37.1 C
Bhubaneswar
Sunday, May 5, 2024
Homeଓଡିଶାଅନାହାର ମୃତ୍ୟୁ ଅପେକ୍ଷାରେ ଚନ୍ଦ୍ରଶେଖର

ଅନାହାର ମୃତ୍ୟୁ ଅପେକ୍ଷାରେ ଚନ୍ଦ୍ରଶେଖର

ନୟାଗଡ଼ : ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ଗରିବ ଲୋକମାନଙ୍କର ସୁରକ୍ଷା ଓ ବିକାଶ ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି । କିନ୍ତୁ ଏହି ଯୋଜନା ବାସ୍ତବରେ ପ୍ରକୃତ ଲୋକଙ୍କ ପାଖରେ ପହଞ୍ଚିପାରୁନଥିବା ଅଭିଯୋଗ ହେଉଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୋଲଗଡ଼ ବ୍ଲକ୍ ଅଞ୍ଚଳରେ । ଦଳେଇସାହି ଗ୍ରାମପଞ୍ଚାୟତ ଅନ୍ତର୍ଗତ ମାଣିକାଗୋଡ଼ା ଗ୍ରାମ ପ୍ରଧାନସାହିର ୭୨ବର୍ଷ ବୟସର ବୃଦ୍ଧ ଚନ୍ଦ୍ରଶେଖର ସାମନ୍ତରାୟ ଅନାହାର ମୃତ୍ୟୁ ଅପେକ୍ଷାରେ ଥିବାବେଳେ ତାଙ୍କ ଉପରେ ପ୍ରଶାସନର ଦୃଷ୍ଟି ପଡ଼ୁନାହିଁ । ଫଳରେ ସେ ଭୋକଉପାସରେ ଦିନ କାଟୁଥିବା ଜାଣିବାକୁ ମିଳିଛି । ସେ ଅବିବାହିତ ଥିବାବେଳେ ବହୁବର୍ଷ ହେବ ତାଙ୍କ ପିତାମାତା ଆରପାରିକୁ ଚାଲିଯାଇଛନ୍ତି । ତାଙ୍କ ଭାଇ ଦସ୍ତଖତ କରିନେଇ ପିତାମାତାଙ୍କର ସମସ୍ତ ସମ୍ପତ୍ତି ଓ ଘରବାରି ନିଜ ନାମରେ କରାଇ ନେଇଛନ୍ତି । ନିଜର ଘର ଓ ଖାଇବାକୁ ନଥିବାରୁ ଚନ୍ଦ୍ରଶେଖର ଆଜକୁ ୨୨ବର୍ଷ ଧରି ଭିକ ମାଗି ପର ଦୁଆରେ ଦିନ କାଟୁଛନ୍ତି ।

ହେଲେ ମହାମାରୀ କରୋନା ସମୟରେ ଦୋକାନ ବଜାର ବନ୍ଦ ରହିଥିବାବେଳେ କଟକଣା ଯୋଗୁଁ ଗ୍ରାମାଞ୍ଚଳକୁ ଯାଇ ଭିକ୍ଷା କରିବା ମଧ୍ୟ ସମ୍ଭବ ହେଉନି । ଫଳରେ ଚନ୍ଦ୍ରଶେଖର ଦିନେ ଖାଇଲେ ଦୁଇଦିନ ଉପବାସ ରହୁଛନ୍ତି । ଆଜି ପର୍ଯ୍ୟନ୍ତ ତାଙ୍କୁ ନା ମିଳିଛି ବାର୍ଦ୍ଧକ୍ୟ ଭତ୍ତା ନା ଖାଉଟି କାର୍ଡ ଖଣ୍ଡେ । ଏ ସବୁ ସୁବିଧା ପାଇବା ପାଇଁ ସେ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବ୍ଲକ୍ ଅଫିସ୍ ପର୍ଯ୍ୟନ୍ତ ଦୌଡ଼ି ଆବେଦନ କରୁଥିଲେ ସୁଫଳ ମିଳିପାରିନାହିଁ । ଏ ସମ୍ପର୍କରେ ଦଳାଇସାହି ସରପଞ୍ଚ ତାଜର ଅଲ୍ଲୀଙ୍କୁ ପଚାରିବାରୁ ସେ କହିଲେ ଯେ ମୁଁ ଚନ୍ଦ୍ରଶେଖର ସାମନ୍ତରାୟଙ୍କୁ ଚିହ୍ନିନାହିଁ, ପ୍ରଧାନସାହିର ୱାର୍ଡମେମ୍ବରଙ୍କୁ ପଚାରି ତାଙ୍କୁ ସାହାଯ୍ୟ କରିବି ।

ଗ୍ରାମପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ବରଦାକାନ୍ତ ସାହୁଙ୍କ ସହିତ ଏ ସମ୍ପର୍କରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ହେଁ ତାହା ସମ୍ଭବ ହୋଇପାରି ନାହିଁ । ସେହିପରି ବିଡିଓ ଧୋବେଇ ନାୟକଙ୍କୁ ପଚାରିବାରୁ ସେ କହିଲେ ଯେ ଅଭିଯୋଗ ଆସିଲେ ଜରୁରିକାଳୀନ ଭିତ୍ତିରେ ତଦନ୍ତକରି ଚନ୍ଦ୍ରଶେଖରଙ୍କୁ ସାହାଯ୍ୟ କରିବି । ଅଲଟ୍ରା ସ୍ୱେଚ୍ଛାସେବୀ ଦ୍ୱାରା ପରିଚାଳିତ ଜରାନିବାସ ଓ ଆରିକମାସ୍ଥିତ ବରିଷ୍ଠ ନାଗରିକ ଜରାନିବାସରେ ଅସହାୟ ଗରିବ ଚନ୍ଦ୍ରଶେଖରଙ୍କୁ ମଧ୍ୟ ସ୍ଥାନ ମିଳୁନାହିଁ । ତେଣୁ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ଏଥିପ୍ରତି ଦୃଷ୍ଟି ଦେବାକୁ ମାଣିକାଗୋଡ଼ା ଗ୍ରାମବାସୀ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking