32.1 C
Bhubaneswar
Saturday, May 4, 2024
Homeଓଡିଶାଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ରହିବା ଭୟ ପଡ଼ିଲା ମହଙ୍ଗା

ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ରହିବା ଭୟ ପଡ଼ିଲା ମହଙ୍ଗା

ମାଲକାନଗିର : ବାଲିମେଳା ଡ୍ୟାମରେ ଡଙ୍ଗା ଓଲଟି ୩ ଜଣ ମୃତ୍ୟୁବରଣ କରିବା ଘଟଣାର ଏକ ସପ୍ତାହ ମଧ୍ୟରେ ଆଉ ଏକ ଦୁଃଖଦ ଡଙ୍ଗା ଓଲଟିବା ଘଟଣା ସାମ୍‌ନାକୁ ଆସିଛି । ତେଲେଙ୍ଗାନା ରାଜ୍ୟରେ କାମ କରିବାକୁ ଯାଇ ଫେରିବା ବେଳେ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ୧୪ ଦିନ ସଙ୍ଗରୋଧରେ ରହିବାକୁ ପଡ଼ିବ ବୋଲି ଗଳା ବାଟ ଦେଇ ଆସୁଥିଲେ । ମାଲକାନଗିରି ଜିଲ୍ଲା ଓ ଆନ୍ଧ୍ର ସୀମାନ୍ତ ସିଲେରୁ ନଦୀରେ ଗତକାଲି ରାତ୍ରିରେ ୨ଟି ଦେଶୀ ଡଙ୍ଗା ଓଲଟି ୩ ଜଣ ନିଖୋଜ ଥିବା ବେଳେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୩ ଜଣ ପହଁରି ପହଁରି ଡଙ୍ଗା ଘାଟରେ ପହଞ୍ଚିବାରେ ସକ୍ଷମ ହୋଇଛନ୍ତି ।
ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଗୁଣ୍ଠାୱାଡ଼ା ପଞ୍ଚାୟତ କନ୍ଧଗୁଡ଼ା ଓ ଗୁଣ୍ଠାୱାଡା ଗ୍ରାମର ୧୧ ଜଣ ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦ ନିକଟସ୍ଥ ସାଙ୍ଗରେଡିର ଏକ ଇଟା ଭାଟିରେ କାମ କରିବାକୁ ଯାଇ ନିଜ ଗ୍ରାମକୁ ଫେରୁଥିଲେ । ମାଲକାନଗିରି ଜିଲ୍ଲାର ଗୁଣ୍ଡାୱାଡ଼ା ଓ କନ୍ଧଗୁଡ଼ା ଗ୍ରାମର ୧୧ ଜଣଙ୍କ ସମେତ ଅନ୍ୟ ରାଜ୍ୟର ୩୬ ଜଣ ଶ୍ରମିକ ଏକ ବସ ଯୋଗେ ସିଲେରୁଠାରେ ପହଞ୍ଚିଥିଲେ । କରୋନା କଟକଣା ଯୋଗୁଁ ସଙ୍ଗରୋଧ କେନ୍ଦ୍ରରେ ରହିବା ଭୟରେ ମୁଖ୍ୟ ରାସ୍ତା ଦେଇ ନ ଆସି ଲୁଚି ଲୁଚି ୨ଟି ମାଛ ଧରା ଦେଶୀ ଡଙ୍ଗା ଭଡ଼ା କରି ଗୋଟିଏ ଡଙ୍ଗାରେ ୬ ଜଣ ଓ ଅନ୍ୟ ଏକ ଡଙ୍ଗାରେ ୫ ଜଣ ସିଲେରୁ ନଦୀ ଦେଇ ନିଜ ଗ୍ରାମକୁ ଫେରୁଥିଲେ । ରାତ୍ରି ସମୟରେ କିଛି ଦେଖା ନ ଯିବାରୁ ନଦୀ ମଧ୍ୟରେ ଥିବା ଏକ ଗଛ ଖୁଣ୍ଟରେ ଦେଶୀ ଡଙ୍ଗାଟି ଧକ୍କା ହୋଇ ଓଲଟି ପଡ଼ିଥିଲା । ସେଥିରେ ଥିବା ୬ ଜଣ ଲୋକ ନିଜର ଜୀବନ ବଞ୍ଚାଇବାକୁ ଅନ୍ୟ ଏକ ଡଙ୍ଗା ଉପରେ ଚଢ଼ିବାକୁ ଉଦ୍ୟମ କରୁଥିବା ବେଳେ ଉକ୍ତ ଡଙ୍ଗାଟି ମଧ୍ୟ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ୩ ଜଣ ପହଁରି ପହଁରି ଘାଟରେ ପହଞ୍ଚିଥିବା ବେଳେ ୮ ଜଣ ନିଖୋଜ ଥିଲେ । ଗତକାଲି ଚିତ୍ରକୋଣ୍ଡା ଏସ୍‌ଡିପିଓ ସୁନାରାମ ହେମ୍ବ୍ରମଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ତହସିଲଦାର ଟି.ପଦ୍ମାନାଭ ଦୋରାଙ୍କ ସମେତ ପୁଲିସ, ଓଡ୍ରାଫ ଦଳ ଓ କୋରୁକୋଣ୍ଡା ଅଗ୍ନିଶମ ସେବା ବାହିନୀର କର୍ମଚାରୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଜଣେ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର କରିଥିଲେ । ସକାଳେ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇ ଅନ୍ୟ ୪ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୩ ଜଣ ନିଖୋଜଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି । ସମସ୍ତ ବ୍ୟକ୍ତି ଗୁଣ୍ଠାୱାଡ଼ା ଓ କନ୍ଧଗୁଡ଼ା ଗ୍ରାମର ବୋଲି ଜଣାପଡ଼ିଛି । ମାଲକାନଗିରି ଜିଲ୍ଲାପାଳ ଡଃ. ୱାଇ. ବିଜୟ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏଥିସହ ନିଖୋଜ ଥିବା ଅନ୍ୟ ୩ ଜଣଙ୍କୁ ଉଦ୍ଧାର କରିବାକୁ ପରାମର୍ଶ ଦେଇଛନ୍ତି । ସରକାରଙ୍କ ନିୟମ ଅନୁଯାୟୀ ଯଥା ଶୀଘ୍ର କ୍ଷତିପୂରଣ ଓ ଆର୍ଥିକ ସହାୟତା ରାଶି ଆଗାମୀ ୪୮ରୁ ୭୨ ଘଣ୍ଟା ମଧ୍ୟରେ ଯୋଗାଇ ଦିଆଯିବାକୁ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ଡ. ବିଜୟ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking