ପରକୋଡ଼ ଧନୁଯାତ୍ରା : ଦୁଲୁକୁଛି କଂସ ଦରବାର

ନୂଆପଡ଼ା : ଜିଲ୍ଲା ସଦର ମହକୁମାଠାରୁ ୨୦ କି.ମି ଦୂର ଛତିଶଗଡ଼ ସୀମାନ୍ତ ପରକୋଡ଼ରେ ଆୟୋଜିତ ଧନୁଯାତ୍ରା ମହୋତ୍ସବର ମଙ୍ଗଳବାର ଥିଲା ଯାତ୍ରାର ଦ୍ୱିତୀୟ ରାତ୍ରୀ । ଏହି ଅବସରରେ ଆୟୋଜିତ କଂସ ଦରବାରରେ ଆୟୋଜକ କମିଟି ସଭାପତି ମୋଇନ ଖାନ ସଭାପତିତ୍ୱ କରିଥିବାବେଳେ ଓଡ଼ିଶା ରାଜ୍ୟ କ୍ରିକେଟ ସଂଘ ଉପସଭାପତି ସରୋଜ କୁମାର ସାହୁ ମୁଖ୍ୟଅତିଥି, ନୂଆପଡ଼ା ଏନଏସିର ପୂର୍ବତନ ଉପାଧ୍ୟକ୍ଷ ମହେଶ କୁମାର ନିଆଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏଭଳି ଏକ ମହୋତ୍ସବ ଜରିଆରେ ଓଡ଼ିଆ ଭାଷା ଏବଂ ସଂସ୍କୃତିକୁ ଉଜ୍ଜୀବିତ କରୁଥିବାରୁ ଅତିଥିମାନେ ଆୟୋଜକ କମିଟିକୁ ସାଧୁବାଦ ଜଣାଇଥିଲେ । ଏକ ନାଟକ ମାଧ୍ୟମରେ ଲୋକଙ୍କ ମଧ୍ୟରେ ଏକତା ଏବଂ ଭାଇଚାରା ସ୍ଥାପନ କରାଯାଉଛି । ଏଭଳି ଏକ ଉତ୍ସବରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସବୁ ଧର୍ମର ନେତୃବୃନ୍ଦଙ୍କୁ ଗୋଟଏ ମଞ୍ଚରେ ଦେଖିବାକୁ ମିଳିଥିଲା । ଦିନଯାକ କଂସ ପରକୋଡ଼ ବସ୍ତି ପରିକ୍ରମା କରି ବିଭିନ୍ନ ସଚେତନତା ଧର୍ମୀ ବାର୍ତ୍ତା ବାଣ୍ଟିଥିଲେ । ଦ୍ୱିତୀୟ ଦିନର କାର୍ଯ୍ୟକ୍ରମରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ସମସ୍ତ ଦର୍ଶକଙ୍କ ମନମୋହିଥିଲା । ବିଭିନ୍ନ ନୃତ୍ୟଗୀତରେ ଦରବାର ଦୁଲୁକିଥିଲା । କାର୍ଯ୍ୟକ୍ରମରେ କଂସ ଭୂମିକାରେ ଝସକେତନ ପ୍ରଧାନ ଏବଂ ସେନାପତି ଭୂମିକାରେ ରୁଦ୍ର ମେହେର ଅବତୀର୍ଣ୍ଣ ହେଉଛନ୍ତି । କାର୍ଯ୍ୟକ୍ରମ ପରିଚାଳନାରେ କମିଟି ସମ୍ପାଦକ ନବୀନ ଦେୱାଙ୍ଗନ, ପଣ୍ଡା ଚନ୍ଦ୍ରକାର, ରାମେଶ୍ୱର ରାଉତ, ମହମ୍ମଦ ସଲିମ, ଦୟା ଦେୱାଙ୍ଗନ, ହେମନ୍ତ ଦେୱାଙ୍ଗନ, ଦେବେନ ଦଣ୍ଡସେନା ପ୍ରମୁଖ ଭୂମିକା ନେଉଛନ୍ତି । କାର୍ଯ୍ୟକ୍ରମରେ ଛତିଶଗଡ଼ ରାଜ୍ୟର ବହୁ ଗ୍ରାମବାସୀ ଯୋଗଦେଇ ଉପଭୋଗ କରୁଥିବା ଦେଖାଇଯାଇଛି । ଏହି କାର୍ଯ୍ୟକ୍ରମ ୨୧ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କମିଟି ସୂତ୍ରରୁ ପ୍ରକାଶ ।