28.1 C
Bhubaneswar
Saturday, April 27, 2024
Homeଓଡିଶାରାଜପ୍ରସାଦ ବିଜେ ନୀତି ସମ୍ପନ୍ନ 

ରାଜପ୍ରସାଦ ବିଜେ ନୀତି ସମ୍ପନ୍ନ 

ପୁରୀ : ଫୁଲୁରି ତେଲ ଲାଗି ଓ ଦଶମୂଳ ମୋଦକ ସେବନ ଇତ୍ୟାଦି ଉପଚାର ପରେ ସ୍ନାନ ପୂର୍ଣ୍ଣିମା ଠାରୁ ଅସୁସ୍ଥ ହୋଇ ଅନବସରରେ ଥିବା ଚତୁର୍ଦ୍ଧାମୂର୍ତ୍ତି ସୁସ୍ଥ ହୋଇଛନ୍ତି । ଅନବସର ଦ୍ୱାଦଶୀ ଅବସରରେ ଚତୁର୍ଦ୍ଧାମୂର୍ତ୍ତି ସୁସ୍ଥ ହେବାର ଖବର ଗଜପତି ମହାରାଜାଙ୍କୁ ଦେଇଛନ୍ତି ଦଇତାପତି ସେବକ । ଆଷାଢ଼ ଶୁକ୍ଳ ଦ୍ୱାଦଶୀରେ ପରମ୍ପରା ଅନୁଯାୟୀ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ଦିନ ମଙ୍ଗଳ ଆଳତି, ମଇଲମ, ଅବକାଶ, ବେଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳବଲ୍ଲଭ, ସକାଳ ଧୂପ ଓ ଭୋଗମଣ୍ଡପ ପୂଜା ଯଥାରୀତି ସମ୍ପନ୍ନ ହୋଇଥିଲା । ଏହାପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହରଣ ଦ୍ୱାର ଖୋଲିଥିଲା ଓ ସମ୍ପନ୍ନ ହୋଇଥିଲା ରାଜପ୍ରସାଦ ବିଜେ ନୀତି । ଗଜପତି ମହାରାଜାଙ୍କ ପରିବାରର ସଦସ୍ୟ ସଂଖ୍ୟା ଅନୁଯାୟୀ ଭଣ୍ଡାର ଘରୁ ରୂପା ଥାଳି ବାହାର କରାଯାଇ ଲଣ୍ଣାବର୍ତ୍ତ ଉପରେ ଆସ୍ଥାନ ପଢ଼ିଆରୀ ପକାଇଥିବା ପାହାଡ଼ାରେ ସେଗୁଡ଼ିକୁ ସଜାଇ ରଖାଯାଇଥିଲା ।

ଥାଳିଗୁଡ଼ିକ ଉପରେ ପକାଯାଇଥିଲା ପାଟକନା । ଏହି ଥାଳିଗୁଡ଼ିକରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଚନ୍ଦନ, କରାଳ ଚନ୍ଦନ ଓ ପାଟ ଡ଼ୋର ଆଦି ରଖାଯିବା ସହିତ ୩ଟି ବଟାରେ ତିନି ଦ୍ୱାର ମହାବୀରଙ୍କ ଉଦ୍ଦେଶ୍ୟରେ ପ୍ରସାଦ ରଖାଯାଇଥିଲା । ଏହାପରେ ବେହରଣ ଦ୍ୱାର ବନ୍ଦ କରାଯାଇ ଜୟବିଜୟ ଦ୍ୱାର ଖୋଲିଥିଲା । ପତି ମହାପାତ୍ର, ଓ ଦଇତାପତି ସେବକମାନେ ଘଣ୍ଟ, ଛତା, କାହାଳୀ ସହ ତଳୁ୍‌ଛ ପ୍ରଧାନୀ ହାତ ପଇଠ ହୋଇ ରୂପା ଥାଳିଗୁଡ଼ିକ ହାତରେ ଧରି ସିଂହଦ୍ୱାର ଦେଇ ଶ୍ରୀନଅରକୁ ଯାତ୍ରା କରିଥିଲେ । ଗଜପତି ମହାରାଜା ଦିବ୍ୟସିଂହ ଦେବ ପାରମ୍ପରିକ ରୀତିରେ ରାଜପ୍ରସାଦ ଧରି ଶ୍ରୀନଅରକୁ ଯାଇଥିବା ସେବାୟତମାନଙ୍କୁ ସ୍ୱାଗତ କରି ଭିତରକୁ ପାଛୋଟି ନେଇଥିଲେ । ସେବାୟତମାନଙ୍କ ମୁଣ୍ଡରେ ଶାଢ଼ୀ ବନ୍ଧାଯାଇଥିଲା । ଶ୍ରୀ ନଅରରେ ବାଡ଼ ବାଡ଼ କରି ପାହାଡ଼ା ଉପରେ ରାଜପ୍ରସାଦ ବିଜେ କରାଯାଇଥିଲା । ଶ୍ରୀନଅରରେ ଦଇତାପତିମାନେ ଏକ ବୈଠକରେ ମିଳିତ ହୋଇ ଗଜପତିଙ୍କ ସହ ରଥଯାତ୍ରାର ନୀତିକାନ୍ତି ସମ୍ପର୍କରେ ଆଲୋଚନା କରିଥିଲେ । ଏହି ବୈଠକ ପରେ ଗଜପତି ଗଣମାଧ୍ୟମକୁ କହିଥିଲେ ଯେ ରଥଯାତ୍ରା ପାଇଁ ମହାପ୍ରଭୁଙ୍କ ରୀତିନୀତି ଠିକ ରୂପେ ଚାଲିଛି । ଯଥା ସମୟରେ ମହାପ୍ରଭୁଙ୍କର ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ଅନୁଷ୍ଠିତ ହେବ ।

ମାତ୍ର ଦୁଃଖର ବିଷୟ କୋଭିଡ଼ ପାଇଁ ଭକ୍ତମାନେ ଦର୍ଶନର ସୁଯୋଗ ପାଇବେ ନାହିଁ । ବର୍ତ୍ତମାନ ମନ୍ଦିର ଭିତରକୁ ଭକ୍ତମାନଙ୍କ ପ୍ରବେଶ ବନ୍ଦ ରଖାଯାଇଛି । ରଥଯାତ୍ରାରେ ମଧ୍ୟ ଅନୁରୂପ ଅବସ୍ଥା ରହିବ । ସଂପ୍ରତି କୋଭିଡ଼ ସ୍ଥିତି ବିପଦଜନକ ଅବସ୍ଥାରେ ରହିଛି ତେଣୁ ସୁପ୍ରିମକୋର୍ଟ ଗତବର୍ଷ ଯେଉଁ ରାୟ ଦେଇଥିଲେ ସେହି ରାୟ ଅନୁଯାୟୀ କୋଭିଡ଼ ଗାଇଡ଼ଲାଇନ ଅନୁପାଳନ କରି ବଡ଼ଦାଣ୍ଡରେ କୌଣସି ଭକ୍ତ ରଥଯାତ୍ରା ସମୟରେ ଉପସ୍ଥିତ ରହିପାରିବେ ନାହିଁ । ଗତବର୍ଷ ଭଳି ସେବକମାନେ ବଡ଼ଦାଣ୍ଡରେ ତିନି ରଥକୁ ଟାଣିବେ । ଏଥିପାଇଁ ସବୁ ସେବକମାନେ ପ୍ରସ୍ତୁତ ଅଛନ୍ତି । ସେମାନଙ୍କର କୋଭିଡ଼ ଟେଷ୍ଟ କରାଯାଇଛି । କୋଭିଡ଼ ନିୟମ ପାଳନ ପୂର୍ବକ ମହାପ୍ରଭୁଙ୍କ ରଥଯାତ୍ରା ସୁରୁଖୁରୁରେ ଅନୁଷ୍ଠିତ ହେବ । ଗଜପତି ପ୍ରକାଶ କରିଥିଲେ ଯେ ବାସ୍ତବରେ ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ମହାପ୍ରଭୁ ରଥ ଉପରକୁ ଆସନ୍ତି । ରଥଯାତ୍ରାର ମୂଳ ଉଦ୍ଦେଶ୍ୟ ହେଲା ଭକ୍ତ ଓ ଭଗବାନଙ୍କର ମିଳନ ।

ସମଗ୍ର ବିଶ୍ୱର ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ମହାପ୍ରଭୁ ରତ୍ନ ସିହଂହାସନରୁ ବାହାରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରନ୍ତି । ମହାପ୍ରଭୁଙ୍କ ଦର୍ଶନ ହେଉଛି ଏହି ଯାତ୍ରାର ପ୍ରମୁଖ ଉଦ୍ଦେଶ୍ୟ । ତେଣୁ ତିନି ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ ଯେପରି ସୁନ୍ଦର ଭାବେ ହୋଇପାରିବ ଓ ଭକ୍ତମାନେ ଯେପରି ସନ୍ତୁଷ୍ଟ ହେବେ ସେଥିପାଇଁ ଦଇତାପତିମାନଙ୍କୁ ନିବେଦନ କରାଯାଇଛି । ସମଗ୍ର ବିଶ୍ୱର ଭକ୍ତମାନେ ଟେଲିଭିଜନ ମାଧ୍ୟମରେ ରଥଯାତ୍ରା ଦେଖିବେ ସେମାନେ ଯେଭଳି ସୁନ୍ଦର ଓ ସ୍ପଷ୍ଟ ଭାବେ ମହାପ୍ରଭୁଙ୍କ ଦର୍ଶନ କରି କୃପା ଲାଭ କରିପାରିବେ ସେଥିପାଇଁ ସେ ଦଇତାପତିମାନଙ୍କୁ ନିବେଦନ କରିଛନ୍ତି ବୋଲି ଗଜପତି ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking