36.1 C
Bhubaneswar
Thursday, May 2, 2024
Homeଓଡିଶାପ୍ରଥମ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି, ନାମାଙ୍କନ ଆରମ୍ଭ; ମେ’୧୩ରେ ୪ ସଂସଦୀୟ ଓ୨୮ ବିଧାନସଭା କ୍ଷେତ୍ରରେ...

ପ୍ରଥମ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି, ନାମାଙ୍କନ ଆରମ୍ଭ; ମେ’୧୩ରେ ୪ ସଂସଦୀୟ ଓ୨୮ ବିଧାନସଭା କ୍ଷେତ୍ରରେ ଭୋଟ୍‌

ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଆଜିଠାରୁ ବି ନାମାଙ୍କନ ଆରମ୍ଭ ହୋଇଛି । ମେ’ ୧୩ରେ ଓଡ଼ିଶାର ୪ ସଂସଦୀୟ କ୍ଷେତ୍ର ଓ ତତ୍‌ସଲଗ୍ନ ୨୮ ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ଅନୁଷ୍ଠିତ ହେବ ।
ଦେଶରେ ଚତୁର୍ଥ ପର୍ଯ୍ୟାୟ ଓ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ମେ’ ୧୩ରେ ଅନୁଷ୍ଠିତ ହେବ । ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଛି । ତାହା ମେ’ ୧୩ରୁ ଆରମ୍ଭ ହୋଇ ୨୦, ୨୫ ଓ ଜୁନ୧ରେ ଭୋଟ୍ ଶେଷ ହେବ । ଜୁନ୍ ୪ ମଙ୍ଗଳବାର ଭୋଟ୍ ଗଣତି ହେବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ ଲୋକସଭା ଓ ୨୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଆଜିଠୁ ଆରମ୍ଭ ହୋଇଛି । ନିର୍ବାଚନ ହେବାକୁ ଥିବା ଚାରି ଲୋକସଭା ଆସନଗୁଡ଼ିକ ହେଉଛି କଳାହାଣ୍ଡି, ନବରଙ୍ଗପୁର(ଏସ୍‌ଟି), ବ୍ରହ୍ମୁପର ଓ କୋରାପୁଟ(ଏସ୍‌ଟି) । ଏହି ପର୍ଯ୍ୟାୟରେ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଆସନ୍ତା ୨୫ ଥିବାବେଳେ ୨୬ରେ ପ୍ରାର୍ଥୀପତ୍ର ତନଖୀ ଏବଂ ୨୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ ହୋଇଛି ।
ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୪ ସଂସଦୀୟ କ୍ଷେତ୍ର ଅଧୀନସ୍ଥ ଯେଉଁ ବିଧାନସଭା ଆସନ ରହିଛି, ସେଗୁଡ଼ିକ ହେଉଛି ନୂଆପଡ଼ା, ଖଡ଼ିଆଳ, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲା, ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡା, ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି, ଗୁଣୁପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟ୍ଟାଙ୍ଗୀ । ଏହି ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡି ସବୁ ଆସନରେ ପ୍ରାର୍ଥୀ ଘୋଷଣା କରିସାରିଥିଲେ ହେଁ ଗୋପାଳପୁର ଓ ଛତ୍ରପୁର ଆସନରେ କଂଗ୍ରେସ ବର୍ତ୍ତମାନସୁଦ୍ଧା ପ୍ରାର୍ଥୀ ଘୋଷଣା କରିନାହିଁ । ବିଜେପିର କେବଳ ଜୟପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି ।
ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ପ୍ରଥମ ପର୍ଯ୍ୟାୟ ମତଦାନ ନେଇ ନିର୍ବାଚନ କମିସନ ସମୟ ନିର୍ଘଣ୍ଟ କରିଛନ୍ତି । ସବୁଠି ସକାଳ ୭ଟାରୁ ମତଦାନ ଆରମ୍ଭ ହେବ । ମାତ୍ର ମତଦାନ ଶେଷ ସମୟ ଭିନ୍ନ ରହିଛି । କୋରାପୁଟ ସଂସଦୀୟ କ୍ଷେତ୍ରର ୪ଟି ବିଧାନସଭା କ୍ଷେତ୍ରରେ ସକାଳ ୭ରୁ ୫ଟା ଭୋଟିଂ । ଗୁଣୁପୁର, ବିଷମକଟକ, ରାୟଗଡ଼ା, କୋରାପୁଟରେ ୭ରୁ ୫ଟା ଯାଏ ଭୋଟିଂ ହେବ । ଲକ୍ଷ୍ମୀପୁର ଓ ପଟ୍ଟାଙ୍ଗୀରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟିଂ ହେବ । ଜୟପୁର ବିଧାନସଭା କ୍ଷେତ୍ରରେ ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏ ଭୋଟିଂ ହେବ । ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ୬ଟି ବିଧାନସଭା କ୍ଷେତ୍ରରେ ୭ଟାରୁ ୬ ଟା ଭୋଟିଂ ଚାଲିବ । ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି ଓ ପାରଳାଖେମୁଣ୍ଡିରେ ସକାଳ ୭ରୁ ୬ଟା ପର୍ଯ୍ୟନ୍ତ ଭୋଟିଂ ହେବ । ମୋହନାର ସବୁଠି ସକାଳ ୭ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟିଂ ହେବ । ସେହିପରି କଳାହାଣ୍ଡି ନୂଆପଡ଼ାରେ ୩୯ଟି ପୋଲିଂ ଷ୍ଟେସନରେ ୭ଟାରୁ ୪ଟା ଭୋଟିଂ ହେବ । ନୂଆପଡ଼ାର ଅନ୍ୟ ଭୋଟିଂ ଷ୍ଟେସନରେ ୭ଟାରୁ ୫ଟା ପର୍ଯ୍ୟନ୍ତ ମତଦାନ ହେବ । ଖଡ଼ିଆଳରେ ୨୯ ପୋଲିଂ ଷ୍ଟେସନରେ ୭ଟାରୁ ୪ଟା ପର୍ଯ୍ୟନ୍ତ ଭୋଟ୍ ହେବ । ଖଡ଼ିଆଳର ଅନ୍ୟ ପୋଲିଂ ଷ୍ଟେସନରେ ୭ଟାରୁ ୫ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ନର୍ଲାରେ ୧୯ଟି ପୋଲିଂ ଷ୍ଟେସନରେ ସକାଳ ୭ରୁ ୪ଟା ପର୍ଯ୍ୟନ୍ତ ଭୋଟିଂ ହେବ । ନର୍ଲାର ଅନ୍ୟ ପୋଲିଂ ଷ୍ଟେସନରେ ୭ଟାରୁ ୫ଟା ପର୍ଯ୍ୟନ୍ତ ମତଦାନ କରାଯିବ । ଲାଞ୍ଜିଗଡ଼ରେ ସବୁଠି ସକାଳ ୭ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣାରେ ସକାଳ ୭ରୁ ୫ଟା ଭୋଟିଂ ହେବ । ଅନ୍ୟପକ୍ଷରେ ନବରଙ୍ଗପୁର ବିଧାନସଭା କ୍ଷେତ୍ରର ୧୦ଟି ପୋଲିଂ ଷ୍ଟେସନରେ ୭ରୁ ୪ଟା ଭୋଟିଂ ହେବ । ନବରଙ୍ଗପୁରରେ ଅନ୍ୟ ସବୁ ପୋଲିଂ ଷ୍ଟେସନରେ ୭ଟାରୁ ୬ଟା ପର୍ଯ୍ୟନ୍ତ ଭୋଟିଂ ହେବ । ଝରିଗାଁରେ ୪ ପୋଲିଂ ଷ୍ଟେସନରେ ୭ଟାରୁ ୪ଟା ପର୍ଯ୍ୟନ୍ତ ମତଦାନ କରାଯିବ । ଝରିଗାଁରେ ଅନ୍ୟ ସମସ୍ତ ପୋଲିଂ ଷ୍ଟେସନରେ ୭ଟାରୁ ୬ଟା ମତଦାନ ହେବ । କୋଟପାଡ଼, ମାଲକାନଗିରି, ଚିତ୍ରକୋଣ୍ଡାରେ ୭ଟାରୁ ୫ଟା ପର୍ଯ୍ୟନ୍ତ ଭୋଟିଂ ହେବ । ନବରଙ୍ଗପୁରର ଉମରକୋଟରେ ୨୨ ପୋଲିଂ ଷ୍ଟେସନରେ ୭ରୁ ୪ଟା ଭୋଟିଂ ହେବ । ଉମରକୋଟର ଅନ୍ୟ ପୋଲିଂ ଷ୍ଟେସନରେ ୭ଟାରୁ ୬ଟା ପର୍ଯ୍ୟନ୍ତ ଭୋଟିଂ ହେବ । ଝରିଗାଁରେ ୨୬ଟି ପୋଲିଂ ଷ୍ଟେସନରେ ୭ଟାରୁ ୪ଟା ପର୍ଯ୍ୟନ୍ତ ଭୋଟିଂ ଚାଲିବ । ଝରିଗାଁର ଅନ୍ୟ ପୋଲିଂ ଷ୍ଟେସନରେ ୭ଟାରୁ ୬ଟା ପର୍ଯ୍ୟନ୍ତ ମତଦାନ ହେବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking