30.1 C
Bhubaneswar
Wednesday, May 1, 2024
Homeଅପରାଧଜମିବାଡ଼ିକୁ କେନ୍ଦ୍ରକରି କଳହ, ବାପପୁଅ କୋର୍ଟ ଚାଲାଣ

ଜମିବାଡ଼ିକୁ କେନ୍ଦ୍ରକରି କଳହ, ବାପପୁଅ କୋର୍ଟ ଚାଲାଣ

ବାଲିଚନ୍ଦ୍ରପୁର: ଜମିବାଡ଼ିକୁ କେନ୍ଦ୍ର କରି ଏକ ଘରୋଇ କଳି ଘଟଣାରେ ଶୁକ୍ରବାର ବାଲିଚନ୍ଦ୍ରପୁର ପୁଲିସ ତଦନ୍ତ ନକରି ଏକ ପାଖିଆ ଭାବେ ବାପପୁଅ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଛି । ପ୍ରକାଶ ବାଲିଚନ୍ଦ୍ରପୁର ଥାନା ଅଣକା ପଞ୍ଚାୟତସ୍ଥିତ ରାହାଳ ଗ୍ରାମର ବୈଦନାଥ ରଥଙ୍କର ପରିବାରରେ ଦୀର୍ଘଦିନ ହେବ ଜମିବାଡ଼ି ବିବାଦ ଲାଗିରହିଛି । ବୈଦନାଥଙ୍କର ତିନି ପୁଅ ଓ ଦୁଇ ଝିଅଙ୍କ ମଧ୍ୟରେ ବଡ଼ପୁଅ ଓ ସାନପୁଅର ଦୁର୍ଘଟଣାରେ ମୃତ୍ୟୁ ହୋଇସାରିଛି । ତିନି ପୁଅଙ୍କ ମଧ୍ୟରେ ଜମିବାଡ଼ି ଭାଗବଣ୍ଟା ସରିଛି । ଯେଉଁ ଏକ ମାତ୍ର ମଧ୍ୟମପୁତ୍ର ଜୀବିତ ଅଛନ୍ତି ବାପା ବୈଦ୍ୟନାଥ ତାଙ୍କ ପାଖରେ କଟକରେ ରହୁଛନ୍ତି । ମାଆ ସାନବୋହୂ ପାଖରେ ଗାଁରେ ରହୁଛନ୍ତି ।

ସାନବୋହୂଙ୍କର ଦୁଇଟି ୧୭ ଓ ୧୮ ବର୍ଷିୟା ନାବାଳକ ପୁତ୍ର ଅଛନ୍ତି । ମାତ୍ର ମଧ୍ୟମପୁତ୍ରକୁ ଗାଁରେ ମାଆ, ଭାଇ ବୋହୂ, ନାବାଳକ ପୁତୁରା ଦୁଇ ଝିଅଙ୍କ ପ୍ରରୋଚନାରେ ଘରେ ପୂରାଇଦେଉନାହାନ୍ତି କି ଘର କରାଇଦେଉନାହାନ୍ତି । ଏପରିସ୍ଥଳେ ଗୁରୁବାର ମଧ୍ୟମପୁତ୍ର ସୌଭାଗ୍ୟ ଗାଁକୁ ଆସି ଘର ମରାମତ କାର୍ଯ୍ୟ କରିବାରୁ ତାଙ୍କର ଭାଇବୋହୂ ହରପ୍ରିୟା ରଥ, ମାଆ ଶାନ୍ତିଲତା ରଥ, ନାବାଳକ ପୁତୁରା ଓମ୍ ପ୍ରକାଶ ରଥ ଓ ଲୁବୁନ ରଥ ମିଳିତ ଭାବେ ସୌଭାଗ୍ୟଙ୍କ ପୁଅ ସଂଗ୍ରାମକୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଥିଲେ । ଉକ୍ତ ଦୁଇ ନାବାଳକ ପୁତୁରାଙ୍କ ଦ୍ୱାରା ଜେଜେମାଆ ହରପ୍ରିୟା ଆହତ ହୋଇଥିଲେ ।

ଏ ନେଇ ପ୍ରଥମେ ସୌଭାଗ୍ୟ ବାଲିଚନ୍ଦ୍ରପୁର ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିବା ପରେ ପୁଲିସ ତାଙ୍କ ଅଭିଯୋଗ ଗ୍ରହଣ କରି ସେମାନଙ୍କୁ ସେହି ମୁହୂର୍ତ୍ତରେ ଅଟକ ରଖିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଦୁଇ ଘଣ୍ଟା ବିଳମ୍ବରେ ପ୍ରତିପକ୍ଷଙ୍କର ମାଆ ଶାନ୍ତିଲତା ଓ ଭାଇବୋହୂ ହରପ୍ରିୟା ଥାନାରେ ପହଞ୍ଚି ସୌଭାଗ୍ୟ ଓ ତାଙ୍କ ପୁତ୍ର ସଂଗ୍ରାମଙ୍କ ନାମରେ ପାଲଟା ଅଭିଯୋଗ ଦେଲେ । ତେବେ ପୁଲିସ ଘଟଣାର କୌଣସି ତଦନ୍ତ ନକରି କେଉଁ ଅଦୃଶ୍ୟଶକ୍ତି ଇସାରାରେ ପ୍ରଥମ ଅଭିଯୋଗକାରୀ ଦରଖାସ୍ତ ଦେଉ ଦେଉ ଅଟକ ରଖିଲେ ତାହା ପୁଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରଥମପକ୍ଷ ସୌଭାଗ୍ୟଙ୍କ ଅଭିଯୋଗ ଆଧାରରେ ପୁଲିସ କେସ୍ ନଂ ୧୮୭/୨୪ରେ ହରପ୍ରିୟା ରଥ, ଓମ୍ ପ୍ରକାଶ ରଥ, ଲୁବୁନ ରଥ, ଶାନ୍ତିଲତା ରଥଙ୍କ ନାମରେ ମାମଲା ରୁଜୁ କରିଥିବା ବେଳେ ଦ୍ୱିତୀୟପକ୍ଷ ହରପ୍ରିୟାଙ୍କ ଅଭିଯୋଗ ଆଧାରରେ କେସ୍ ନଂ ୧୮୮/୨୪ରେ ରୁଜୁ କରି ସୌଭାଗ୍ୟ କୁମାର ରଥ ଓ ସଂଗ୍ରାମ କୁମାର ରଥ ଦୁଇ ବାପପୁଅଙ୍କୁ କୋର୍ଟ ଚାଲାଣ କରିଛି ।

ତେବେ ଗୋଟିଏ ପିଲାକୁ ସଂଘବଦ୍ଧ ଭାବରେ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ପୁଲିସ ରାତାରାତି ଛାଡ଼ିଦେଇଥିବା ବେଳେ ଯିଏ ପ୍ରଥମେ ଅଭିଯୋଗ କରିଥିଲେ ତାକୁ କୋର୍ଟ ଚାଲାଣ କରିଛି । ପୁଲିସ ପ୍ରଥମ ଦରଖାସ୍ତ ପାଉ ପାଉ କାହିଁକି ସେମାନଙ୍କୁ ଅଟକ ରଖିଲା ଏବଂ କାହା ଇସାରାରେ ଅପରପକ୍ଷକୁ ଡକାଇ ଅଭିଯୋଗ କରିବାକୁ ସୁଯୋଗ ଦେଲା ତାହା ସମସ୍ତଙ୍କୁ ବିସ୍ମିତ କରିଛି । ପୁଲିସ ଯଦି ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନରେ ପାତରଅନ୍ତର କରେ ତେବେ ପୁଲିସ ଉପରୁ ଜନସାଧାରଣଙ୍କ ଭରସା ଉଠିଯିବ ବୋଲି ବୃଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏଥିପ୍ରତି ଉଚ୍ଚ ପଦସ୍ଥ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି । ଏ ନେଇ ବାଲିଚନ୍ଦ୍ରପୁର ଥାନାଧିକାରିଣୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking