35.1 C
Bhubaneswar
Wednesday, May 8, 2024
Homeଓଡିଶାବିଜେଡି ଯିବା ନେଇ ପ୍ରଦୀପ ଦେଲେ ସୂଚନା

ବିଜେଡି ଯିବା ନେଇ ପ୍ରଦୀପ ଦେଲେ ସୂଚନା

ଭୁବନେଶ୍ୱର: ବିଜେଡିରେ ଯୋଗ ଦେବା ନେଇ କଂଗ୍ରେସର କାର୍ଯକାରୀ ସଭାପତି ପ୍ରଦୀପ ମାଝିଙ୍କ ନାଁ ଅନେକ ଦିନ ହେଲା ଚର୍ଚ୍ଚା ହୋଇଆସୁଛି । ବିଭିନ୍ନ ସମୟରେ ତାଙ୍କ ବକ୍ତବ୍ୟରୁ ଏହି ସୂଚନା ମିଳୁଥିଲା ଏହା ଏବେ କ୍ରମେ ସ୍ପଷ୍ଟ ହୋଇଛି । ବିଜେଡିରେ ସେ ଯେ କୌଣସି ମୁହୂର୍ତ୍ତରେ ଯୋଗ ଦେଇପାରନ୍ତି ଏଭଳି ସମ୍ଭାବନା ସୃଷ୍ଟି ହୋଇଛି । ବିଜେଡିରେ ଯୋଗ ଦେବେ ବୋଲି ସିଧାସଳଖ ପ୍ରଶ୍ନକୁ ଖଣ୍ଡନ କଲେ ନାହିଁ । ସୁଯୋଗ ମିଳିଲେ ବିଚାର କରିବେ ବୋଲି କହିଲେ ।  ଏକ ଘରୋଇ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ସମୟରେ ପ୍ରଦୀପ ଏହି ମତ ରଖିଛନ୍ତି । ଏଥିସହ ବିଜେଡି ଓ କଂଗ୍ରେସର ଆଇଡୋଲୋଜି ବା ଆଦର୍ଶରେ କୌଣସି ତଫାତ ନାହିଁ ବୋଲି ସେ ମତ ରଖିବା ପରେ ତାଙ୍କ ମନୋଭାବ ସ୍ପଷ୍ଟ ହୋଇଯାଉଛି । କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ଅନ୍ୟତମ ପୂର୍ବତନ କାର୍ଯ୍ୟକାରୀ ସଭାପତି ନବ ଦାସ  ଦଳ ଛାଡି ବିଜେଡିରେ ଯୋଗ ଦେବା ପରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ହୋଇଥିବା ନେଇ ସେ ଉଦାହରଣ ରଖିଛନ୍ତି । ଏଥିରୁ ତାଙ୍କର ମନୋଭାବ ସ୍ପଷ୍ଟ ହୋଇ ଯାଉଛି । ବିଜେଡିରେ ଯୋଗ ଦେବା ନେଇ ଏକପ୍ରକାର ସେ ସୂଚନା ଦେଇ ଦଳ ଉପରେ ଚାପ ପକାଇବାକୁ ଚାହୁଁଛନ୍ତି କି ତାଙ୍କ ଉଦ୍ଦେଶ୍ୟ ଅନ୍ୟ କଣ ତାହା ଯଦିଓ ସ୍ପଷ୍ଟ ହୋଇନାହିଁ, ତଥାପି ବିଜେଡିରେ ଯୋଗ ଦେବା ନେଇ ତାଙ୍କର ଯୁକ୍ତି ବେଶ ତାତ୍ପର୍ଯ୍ୟବହନ କରୁଛି ।

କଂଗ୍ରେସରେ ଗୋଷ୍ଠୀ ବିବାଦ କିଛି ନୂଆକଥା ନୁହେଁ କିମ୍ବା ନେତା ଦଳ ଛାଡିବା ନୂଆ ନୁହେଁ । ଜଣକ ପରେ ଜଣେ ନେତା ଦଳ ଛାଡିଥିବାର ଅନେକ ଉଦାହରଣ ରହିଛି । ପୂର୍ବତନ ବିରୋଧୀ ଦଳର ନେତାଙ୍କ ଠାରୁ ଆରମ୍ଭ କରି କାର୍ଯ୍ୟକାରୀ ସଭାପତିଙ୍କ ପର୍ଯ୍ୟନ୍ତ ଅନେକ ଦଳ ଛାଡିଛନ୍ତି । ମୁଖ୍ୟତ ସେମାନେ ବିଜେଡିରେ ହିଁ ଯୋଗ ଦେଇଛନ୍ତି । ବିଜେଡିରେ ଯୋଗ ଦେବା ପରେ କିଛି ନେତା ଗୁରୁତ୍ୱ ପାଇଛନ୍ତି ଆଉ ଅନେକ ଗୁରୁତ୍ୱହୀନ ହୋଇ ଯାଇଛନ୍ତି ।  ବର୍ତମାନ କଂଗ୍ରେସରେ ଏକପ୍ରକାର ଗୋଷ୍ଠୀବିବାଦ ଜାରି ରହିଛି । ବିଶେଷକରି କୋରାପୁଟ ଜିଲ୍ଲା କଂଗ୍ରେସରେ ବିବାଦ ତୀବ୍ରତର ହୋଇଛି । ପ୍ରଦୀପଙ୍କ ସହ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ବିବାଦ ଚରମସୀମାରେ ପହଂଚିଛି । ଦୁଇ ନେତା ମୁହାଁମୁହିଁ ସ୍ଥିତିରେ ପହଂଚିଛନ୍ତି ଓ ପରସ୍ପରକୁ ଆଖେପ କରିବାରେ ଲାଗିଛନ୍ତି । ତାରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଦୀପ ଚାହୁଁଛନ୍ତି । ଅନ୍ୟପଟେ ବିଭିନ୍ନ ସମୟରେ ରାହୁଲ ଗାନ୍ଧୀ ଓ ଦଳ ବିରୁଧରେ ମତ ଦେଇଥିବାରୁ ପ୍ରଦୀପଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠାନ ପାଇଁ ତାରା ଦାବି କରୁଛନ୍ତି । ନିକଟରେ ସାମ୍ବାଦିକ ସମ୍ମିଳନୀ କରି ପ୍ରଦୀପ ତାରାଙ୍କ ବିରୋଧରେ ବର୍ଷିଥିଲେ ଓ ତାଙ୍କୁ ଆଦିବାସୀ ବିରୋଧୀ ବୋଲି ବର୍ଣ୍ଣନା କରିଥିଲେ ।  ତାରା ମଧ୍ୟ ପାଲଟା ଜବାବ ରଖିଥିଲେ ।

ଏବେ ହଠାତ ପ୍ରଦୀପ ଏକ ଘରୋଇ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ଅବସରରେ  ଯେଉଁ ମତ ରଖିଛନ୍ତି, ତାହା ବେଶ ଗୁରୁତ୍ୱବହନ କରୁଛି । କିଛି ନେତା କହୁଛନ୍ତି, ପ୍ରଦୀପ ଏଭଳି ମତ ଖୋଲା ଭାବରେ ରଖି ଦଳ ଉପରେ ଚାପ ସୃଷ୍ଟି କରିବାକୁ ଚାହୁଁଛନ୍ତି । ଆଉ କିଛି ନେତା ମତ ରଖୁଛନ୍ତି ଯେ, ବିଜେଡିକୁ ଯିବା ପାଇଁ ପ୍ରଦୀପ ଅନେକ ଦିନ ହେଲା ଉଦ୍ୟମ ଜାରି ରଖିଛନ୍ତି । କାରଣ କଂଗ୍ରେସରେ ରହିଲେ ସେ ଆଉ କ୍ଷମତାକୁ ଫେରିବା ସ୍ଥିତିରେ ନାହାନ୍ତି । ତେଣୁ ସେଥିପାଇଁ ସେ କୋରାପୁଟ ଜିଲ୍ଲା  କଂଗ୍ରେସକୁ ଦୁର୍ବଳ କରିବା ପାଇଁ ବିଭିନ୍ନ ସମୟରେ ବିରୋଧାତ୍ମକ ବୟାନ ଦେଉଛନ୍ତି । ପଂଚାୟତ ନିର୍ବାଚନ ପୂର୍ବରୁ ସେ ଦଳ ଛାଡିବେ , ଏହା ନିଶ୍ଚିତ ବୋଲି କିଛି ନେତା କହୁଛନ୍ତି ।

ପ୍ରଦୀପ ଆଜି ଯାହା ଉକ୍ତ ଟିଭି ଚ୍ୟାନେଲରେ କହିଛନ୍ତି, ସେଥିରେ ସେ ଉଲେଖ କରିଛନ୍ତି ଯେ, ‘ବିଜେଡି ଆଇଡୋଲୋଜି ଓ କଂଗ୍ରେସ ଆଇଡୋଲୋଜି ଭିତରେ ବିଶେଷ କିଛି ଫରକ ନାହିଁ । ବିଜେଡି ଯିବା ନେଇ ୨୦୧୭-୧୮ରୁ ଚର୍ଚ୍ଚା ଚାଲିଛି । ଆଇଡୋଲୋଜି ପରିବର୍ତନ କରିବା ସେମିତି କିଛି ନାହିଁ । କିନ୍ତୁ ଲୋକଙ୍କ ସେବା କରିବା ମନ ଭିତରେ ବହୁତ ଇଚ୍ଛା ଅଛି । ଏମିତି ସୁଯୋଗ ହାତ ଛଡା କରିବା ଠିକ ହେବ ନାହିଁ । ଦଳ ପରିବର୍ତନ କରିବା ପ୍ରଶ୍ନରେ ହସିଲେ ପ୍ରଦୀପ । ଆଉ କହିଲେ ସେବା କରିବା ପାଇଁ ଓ ଲୋକଙ୍କ କାମ କରିବା ପାଇଁ ଯଦି ସୁଯୋଗ ମିଳେ ତେବେ ଚିନ୍ତା କରାଯାଇପାରେ । ଯଦି ଲୋକଙ୍କ ସେବା କରିବା ପାଇଁ ସୁଯୋଗ ମିଳୁଛି, ଅଧିକାରୁ ଅଧିକା ସୁଯୋଗ ମିଳୁଛି ତାହେଲେ ସୁଯୋଗ ହାତ ଛଡା କାହିଁକି କରିବି’ । ବିଜେଡିକୁ ପ୍ରଂଶସା କରି କହିଲେ ଦଳରେ ଶୃଙ୍ଖଳା ଅଛି ଓ ଶାସନରେ ସ୍ଥିରତା ଅଛି, ଯାହାକି କଂଗ୍ରେସରେ ନାହିଁ । ପ୍ରଦୀପ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଯେ, ତାଙ୍କର ଆଇଡୋଲୋଜି ପରିବର୍ତନ କରିବାର ନାହିଁ । ସେହିପରି କହିଛନ୍ତି କଂଗ୍ରେସକୁ ବିଜେଡିର ଆଇଡୋଲୋଜିରେ କୌଣସି ଫରକ ନାହିଁ । ଦୁଇ ଦଳର ଆଇଡୋଲୋଜି ସମାନ ଥିବାରୁ ବିଜେଡିରେ ଯୋଗ ଦେଲେ ତାଙ୍କ ଆଇଡୋଲୋଜିରୋ କୌଣସି ପରିବର୍ତନ ହେବ ନାହିଁ । ଏଣୁ ପ୍ରଦୀପ ବିଜେଡିକୁ ଯିବା ନେଇ ତାଙ୍କ ମନୋଭାବକୁ ଅଧିକ ସ୍ପଷ୍ଟ କରିଛନ୍ତି ଓ ଲୋକଙ୍କ ସେବା ନାଁ ରେ ବିଜେଡିକୁ ଯିବାକୁ ଚାହୁଁଛନ୍ତି ବୋଲି ଆଲୋଚନା ହେଉଛି । ପୂର୍ବରୁ ସେ ମଧ୍ୟ କହିଥିଲେ ଯେ, ବିଜେଡିର କିଛି ନେତା ତାଙ୍କୁ ଯୋଗାଯୋଗ କରିଛନ୍ତି । ହେଲେ ସେମାନଙ୍କ ନାଁ ସେ ପ୍ରକାଶ କରିନଥିଲେ । କେବଳ ବିଜେଡି ନେତା ଯୋଗାଯୋଗ କରିଥିବା କଥା କହିଥିଲେ । ହେଲେ ବିଧିବଧ ଭାବେ ତାଙ୍କ ଯୋଗଦାନକୁ ଅପେକ୍ଷା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking