36.1 C
Bhubaneswar
Thursday, May 2, 2024
Homeଓଡିଶାସାରା ରାଜ୍ୟରେ ନିଆଁ ବର୍ଷା; ରାଜଧାନୀର ତାପମାତ୍ରା ୪୩.୬ଂ ଛୁଇଁଲା

ସାରା ରାଜ୍ୟରେ ନିଆଁ ବର୍ଷା; ରାଜଧାନୀର ତାପମାତ୍ରା ୪୩.୬ଂ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ଅସମ୍ଭାଳ ତାତି ଜାରି ରହିଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଦିନର ସର୍ବୋଚ୍ଚ ତାପମାତ୍ରାରେ କିଛି ବଡ଼ ପରିବର୍ତ୍ତନ ହେବ ନାହିଁ । ତା’ପରେ ରାଜ୍ୟର ଅନେକ ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରାରେ ୨ରୁ୩ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେବେ ଗୁରୁବାର ରାଜ୍ୟରେ ୩୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଭୁବନେଶ୍ୱର ଥିଲା ସବୁଠୁ ଉତ୍ତପ୍ତ ସହର । ଭୁବନେଶ୍ୱରର ତାପମାତ୍ରା ୪୩.୬ଂ ରେକର୍ଡ କରାଯାଇଛି ।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଅପରାହ୍ନ ସାଢ଼େ ୨ଟା ସୁଦ୍ଧା ରାଜଧାନୀର ତାପମାତ୍ରା ୪୩.୬ ଂ ରହିଥିବା ବେଳେ ଝାରସୁଗୁଡ଼ାରେ ୪୨.୮ଂ , ବାଲେଶ୍ୱରରେ ୪୨.୨ଂରେକର୍ଡ କରାଯାଇଥିଲା । ବିଶେଷ କରି ଗୁରୁବାର ଓ ଶୁକ୍ରବାର ତାତି ସବୁଠୁ ଶୀର୍ଷରେ ରହିବା ସହ ଏହି ସମୟରେ ଅନେକ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ନେଇ ପାଣିପାଗ କେନ୍ଦ୍ର କହିଛି । ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଭୀଷଣ ଗ୍ରୀଷ୍ମ ପ୍ରବାହ (ସିଭିୟର ହିଟ୍‌ୱେଭ୍‌) ସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା କରି ଦୁଇ ଦିନ ପାଇଁ ପାଣିପାଗ କେନ୍ଦ୍ର ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି । ପାଣିପାଗ କେନ୍ଦ୍ରର ଆକଳନକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଏସ୍‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଥିବା ବୁଲେଟିନ୍ ଅନୁସାରେ, ଆଜି ମୟୂରଭଞ୍ଜ, ନୟାଗଡ଼, ଗଜପତି ଓ ନୂଆପଡ଼ା ଜିଲ୍ଲାରେ କେତେକ ସ୍ଥାନରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥିବା ବେଳେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୋଳ, କେନ୍ଦୁଝର, ବୌଦ୍ଧ, କନ୍ଧମାଳ, ଝାରସୁଗୁଡ଼ା, ବରଗଡ଼, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି ରହିଥିଲା । ସେହିପରି ଆସନ୍ତାକାଲି (ଶୁକ୍ରବାର)ମଧ୍ୟ ସମାନ ସ୍ଥିତି ଜାରି ରହିବ । ଶୁକ୍ରବାର ମୟୂରଭଞ୍ଜ, ନୟାଗଡ଼, ଗଜପତି ଓ ନୂଆପଡ଼ା ଜିଲ୍ଲାରେ କେତେକ ସ୍ଥାନରେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ହେବାର ସମ୍ଭାବନା ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାବ୍ୟତୀତ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ସୋନପୁର, ବୌଦ୍ଧ, ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାରେ କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ସୃଷ୍ଟି ହେବାକୁ ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ରାଜ୍ୟରେ ଜାରି ରହିଥିବା ସ୍ଥିତି ସମ୍ପର୍କରେ ସୂଚନା ଦେଇ ପାଣିପାଗ ବିଶେଷଜ୍ଞ କହିଛନ୍ତି ଯେ ରାଜ୍ୟରେ ଲାଗି ରହିଥିବା ଗ୍ରୀଷ୍ମ ପ୍ରବାହ ସ୍ଥିତି ସପ୍ତାହେ ପୂର୍ବରୁ କମି ନ ପାରେ । ବାୟୁ ପ୍ରବାହ ଅପରିବର୍ତ୍ତିତ ରହିବା ଯୋଗୁ ରାଜ୍ୟରୁ ପଶ୍ଚିମା ବାୟୁ ବା ଶୁଷ୍କ ପବନ ପ୍ରବାହ ଜାରି ରହିବ । ତେଣୁ ଗୁରୁବାରଠାରୁ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ବଢ଼ିବ । ଝାରସୁଗୁଡ଼ାଠାରୁ କଳାହାଣ୍ଡି ପର୍ଯ୍ୟନ୍ତ ଏବଂ ସଂଲଗ୍ନ ଜିଲ୍ଲାରେ ତାପମାତ୍ରା ସବୁଠାରୁ ଅଧିକ ରହିବାର ସମ୍ଭାବନା ରହିଛି । ଭୁବନେଶ୍ୱର ସମେତ ଉପକୂଳରେ ମଝିରେ ମଝିରେ ବିଶେଷ କରି ୧୯ ତାରିଖ ଉପରବେଳା ପରିଚଳନଜନିତ ମେଘ ହେତୁ ତାପମାତ୍ରା ଉପରକୁ ଉଠି କମିଯିବାର ସମ୍ଭାବନା ରହିଛି । ମୋଟାମୋଟି ଭାବେ ରାଜ୍ୟର ଅନେକ ସ୍ଥାନରେ ତାମପାତ୍ରା ସପ୍ତାହେ ପର୍ଯ୍ୟନ୍ତ ୪୧.୫ ଡିଗ୍ରୀରୁ ୪୪ ଡିଗ୍ରୀ ମଧ୍ୟରେ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking