ବିଭାଗକୁ ଲେଖି ଜଣାଇଥାନ୍ତା, ତାହାହେଲେ ଶିକ୍ଷକ ନିଯୁକ୍ତି କରାଯାଇଥା’ନ୍ତା । ସୂଚନାଯୋଗ୍ୟ ଶିକ୍ଷାମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଗତ ୪ ଦିନ ତଳେ ସ୍କୁଲ୍‌ର ବିଭିନ୍ନ ସମସ୍ୟା ନେଇ ଶତାଧିକ ଛାତ୍ରଛାତ୍ରୀ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଜିଲ୍ଲାପାଳଙ୍କ ଅଫିସ୍‌କୁ ଚାଲି ଚାଲି ଆସିଥିଲେ । ୫ ଦିନ ଭିତରେ ଦ୍ୱିତୀୟ ଘଟଣା ଘଟିଛି ବାରିପଦାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking