30.1 C
Bhubaneswar
Friday, April 26, 2024
Homeଓଡିଶାପଲିଥିନ ତଳେ ୩ ଜୀବନ: ଘରର ଜିନିଷ ବିକିଲେ ମେଣ୍ଟୁଛି ଭୋକ

ପଲିଥିନ ତଳେ ୩ ଜୀବନ: ଘରର ଜିନିଷ ବିକିଲେ ମେଣ୍ଟୁଛି ଭୋକ

ମାଲକାନଗିରି : କେନ୍ଦ୍ର ଓ ରାଜ୍ୟ ସରକାର ଚିକିତ୍ସା ସୁବିଧା ପାଇଁ ବହୁ ଯୋଜନା କରିଛନ୍ତି । କିନ୍ତୁ କିଡ୍‌ନୀ ରୋଗରେ ପୀଡ଼ିତ ହୋଇ ଗୋଟିଏ ପରିବାର ନିଜର ସର୍ବସ୍ୱାନ୍ତ ଲୁଟାଇବା ପରେ ବର୍ତ୍ତମାନ ନେଇ ପଲିଥିନ ତଳେ ଆଶ୍ରୟ ନେଇଛନ୍ତି । ଗୋଟିଏ ଦିନର ଦାନା ପାଇଁ ବିକ୍ରି କରୁଛନ୍ତି ଘରର ଜିନିଷ ପତ୍ର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦର ମହକୁମାଠାରେ ।
ମାଲକାନଗିରି ପୌର ପରିଷଦ ଅଞ୍ଚଳର ଏମ୍‌ଭି- ୪୩ ଗ୍ରାମର ପରିମଲ୍ ହାଲ୍‌ଦାର ଜଣେ ମିସ୍ତ୍ରୀ ଭାବେ ବେଶ ଜଣାଶୁଣା ଥିଲେ । ମିସ୍ତ୍ରୀ କାମ କରି ବେସ୍ ହସ ଖୁସିରେ ନିଜର ପରିବାର ଚଳାଉଥିଲେ । କିନ୍ତୁ ତାଙ୍କର ଏହି ହସ ଖୁସି ଭରା ଜୀବନରେ ଭରିଗଲା ଦୁଃଖର କଳା ବାଦଲ । ୨୦୧୭ ମସିହାରେ ପରିମଲ୍ କିଡ୍‌ନୀ ରୋଗରେ ଆକ୍ରାନ୍ତ ହେବାପରେ ପରିବାର ପୋଷଣରେ ହେଲା ଅନେକ ସମସ୍ୟା । ସେ ଚିକିତ୍ସା ପାଇଁ ନିଜର ଝାଟି ମାଟି ଘରକୁ ବିକ୍ରି କରିଦେଇଥିଲେ । ତଥାପି ପରିମଲ୍‌ଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସେତେଟା ସୁଧାର ଆସିଲାନି । ଅନ୍ୟପଟେ ନିଜର ଚିକିତ୍ସା ପାଇଁ ବାସହରା ହୋଇ ନିଜର ସ୍ତ୍ରୀ ଓ କନ୍ୟାଙ୍କୁ ନେଇ ଜିଲ୍ଲା ସଦର ମହକୁମାର ମେଡିକାଲ୍ ନିକଟସ୍ଥ ଏକ ପରିତ୍ୟକ୍ତ ସ୍ଥାନକୁ ଚାଲି ଆସି ନିଜର ବାସସ୍ଥଳି କରିଛନ୍ତି । ସେଠାରେ ୨ ଫୁଟ ଉଚ୍ଚର ଏକ ପଲିଥିନ ଟାଙ୍ଗି କିଛି ଜିନିଷପତ୍ର ସହ ବାସ କରୁଛନ୍ତି । ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ରୋଜଗାର ହରାଇଥିବା ଯୋଗୁଁ ପରିବାର ଭରଣ ପୋଷଣ ପାଇଁ ବର୍ତ୍ତମାନ ପ୍ରତିଦିନ ନିଜ ଘର କରଣା ଜିନିଷରୁ ଗୋଟିଏ ଗୋଟିଏ ବିକି ଦାନା ଯୋଗାଡ଼ କରୁଛନ୍ତି । ଚିକିତ୍ସା ବ୍ୟବସ୍ଥା ନିମନ୍ତେ ସେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେବାପରେ ପ୍ରଶାସନ ପକ୍ଷରୁ ମାତ୍ର ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହି ଅର୍ଥ ମଧ୍ୟ ଚିକିତ୍ସାରେ ଖର୍ଚ୍ଚ ହୋଇଯାଇଛି । ଜିଲ୍ଲା ସଦର ମହକୁମାରେ ରହି ମଧ୍ୟ ପ୍ରଶାସନିକ ବାବୁଙ୍କ ଦୃଷ୍ଟି ଏହି ପରିବାର ପ୍ରତି ପଡ଼ିନାହିଁ । ତାଙ୍କର ଚିକିତ୍ସା ପାଇଁ ସହାୟତା କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ସେ ଦାବି କରିଥିବା ସହ ସରକାରୀ ସହାୟତା ନ ମିଳିଲେ ଆତ୍ମହତ୍ୟା ହିଁ ଏକମାତ୍ର ରାସ୍ତା ବୋଲି କିଡ୍‌ନୀ ରୋଗରେ ପୀଡ଼ିତ ପରିମଲ ପ୍ରକାଶ କରିଛନ୍ତି । କେନ୍ଦ୍ର ସରକାର ଆସନ୍ତା ୨୦୨୨ ମସିହା ସୁଦ୍ଧା ସମସ୍ତ ପରିବାରକୁ ପକ୍କା ଘର ଯୋଗାଇ ଦେବାକୁ ଯୋଜନା କରିଥିବା ବେଳେ ଏଭଳି ଏକ ପରିବାର ପଲିଥିନ ତଳେ ଜୀବନ ବିତାଇବା ଘଟଣା ଦେଖିଲେ ଗରିବଙ୍କ ପ୍ରତି ସରକାର ଓ ଜିଲ୍ଲା ପ୍ରଶାସନ କେବେ ଯତ୍ନବାନ ତାହା ସହଜରେ ଅନୁମେୟ କରାଯାଇପାରେ । ତେବେ ତାଙ୍କର ଏଭଳି ଅବସ୍ଥା ଦେଖି ସମାଜସେବୀ ବିନୋଦ ଟାୱରୀ ପରିମଲଙ୍କ ପରିବାରକୁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାସହ ପଲିଥିନ ବଦଳରେ ଟିଣ ଲଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ତାଙ୍କ ପରିବାରର ଏକ ମାସ ପାଇଁ ରାସନ ସାମଗ୍ରୀ ଯୋଗାଇ ଦେଇଛନ୍ତି । ତାଙ୍କର ଏଭଳି କାର୍ଯ୍ୟକୁ ସାଧାରଣରେ ସ୍ୱାଗତ କରାଯାଇଛି । ତେବେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ତାଙ୍କ ଚିକିତ୍ସା ନିମନ୍ତେ ବ୍ୟବସ୍ଥା କରିବାସହ ରହିବାର ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking