30.1 C
Bhubaneswar
Friday, April 26, 2024
Homeଓଡିଶାରାସ୍ତାକୁ ନେଇ ଉତ୍ତେଜନା : ତହସିଲଦାର, ଅତିରିକ୍ତ ତହସିଲଦାର ୧୦ଘଣ୍ଟା ଅଟକ

ରାସ୍ତାକୁ ନେଇ ଉତ୍ତେଜନା : ତହସିଲଦାର, ଅତିରିକ୍ତ ତହସିଲଦାର ୧୦ଘଣ୍ଟା ଅଟକ

ନୟାଗଡ : ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ୍ ଅଧୀନ ମର୍ଦ୍ଦରାଜପୁର ନୂଆସାହି ବସ୍ତିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ନିର୍ମାଣକୁ କେନ୍ଦ୍ର କରି ପୁଣି ମଙ୍ଗଳବାର ଉତ୍ତେଜନା ଦେଖାଦେଇଛି । ଉକ୍ତ ରାସ୍ତା ନିର୍ମାଣ ବନ୍ଦ ଦାବିରେ ବେଣାଗାଡିଆ ପଞ୍ଚାୟତ ଅଧୀନ ବରକୋଳି ଗ୍ରାମର ବାସିନ୍ଦା ସୋମବାର ଦିନ ତମାମ ଖଣ୍ଡପଡ଼ା ତହସିଲ କାର୍ଯ୍ୟାଳୟ ପରିସରରେ ଧାରଣା ଦେଇଥିଲେ । ୧୦ ଦିନ ପରେ ସମସ୍ୟାର ସମାଧାନ ନିମନ୍ତେ ଶାନ୍ତି କମିଟି ଜରିଆରେ ନିଷ୍ପତ୍ତି ନିଆଯିବ ବୋଲି ତହସିଲଦାର ପାର୍ଥ ସାରଥୀ ହାସଁଦା ପ୍ରତିଶ୍ରୁତି ଦେବା ପରେ ବରକୋଳି ଗ୍ରାମବାସୀ ଧାରଣାରୁୁ ଓହରି ଯାଇ ଗାଁ’କୁ ଫେରି ଆସିଥିଲେ । ମାତ୍ର ମଙ୍ଗଳବାର ସକାଳ ସାଢ଼େ ୮ରେ ଖଣ୍ଡପଡ଼ା ତହସିଲଦାର ହାତ ଗଣତି କେତେକ ପୁଲିସ କର୍ମଚାରୀଙ୍କ ସହ ଏକ ଜେସିବି ମେସିନ ନେଇ ନିର୍ମାଣଧୀନ ଉକ୍ତ ରାସ୍ତା ନିକଟରେ ପହଞ୍ଚିଥିଲେ । ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ଜେସିବି ମେସିନ ଯୋଗେ ରାସ୍ତା ଉପରୁ ମୋରମ ଉଠାଯାଉଥିବା ବେଳେ ଖବର ପାଇ ମର୍ଦ୍ଦରାଜପୁର ନୂଆସାହିର ଶତାଧିକ ଜନସାଧାରଣ ଉକ୍ତ ସ୍ଥାନରେ ପହଞ୍ଚି ରାସ୍ତା ଉପରୁ ମୋରମ ଓ ବାଲି ଉଠାଇବାକୁ ତୀବ୍ର ବିରୋଧ କରିବା ସହ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ଘେରିଯାଇ ପାଟିତୁଣ୍ଡ କରିଥିଲେ । ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗ୍ରାମବାସୀମାନେ ପାଟିତୁଣ୍ଡକରିବା ପରେ ରାସ୍ତା ଉପରୁ ଜେସିବ ମେସିନ ଯୋଗେ ମୋରମ ଖୋଳା ବନ୍ଦ ରହିଥିଲେ ହେଁ କାହା ନିର୍ଦ୍ଦେଶରେ ରାସ୍ତା ଉପରୁ ମୋରମ ଉଠାଗଲା ବୋଲି ସ୍ଥାନୀୟ ବାସିନ୍ଦା ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ପଚାରିଥିଲେ । ମାତ୍ର ଅଧିକାରୀ ଦ୍ୱୟ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନପାରି ନିରବ ରହିଥିଲେ । ପରେ ଗ୍ରାମବାସୀମାନେ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ଅଟକ ରଖିବା ଯୋଗୁଁ ଗ୍ରାମବାସୀଙ୍କ ଏକତା ଆଗରେ ଅଧିକାରୀ ଦ୍ୱୟ ମୁଣ୍ଡ ନୁଆଁଇ ଥିଲେ । ତେବେ ଖବର ପାଇ ଖଣ୍ଡପଡ଼ା ଥାନା ଆଇଆଇସି ବିମଳ କୁମାର ମଲ୍ଲିକ ଅପରାହ୍ନ ପ୍ରାୟ ୫ଟାରେ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲେ ହେଁ ଗ୍ରାମବାସୀମାନେ ନିଜ ଜିଦ୍‌ରେ ଅଟଳ ରହି ହରତାଳ କରୁଥିବା ଜଣାଯାଇଛି । ସୂଚନାଯୋଗ୍ୟ ଗତ ୨୫ ବର୍ଷରୁ ଊର୍ଦ୍ଧ୍ୱ ସମୟଧରି ଉକ୍ତ ରାସ୍ତା ନିର୍ମାଣକୁ କେନ୍ଦ୍ର କରି ବେଣାଗାଡିଆ ପଞ୍ଚାୟତର ବରକୋଳି ଓ ମର୍ଦ୍ଦରାଜପୁର ପଞ୍ଚାୟତର ନୂଆସାହି ବାସିନ୍ଦାଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲେ ହେଁ ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ସମସ୍ୟାର ସ୍ଥାୟୀ ସମାଧାନ କରିପାରୁ ନଥିବାରୁ ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ବିଳମ୍ବିତ ସମୟରେ ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ଘଟଣାସ୍ଥଳକୁ ଯାଇ ଲୋକଙ୍କୁ ବୁଝାଶୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସଫଳ ହୋଇପାରି ନାହିଁ । ଏ ନେଇ ଉପଜିଲ୍ଲାପାଳଙ୍କ କହିବା ମୁତାବତ, ଲୋକମାନେ ତାଙ୍କ ଜିଦ୍‌ରେ ଅଟଳ ରହିବାରୁ କୌଣସି ନର୍ଯ୍ୟାସ ବାହାରି ପାରିନାହିଁ । ୧୦ ଘଣ୍ଟା ଅଟକ ରଖିବା ପରେ ବିଳମ୍ବିତ ରାତିରେ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ଗ୍ରାମବାସୀ ଛାଡ଼ି କେବଳ ଜେସିବିକୁ ଅଟକ ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking