27.1 C
Bhubaneswar
Wednesday, May 8, 2024
Homeଓଡିଶାଓକାକ୍‌ ବର୍ତମାନ ଓଡିଶା କରପସନ୍ ସେଣ୍ଟରରେ ପରିଣତ ହୋଇସାରିଛି : ଠାକୁର ରଣଜିତ୍

ଓକାକ୍‌ ବର୍ତମାନ ଓଡିଶା କରପସନ୍ ସେଣ୍ଟରରେ ପରିଣତ ହୋଇସାରିଛି : ଠାକୁର ରଣଜିତ୍

– ୫-ଟି ସରକାରରେ ସ୍ୱଚ୍ଛତା ନାହିଁ, ଖୋଦ୍ ଗୃହ ବିଭାଗରେ ଦୁର୍ନୀତି
 ୧୦୪ କୋଟି ଟଙ୍କାର ଅର୍ଡର ଦିଆଗଲା କେମିତି?
 ଥାନା ପିଛା ସିସିଟିଭି ଲଗାଇବାକୁ ଦିଆଯାଇଛି ୧୫ ଲକ୍ଷ; ମାତ୍ର ଓଡିଶାରେ ବଜାର ମୂଲ୍ୟ ମାତ୍ର ୬ ଲକ୍ଷ ଟଙ୍କା
 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗରେ ଜବାବ ରଖିବାକୁ ବିଜେପି ଦାବୀ
 ଟେଣ୍ଡରରେ ଦୁର୍ନୀତିର ଗନ୍ଧ ବାରି ହୋଇପଡ଼ୁଥିବାରୁ ପରଚେଜ ଅର୍ଡରକୁ ତୁରନ୍ତ ରଦ୍ଦ କରାଯାଉ
 ବିଧାୟକମାନଙ୍କୁ ନେଇ ଗୋଟିଏ ‘ପରଚେଜ କମିଟି’ ଗଠନ କରାଯାଉ
ଭୁବନେଶ୍ୱର : ‘ରାଜ୍ୟରେ ଶାସକ ବିଜେଡି ଦୁର୍ନୀତିରେ ସଂପୂର୍ଣ୍ଣ ଉବୁଟୁବୁ’, ଏଥିରେ କୈାଣସି ସନ୍ଦେହ ରହିଯାଇନାହିଁ । ୫-ଟି ସରକାରରେ ସ୍ୱଚ୍ଛତା ନାହିଁ ଏବଂ ଖୋଦ୍ ଗୃହ ବିଭାଗରେ ଖୁଲମ୍ ଖୁଲା ଦୁର୍ନିତି ହେଉଛି । ବର୍ତମାନ ଆଉ ଗୋଟିଏ ପାଦ ଆଗେଇ ଆସି ରାଜ୍ୟ ସରକାର ଖୋଲାଖୋଲି ଦୁର୍ନୀତି କରିବାକୁ ଲଜ୍ଜା ମଧ୍ୟ କରୁନାହାନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି, ଥାନା ପାଇଁ ଓକାକ୍ (ଓଡ଼ିଶା କମ୍ପୁଟର ଆପ୍ଲିକସେନ ସେଂଟର) ଜରିଆରେ ସିସିଟିଭି କିଣା ଦୁର୍ନୀତି । ଓଡ଼ିଶା କମ୍ପୁଟର ଆପ୍ଲିକସେନ ସେଂଟର (ଓକାକ୍‌) ବର୍ତମାନ ଓଡିଶା କରପସନ୍ ସେଂଟରରେ ପରିଣତ ହୋଇସାରିଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଠାକୁର ରଣଜିତ୍ ଦାସ କରିଛନ୍ତି ।
ଓଡ଼ିଶାର ୫୯୩ଟି ଥାନାରେ ସିସିଟିଭି ସ୍ଥାପନ ଲାଗି ଓକାକ୍ ଜରିଆରେ ରାଜ୍ୟ ସରକାର ମୁମ୍ବାଇର ମେସର୍ସ କ୍ରିଷ୍ଟାଲ ଇଂଟିଗ୍ରେଟେଡ଼ ସର୍ଭିସେସ ପ୍ରାଇଭେଟ ଲିମିଟେଡ଼ କମ୍ପାନୀକୁ ୧୦୪.୯୬ କୋଟି ଟଙ୍କାର ପରଚେଜ ଅର୍ଡର ଦେଇଛନ୍ତି ।

ପ୍ରତି ଥାନାରେ ସିସିଟିଭି ସ୍ଥାପନ ଲାଗି ୧୫.୫୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ୮ଟି ବୁଲେଟ କ୍ୟାମେରା ଓ ୧୨ଟି ଡୋମ କ୍ୟାମେରା ସ୍ଥାପନ କରାଯାଇ ଥାନା ମଧ୍ୟରେ ବିଭିନ୍ନ ଗତିବିଧି ଉପରେ ନଜର ରଖାଯିବ । ସବୁଠାରୁ ବଡ଼ ପ୍ରଶ୍ନ ହେଲା ଯେ, ଖୋଲା ବଜାରରୁ ଆଣିଲେ ସମାନ ସ୍ପେସିପିକେଶସନ ବିଶିଷ୍ଟ କ୍ୟାମେରା ଓ ଅନ୍ୟାନ୍ୟ ଉପକରଣ ସ୍ଥାପନ ବାବଦରେ ସର୍ବାଧିକ ଛଅ ଲକ୍ଷ ଟଙ୍କାରେ ମିଳୁଥିବା ବେଳେ ଯାହା ରାଜ୍ୟର ୫୯୩ଟି ଥାନା ପାଇଁ ସର୍ବୋମୋଟ ୩୫.୫୮ କୋଟି ଟଙ୍କା ଖର୍ଚ୍ଚ ହେବ । ପରଚେଜ ଅର୍ଡରରେ ୫୯୩ଟି ଥାନାରେ ସିସିଟିଭି ସ୍ଥାପନ ବାବଦରେ ୯୪.୪୧୫ କୋଟି ଟଙ୍କା ଖର୍ଚ୍ଚ ଉଲ୍ଲେଖ ରହିଛି । ସେହିପରି ସେଂଟ୍ରାଲ ମନିଟରିଂ ସିଷ୍ଟମ ସ୍ଥାପନା ବାବଦରେ ୧୦.୨୧ କୋଟି ଖର୍ଚ୍ଚ କରାଯିବ ଯାହାକି ବଜାର ଦର ଠାରୁ ଖୁବ୍ ଅଧକ ।

ମୋଟାମୋଟି ଭାବେ ଦେଖିବାକୁ ଗଲେ ବଜାର ଦର ଅନୁଯାୟୀ ସର୍ବାଧିକ ୪୦ କୋଟି ଟଙ୍କା ଖର୍ଚ୍ଚ ହେବା କଥା । କିନ୍ତୁ ରାଜ୍ୟ ସରକାର ୨୫୦ ପ୍ରତିଶତ ଅଧିକ ଦରରେ ମୁମ୍ବାଇର ମେସର୍ସ କ୍ରିଷ୍ଟାଲ ଇଂଟିଗ୍ରେଟେଡ଼ ସର୍ଭିସେସ ପ୍ରାଇଭେଟ ଲିମିଟେଡ଼ କମ୍ପାନୀକୁ ପରଚେଜ ଅର୍ଡର ଦେଇଛନ୍ତି । ୫-ଟି ଏବଂ ସ୍ୱଚ୍ଛତାର ଦ୍ୱାହି ହେଉଥିବା ବିଜେଡି ସରକାର ସିସିଟିଭି ଘୋଟାଲାରେ ସିଧାସଳଖ ସଂପୃକ୍ତ ଥିବା ଭଳି ଜଣାପଡ଼ୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗରେ ଜବାବ ରଖିବାକୁ ବିଜେପି ଦାବୀ କରୁଛି । ଟେଣ୍ଡରରେ ଦୁର୍ନୀତିର ଗନ୍ଧ ବାରି ହୋଇପଡ଼ୁଥିବାରୁ ପରଚେଜ ଅର୍ଡରକୁ ତୁରନ୍ତ ରଦ୍ଦ କରିବାକୁ ଶ୍ରୀ ଦାସ ଦାବୀ କରିଛନ୍ତି । ସୁଚନା ଦେଇ ଶ୍ରୀ ଦାସ କହିଛନ୍ତି ଯେ, ସିସିିଟିଭି ସ୍ଥାପନ ଲାଗି ପରଚେଜ ଅର୍ଡର (ସଂଖ୍ୟା-୩୬, ତା.୨୩/୦୭/୨୦୨୧) ଇସ୍ୟୁ ବେଳେ ରାଜ୍ୟ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଆଖିବୁଜି ଦେଇଛନ୍ତି । ବିଶେଷ କରି କମ୍ପାନୀର ସର୍ଭିସ ସେଂଟର ଓଡ଼ିଶାରେ ଅଛି କି ନାହିଁ ସେବିଷୟରେ ଯାଂଚ କରିନାହାନ୍ତି ।

ଏଠାରେ ପ୍ରଶ୍ନ ଉଠୁଛି ଯେ, ଯଦି କୌଣସି କ୍ୟାମେରା ଅଥବା ଅନ୍ୟ ଉପକରଣ ଖରାପ/ଅକାମୀ ହୋଇପଡ଼େ ସେଭଳି ସ୍ଥିତିରେ କିଭଳି ସଜଡ଼ା ଯିବ ? ଏଗୁଡିକକୁ ରାଜ୍ୟ ଭିତରେ ଠିକ୍ କରାଯିବ ଅଥବା କମ୍ପାନୀର ଉତରପ୍ରଦେଶସ୍ଥିତ ସର୍ଭିସେ ସେଂଟରକୁ ସଜଡ଼ା ଲାଗି ପଠାଯିବ ? ରାଜ୍ୟର କୋଣ ଅନୁକୋଣରୁ ଆଗାମୀ ଦିନରେ ବିଭିନ୍ନ ଅକାମୀ ଉପକରଣ ଓ କ୍ୟାମେରାକୁ କିଭଳି ସଂଗ୍ରହ କରାଯିବ ଏବଂ ସେଥିଲାଗି କଣ ବ୍ୟବସ୍ଥା ରହିଛି ତାହା ରାଜ୍ୟ ସରକାର ସ୍ପଷ୍ଟ କରିବା ନିହାତି ଆବଶ୍ୟକ ବୋଲି ଶ୍ରୀ ଦାସ ଦାବୀ କରିଛନ୍ତି ।
ଟେଂଡରରେ ଘୋଟାଲା ବିଷୟରେ ଏକ ପ୍ରମାଣ ଉପସ୍ଥାପନା କରି କହୁଛୁ ଯେ, ଭାରତ ସରକାରଙ୍କ ଜେମ୍ ମାର୍କେଟିଂ ୱେବସାଇଟରେ କ୍ୟାମେରା ମଡେଲ ସଂଖ୍ୟା (ଏସ୍ ସି-ଆଏଫ୍‌୩୨ଡିପି୧)ର ୟୁନିଟ୍ ପିଛା ୧୧,୮୦୦ଟଙ୍କାରେ ମିଳୁଥିବାବେଳେ ରାଜ୍ୟ ସରକାରଙ୍କ ପରଚେଜ ଅର୍ଡରରେ ସମାନ ମଡେଲର କ୍ୟାମେରାର ମୂଲ୍ୟ ୧୫,୭୨୯ ଟଙ୍କା ରହିଛି ।

କଂପାନୀକୁ ପରଚେଜ ଅର୍ଡର ଇସ୍ୟୁ କରିବା ପୂର୍ବରୁ ନବୀନ ସରକାର କାହିଁକି ଭାରତ ସରକାରଙ୍କ ଜେମ୍ ମାର୍କେଟିଂ ୱେବସାଇଟରେ ବିଭିନ୍ନ କ୍ୟାମେରା ଓ ଅନ୍ୟାନ୍ୟ ଉପକରଣର ମୂଲ୍ୟକୁ ଯାଂଚ କରିଲେ ନାହିଁ, ତାହା ସ୍ପଷ୍ଟ କରିବାକୁ ଶ୍ରୀ ଦାସ ଦାବୀ କରିଛନ୍ତି ।
ରାଜ୍ୟ ସରକାର ତୁରନ୍ତ ଏହି ଟେଂଡରକୁ ବାତିଲ କରନ୍ତୁ ଏବଂ ଏହି ଦୁର୍ନୀତିରେ ଥିବା ଲୋକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏଥି ସହ ବିଧାୟକମାନଙ୍କୁ ନେଇ ଗୋଟିଏ ପରଚେଜ କମିଟି ଗଠନ କରିବାକୁ ଶ୍ରୀ ଦାସ ଦାବୀ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ପ୍ରକାଶ ସୋରେନ, ନବ ଚରଣ ମାଝୀ ଏବଂ ଡ.ବୁଧନ ମୁର୍ମୁ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking