29.1 C
Bhubaneswar
Sunday, May 5, 2024
Homeଖେଳଡ୍ରାଗ୍‌ଫ୍ଲିକର୍ ରୂପିନ୍ଦରଙ୍କ ସନ୍ନ୍ୟାସ

ଡ୍ରାଗ୍‌ଫ୍ଲିକର୍ ରୂପିନ୍ଦରଙ୍କ ସନ୍ନ୍ୟାସ

ନୂଆଦିଲ୍ଲୀ:  ଭାରତୀୟ ପୁରୁଷ ହକି ଦଳର ତାରକା ଡ୍ରାଗ୍‌ଫ୍ଲିକର୍ ପଞ୍ଜାବର ରୂପିନ୍ଦର ପାଲ୍ ସିଂ ଗୁରୁବାର ଅବସର ଘୋଷଣା କରିଛନ୍ତି । ଓଡ଼ିଶାର ସୁଦକ୍ଷ ଡିଫେଣ୍ଡର୍ ବୀରେନ୍ଦ୍ର ଲାକ୍ରା ତାଙ୍କ ସନ୍ନ୍ୟାସ ଘୋଷଣା କରିବାର କେଇ ଘଣ୍ଟା ପୂର୍ବରୁ ରୂପିନ୍ଦର ଅନ୍ତର୍ଜାତୀୟ ହକିଠାରୁ ଦୂରେଇଯିବା ନେଇ ଟ୍ୱିଟର୍ ମାଧ୍ୟମରେ ସୂଚନା ଦେଇଥିଲେ । ଗତ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ଦଳ ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକ୍ସରେ ପଦକ ଜିତିପାରିଥିବା ବେଳେ ଏଥିରେ ଉଭୟ ବୀରୁ ଓ ରୂପିନ୍ଦରଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।

ତେବେ ଆସନ୍ତା ସପ୍ତାହରୁ ଆରମ୍ଭ ହେଉଥିବା ଜାତୀୟ କ୍ୟାମ୍ପ୍‌ରେ ତାଙ୍କୁ ସାମିଲ୍ କରାଯିବ ନାହିଁ ବୋଲି କୌଣସି ସୂତ୍ରରୁ ଜାଣିିବା ପରେ ତଥା ଜୁନିୟର୍ ଖେଳାଳିଙ୍କୁ ସୁଯୋଗ ଦେବା ସକାଶେ ରୂପିନ୍ଦର ଅବସର ନିଷ୍ପତ୍ତି ନେଇଥିବା କୁହାଯାଇଛି । ଅର୍ଥାତ୍ ଭାରତୀୟ ପୁରୁଷ ହକି ଦଳରେ ଯୁବପିଢ଼ିର ଖେଳାଳିଙ୍କୁ ହକି ଇଣ୍ଡିଆ ସାମିଲ୍ କରିବା ଉପରେ ଗୁରୁତ୍ୱ ଦେଉଥିବାରୁ ସେମାନଙ୍କ ସକାଶେ ରୂପିନ୍ଦର ପଥ ପରିଷ୍କାର କରିଛନ୍ତି । ୩୦ ବର୍ଷୀୟ ରୂପିନ୍ଦର ଭାରତୀୟ ହକି ଇତିହାସରେ ଅନ୍ୟତମ ପ୍ରମୁଖ ଡ୍ରାଗ୍‌ଫ୍ଲିକର୍ ଭାବେ ପରିଗଣିତ ହୋଇଆସଛିନ୍ତି ।

ସେ ଭାରତ ପକ୍ଷରୁ ୨୨୩ଟି ମ୍ୟାଚ୍ ଖେଳିବାର ସୁଯୋଗ ପାଇଛନ୍ତି । “ବବ୍‌’ ଭାବେ ପରିଚିତ ରୂପିନ୍ଦର ଗତ ଟୋକିଓ ଅଲିମ୍ପିକ୍ସରେ ସର୍ବମୋଟ ୪ଟି ଗୋଲ୍ ଦେଇଥିଲେ । ସେଥି ମଧ୍ୟରେ ଜର୍ମାନୀ ବିପକ୍ଷ ବ୍ରୋଞ୍ଜ୍ ପଦକ ମ୍ୟାଚ୍‌ରେ ସେ ପେନାଲ୍‌ଟି କର୍ଣ୍ଣର୍‌ରୁ ଅର୍ଜନ କରିଥିବା ଗୋଲ୍ ବି ସାମିଲ୍ ହୋଇଛି । ଟ୍ୱିଟର୍ ମାଧ୍ୟମରେ ଅବସର ନେଇ ସୂଚନା ଦେଇ ରୂପିନ୍ଦର ଦର୍ଶାଇଛନ୍ତି ଯେ ଗତ କିଛି ମାସ ମଧ୍ୟରେ ସେ ତାଙ୍କ ଜୀବନର ସର୍ବଶ୍ରେଷ୍ଠ ହକି ଖେଳିବାରେ ସକ୍ଷମ ହୋଇଛନ୍ତି । ବିଶେଷକରି ଟୋକିଓରେ ସାଥୀ ଖେଳାଳିଙ୍କ ସହ ପୋଡିୟମ୍ ଉପରେ ଛିଡ଼ା ହେବାର ଅପୂର୍ବ ଗୌରବ ପାଇଛନ୍ତି । ଏହି ମୁହୂର୍ତ୍ତକୁ ସେ ଜୀବନଯାକ ମନେ ରଖିବେ ।

ବର୍ତ୍ତମାନ ଯୁବ ଖେଳାଳିଙ୍କୁ ଏହି ଗୌରବ ହାସଲ କରିବାର ସୁଯୋଗ ଦେବା ସକାଶେ ସେ ଅବସର ଗ୍ରହଣ ପାଇଁ ନିଷ୍ପତ୍ତି ନେଇଛନ୍ତି । ଗତ ୧୩ ବର୍ଷ ଧରି ଭାରତ ପକ୍ଷରୁ ଅନ୍ତର୍ଜାତୀୟ ହକି ଖେଳିବାର ସୁଯୋଗ ମିଳିଥିବାରୁ ସେ ହକି ଇଣ୍ଡିଆ ଓ ଦଳୀୟ ସାଥୀ ଓ କୋଚ୍‌ମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ତେବେ ରୂପିନ୍ଦର ଆସନ୍ତା ବର୍ଷ ଖେଳାଯିବାକୁ ଥିବା ଏସିଆନ୍ ଗେମ୍ସ ପର୍ଯ୍ୟନ୍ତ ଖେଳିବାକୁ ଇଚ୍ଛୁକ ଥିଲେ । କିନ୍ତୁ ଅଧିକାଂଶ ସମୟରେ ଆଘାତ ସହ ଲଢ଼ିଆସୁଥିବାରୁ ତାଙ୍କୁ ଆଗାମୀ ଜାତୀୟ କ୍ୟାମ୍ପ୍‌ରେ ସାମିଲ୍ କରାନଯିବା ସକାଶେ ନିଷ୍ପତ୍ତି ହୋଇଥିବା ନେଇ ନିର୍ଦ୍ଦିଷ୍ଟ ସୂତ୍ରରୁ ଅବଗତ ହେବା ପରେ ସେ ଅବସର ଘୋଷଣା କରିଛନ୍ତି । ସେ ୨୦୧୪ ଇଞ୍ଚିଅନ୍ ଓ ୨୦୧୮ ଜାକର୍ତ୍ତାରେ ଅନୁଷ୍ଠିତ ଏସିଆନ୍ ଗେମ୍ସରେ ଯଥାକ୍ରମେ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ୍ ପଦକ ଜିତିଥିବା ଭାରତୀୟ ଦଳର ସଦସ୍ୟ ରହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking