32.1 C
Bhubaneswar
Friday, April 26, 2024
Homeଓଡିଶାଅନୁକୂଳ ପୂଜା ପରେ ତୁମ୍ବ ବିନ୍ଧ କାର୍ଯ୍ୟ ଆରମ୍ଭ

ଅନୁକୂଳ ପୂଜା ପରେ ତୁମ୍ବ ବିନ୍ଧ କାର୍ଯ୍ୟ ଆରମ୍ଭ

ପୁରୀ : ଦ୍ରୁତ ଗତିରେ ଆଗେଇ ଚାଲିଛି ରଥଖଳାରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ୩ରଥର ନିର୍ମାଣ କାର୍ଯ୍ୟ । କ୍ରମଶଃ ଅଧିକରୁ ଅଧିକ ସେବକଙ୍କୁ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ କରାଯାଉଛି । ଶୁକ୍ରବାର ଦିନ ୭୯ଜଣ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ଶନିବାର ଦିନ ୯୨ଜଣ ରଥ ନିର୍ମାଣରେ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଥିଲେ ୩ରଥର ୩୩ଜଣ ମହାରଣା, ୩୯ଜଣ ଭୋଇ, ୪ଜଣ କରତି, ୧୨ଜଣ ଓଝା ବା କମାର, ୨ଜଣ ତୁମ୍ବ ବିନ୍ଧ କାରୀଗର, ଜଣେ ପାହି ମହାରଣା ଓ ଜଣେ ରଥଖଳା ସହାୟକ । ପୂର୍ବଦିନରୁ ୩ରଥର ୪୨ଟି ତୁମ୍ବ ମଧ୍ୟରୁ ୪୦ଟି ତୁମ୍ବର ନିର୍ମାଣ ସରିଥିଲା । କଟକ ସମିଲରୁ ଆସିଥିବା ଫାସିକାଠକୁ କରତି ସେବକ କଟିଂ କରି ତାଳଧ୍ୱଜ ରଥର ମୁଖ୍ୟ ମହାରଣାଙ୍କୁ ଯୋଗାଇ ଥିଲେ । ୨ଟି ତୁମ୍ବର ପ୍ରାରମ୍ଭିକ ଗୋଲେଇ କାର୍ଯ୍ୟ ଚାଲିଛି । ଆଜି ସୁଦ୍ଧା ୪୨ଟି ଯାକ ତୁମ୍ବର କାର୍ଯ୍ୟ ଶେଷ ହୋଇଯିବ ବୋଲି ଆଶା କରାଯାଉଛି । ଶନିବାର ଦିନ ରଥଖଳାରେ ତୁମ୍ବ ବିନ୍ଧ ଅନୁକୂଳ ପୂଜା କରି ତୁମ୍ବରେ ବିନ୍ଧ କାର୍ଯ୍ୟ ଆରମ୍ଭ ହୋଇଛି ।

ପ୍ରତ୍ୟେକ ତୁମ୍ବରେ ୧୬ଯୋଡ଼ା ଲେଖାଏଁ ୩୨ଟି ବିନ୍ଧ ହେବ । ତାଳଧ୍ୱଜ ରଥର ୧୨ଟି ତୁମ୍ବ ନିର୍ମାଣ ସହ ସୁତାବାଡ଼ିଆ କାର୍ଯ୍ୟ ଚାଲିଥିଲା । ଶନିବାର ଦିନ ଫାସି କାଠର ୨ଟି ତୁମ୍ବ କଟିଂ କରି କରତି ସେବକ ଯୋଗାଇଛନ୍ତି । ଏହି ୨ଟି ତୁମ୍ବର ପ୍ରାରମ୍ଭିକ ଗୋଲେଇ କାର୍ଯ୍ୟ ଶେଷ ହୋଇଯିବାର ସମ୍ଭାବନା ରହିଛି । ନିର୍ମାଣ ସରିଥିବା ତୁମ୍ବ ଗୁଡ଼ିକର ଠେକ ତୁଲୁଆ ସହ ଘେରକଟା ଏବଂ ୨ଟି ତୁମ୍ବର ବିନ୍ଧ କାର୍ଯ୍ୟ ଚାଲିଛି। ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ୧୨ଟି ତୁମ୍ବର ସୁତା ବାଡ଼ିଆ କାର୍ଯ୍ୟ ଶେଷ ହୋଇ ୧୦ଟି ତୁମ୍ବର ବିନ୍ଧ କାର୍ଯ୍ୟ ଚାଲିଛି । ବିନ୍ଧ ପରେ ଘେରକଟା କାର୍ଯ୍ୟ ହେବ । ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ସମସ୍ତ ୧୬ଟି ତୁମ୍ବର ସୁତାବାଡ଼ିଆ କାର୍ଯ୍ୟ ଶେଷ ହୋଇ ତୁମ୍ବଗୁଡ଼ିକର ଘେରକଟା ସହ ଠେକ ତୁଲିଆ କାମ ଚାଲିଛି । ଏଥିସହିତ ୫ଟି ତୁମ୍ବର ବିନ୍ଧ କାର୍ଯ୍ୟ ମଧ୍ୟ ଚାଲୁ ରହିଛି । ଇତି ମଧ୍ୟରେ କଟକ ସମିଲରୁ ୬ଟି ଜନ୍ତା ପଟା, ଜନ୍ତାଘର ପାଇଁ ଫାଳି କାଠ ବା ଥାଳି ଓ ୬ଟି ଅସନ କାଠ ଆସିଛି ।

ଏହାଛଡ଼ା ୩ରଥ ପାଇଁ ଅର କାଠ ପଟା ଓ ୨ଟି ତୁମ୍ବ ପାଇଁ ଫାସି କାଠ ଆସି ପହଞ୍ଚିଛି । ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାରଶାଳରେ ଓଝା ମହାରଣା ସେବକଙ୍କ ଦ୍ୱାରା ଚାଲିଛି ବିଭିନ୍ନ ଲୌହ ସରଞ୍ଜାମ ପ୍ରସ୍ତୁତି । ତୁମ୍ବରେ ଲଗାଯିବା ପାଇଁ ଏବେ ପନ୍ଦାରୀ ନିର୍ମାଣ କାର୍ଯ୍ୟ ଚାଲିଛି । ଉଲ୍ଲେଖଯୋଗ୍ୟ ଯେ ୩ରଥର ୪୨ଟି ଚକ ପାଇଁ ୮୪ଟି ପନ୍ଦାରୀ ଓ ୮୪ଟି ବଳା ଆବଶ୍ୟକ ହୋଇଥାଏ । ରଥ ନିର୍ମାଣରେ ନିୟୋଜିତ ଆଉ ୨ଜଣ ସେବକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ସମ୍ପର୍କରେ ସୂଚନା ଦେଇ ଜିଲ୍ଲାପାଳ ସମର୍ଥ ବର୍ମା ପ୍ରକାଶ କରିଛନ୍ତି ଯେ ଶୁକ୍ରବାର ଦିନ ରଥ କାମ ପାଇଁ କେତେକ ନୂତନ ବ୍ୟକ୍ତିଙ୍କୁ ନିୟୋଜିତ କରାଯାଇଥିଲା । କାମରେ ଯୋଗଦେବା ପୂର୍ବରୁ ସମସ୍ତଙ୍କର ଟେଷ୍ଟିଂ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୨ଜଣ ପଜିଟିଭ ବାହାରିଛନ୍ତି ।

ସେମାନେ ଅଲଗା ଜାଗାରେ ରହୁଥିଲେ । ନେଗେଟିଭ ରିପୋର୍ଟ ଆସିବା ପରେ ହିଁ କାରୀଗରମାନଙ୍କୁ ରଥ ନିର୍ମାଣ କାର୍ଯ୍ୟରେ ସାମିଲ ହେବାକୁ ଅନୁମତି ଦିଆଯାଉଛି । ନୀଳାଚଳ ଭକ୍ତ ନିବାସ କୋଭିଡ଼ କେୟାର ସେଣ୍ଟରରେ ସେମାନଙ୍କୁ ରଖାଯାଉଛି ଓ ପରୀକ୍ଷାରୁ ନେଗେଟିଭ ଜଣାପଡ଼ିଲେ ରଥଖଳାରେ କାମ କରିବାକୁ ଦିଆଯାଉଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ କୋଭିଡ଼ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପରସ୍ପର ମଧ୍ୟରେ ସାମାଜିକ ଦୂରତା ରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking